ଭୁବନେଶ୍ୱର ପୁରୀ ଜାତୀୟ ରାଜପଥର ସାତଶଙ୍ଖସ୍ଥିତ ସୁକଳ କେନାଲ ବ୍ରିଜ୍‌ ଦୁର୍ଘଟଣାପ୍ରବଣ, ବ୍ରିଜ୍‌ ବାଡ଼ରେ ପିଟି ହୋଇ ୪ ବର୍ଷରେ ମଲେଣି ୧୧ ଜଣ

ପିପିଲି : ଭୁବନେଶ୍ୱର ପୁରୀ ଜାତୀୟ ରାଜପଥର ସାତଶଙ୍ଖସ୍ଥିତ ସୁକଳ କେନାଲ ବ୍ରିଜ୍‌ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ୪ ବର୍ଷ ମଧ୍ୟରେ ଏଠାରେ ବିଭିନ୍ନ ଦୁର୍ଘଟଣାରେ ୧୧ଜଣ ପ୍ରାଣ ହରାଇଛନ୍ତି। ଶତାଧିକ ଲୋକେ ଗୁରୁତର ଭାବେ ଆହତ ହୋଇଛନ୍ତି। ଜାତୀୟ ରାଜପଥ କାର୍ଯ୍ୟରେ ନିର୍ମାଣଜନିତ ତ୍ରୁଟି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି। ରାଜପଥ ସମ୍ପ୍ରସାରଣ ସମୟରେ ସେଠାରେ ଥିବା ପୁରୁଣା ବ୍ରିଜ୍‌କୁ ଚଉଡ଼ା କରା ନଯାଇ କେବଳ ରାସ୍ତାକୁ ଚଉଡ଼ା କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବ୍ରିଜ୍‌ର ବାଡ଼ ଜାତୀୟ ରାଜପଥକୁ ପ୍ରାୟ ୩ ଫୁଟ୍‌ ବାହାରିଥିବାରୁ ଉକ୍ତ ବାଡ଼ରେ ପିଟି ହୋଇ ଗତ ୪ ବର୍ଷ ମଧ୍ୟରେ ୧୧ଜଣଙ୍କର ମୃତ୍ୟୁ ହେଲାଣି। ବିଶେଷକରି ରାତିରେ ବ୍ରିଜ୍‌ର ବାଡ଼ ଗାଡ଼ି ଚାଳକମାନଙ୍କର ଭ୍ରମ ସୃଷ୍ଟି କରୁଛି ଏବଂ ଦୁର୍ଘଟଣା ଘଟୁଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ସେଠାରେ କୌଣସି ବିପଦ ସଙ୍କେତ ଦେଇ ନାହାନ୍ତି। ନୂଆବର୍ଷ ଅବସରରେ ଜାତୀୟ ରାଜପଥରେ ପୁରୀ ଯିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ରହୁଥିବାରୁ କୌଣସି ଅଘଟଣକୁ ଏଡ଼ାଇ ଦିଆଯାଇ ନପାରେ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର