ଜନ ବସତିରେ ୩୩ କେଭି ତାରରେ ଲୋକଙ୍କ ଜୀବନ ଯାଉଛି, ବିଦ୍ୟୁତ୍ ବିଭାଗ ଓ ପ୍ରଶାସନ ନୀରବ ଦ୍ରଷ୍ଟା

ଭଦ୍ରକ : ଭଦ୍ରକର ବିଦ୍ୟୁତ୍ ବିଭାଗ ଲୋକଙ୍କୁ ମାରିବାକୁ ଯୋଜନା କରୁଛି। ବିଦ୍ୟୁତ୍ ବିଲ୍ ଚଢା ମୂଲ୍ୟରେ ନେଉଥିବା ବେଳେ ଲୋକଙ୍କ ଠିକ୍ ଭାବେ ସେବା ଯୋଗାଉ ନାହିଁ। କେଉଁଠି ୩୩ କେଭି ବିଦ୍ୟୁତ୍ ତାର ଜନ ବସତି ଉପରେ ଯାଇଛି ତ ଆଉ କେଉଁଠି ବିଦ୍ୟୁତ୍ ଖୁଣ୍ଟି ରାସ୍ତା ଉପରେ ଠିଆ ହୋଇ ରହିଛି। ଅନେକ ସ୍ଥାନରେ ତାର ଓହଳି ରହିଛି। ବିଦ୍ୟୁତ୍ ବିଭାଗର ଏଭଳି ଅବ୍ୟବସ୍ଥାକୁ ନେଇ ଅନେକ ସମୟରେ ଅକାଳରେ ଯାଉଛି କିଛି ଲୋକଙ୍କର ଜୀବନ। କେବଳ ସେତିକି ନୁହେଁ, ଅହେତୁକ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି।

YouTube

ସୂଚନାରୁ ପ୍ରକାଶ ଯେ, ଭଦ୍ରକର ବନ୍ତଛକରୁ ଡଗମୁଣ୍ଡ ପର୍ଯ୍ୟନ୍ତ ଥିବା ଜନବସତି ଅଞ୍ଚଳ ଦେଇ ୩୩ କେଭି ବିଦ୍ୟୁତ୍ ତାର ଯାଇଛି। ଏଇ ତାର ବହୁ ଦିନରୁ ଯାଇଥିଲା ବେଳେ ଏଠାରେ ଏବେ ବହୁ ଲୋକ ଘରଦ୍ବାର କରି ରହୁଛନ୍ତି। ଏହି ତାର ସଂସ୍ପର୍ଶରେ ଆସି ଆତୀତରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ୩୩ କେଭି ତାର ଜନବସତିରୁ ଉଠାଇବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଦାବି କରିବା ପରେ ଏହାକୁ ଉଠାଇବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ଏଇ ତାର ଉଠା କାର୍ଯ୍ୟ ଓ ଖୁଣ୍ଟି ଉଠା କାର୍ଯ୍ୟ ଅହେତୁକ ବିଳମ୍ବ ହେଉଛି। ବିଦ୍ୟୁତ୍ ବିଭାଗର ଏଭଳି ଟାଳଟୁଳ ନୀତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ଭିତରେ ୬ ମାସରୁ ଅଧିକ ସମୟ ହେଲା ଏଇ କାମ ଚାଲିଛି। ଏତେ ସମୟ ଧରି ତାର ଉଠା କାର୍ଯ୍ୟ କରାଯିବା ପଛରେ କଣ ରହିଛି ରହସ୍ୟ। ବିଦ୍ୟୁତ୍ ବିଭାଗ ସହ ଅନ୍ୟ କିଛି ବିଭାଗର ତାର ମେଳ ଠିକ୍ ଭାବେ ରହୁ ନଥିବାରୁ ଏଇ ତାର ଉଠାଣ କାମ କଛପ ଗତିରେ ଚାଲୁଥିବା ଜଣାପଡିଛି। ଏଇ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇ ଜନ ବସତି ଅଞ୍ଚଳରୁ ଏଭଳି ବିପଦପୂର୍ଣ୍ଣ ବିଦ୍ୟୁତ୍ ତାର ଓ ଖୁଣ୍ଟିକୁ ତୁରନ୍ତ ଉଠାଯାଉ ବୋଲି ସାଧାରଣରେ ଦାବି ହୋଇଛି।

ସେହିପରି ଭଦ୍ରକ ଜିଲ୍ଲାରେ ‘ଅମ୍ଫାନ’ ବାତ୍ୟା ଯୋଗୁଁ ୨ ହଜାରରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଖୁଣ୍ଟି ଉପୁଡି ପଡିଥିଲା। କେତେକ ଗାଁରେ ଖୁଣ୍ଟି ଭାଙ୍ଗି ପଡିବା ସହ ତାର ଛିଡି ଯାଇଥିଲା। ଧାମରା ଅଞ୍ଚଳରେ ବିଶେଷ ଭାବେ କ୍ଷତି ହୋଇଥିଲା। ବାତ୍ୟାର ୭ ଦିନଧରି କେତେକ ଗାଁ ଲୋକ ଅନ୍ଧାରରେ ରହିଥିଲେ।ଏଇସବୁ ଅଞ୍ଚଳରେ ଏବେ ମଧ୍ୟ ବିଦ୍ୟୁତ୍ କାଟ୍ ହେଉଛି। ଭଦ୍ରକ ସହରାଞ୍ଚଳରେ ମଧ୍ୟ ଅନେକ ସ୍ଥାନରେ ଅହେତୁକ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଜିଲ୍ଲାରେ ଲୋକେ ବିଦ୍ୟୁତ୍ ସେବା ଠିକ୍ ଭାବେ ପାଉ ନଥିବାରୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବାତ୍ୟା ପ୍ରଭାବିତ ଅନେକ ଗାଁ ଏବେ ଅନ୍ଧାର ଭିତରେ ରହୁଛି। କେତେବେଳେ ବିଦ୍ୟୁତ୍ ସଂଯୋଗ କରାଯାଉଛି ତ ଆଉ କେତେବେଳେ ବିଦ୍ୟୁତ୍ କାଟି ଦିଆଯାଉଛି। ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର