ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଯୋଗାଣ

ବ୍ରହ୍ମଗିରି : ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଦ୍ୟୁତ୍ ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଅଦ୍ୟାବଧି ଅନେକ ସ୍ଥାନରେ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇପାରି ନାହିଁ। ଉଠା ଜଳସେଚନ ଓ ସୌଭାଗ୍ୟ ଯୋଜନାରେ ବସିଥିବା ଟ୍ରାନ୍‌ସ୍‌ଫର୍ମରର ମରାମତି ହେଉନାହିଁ। ଏବେ ବି ବିଦ୍ୟୁତ୍ ତାର ଓ ଖୁଣ୍ଟ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ରେ ୫ ଶହରୁ ଅଧିକ ଗାଁକୁ କେରାଣ୍ତିଆ, ଖଜୁରିଆ, ସୁନାମୁହିଁ ଓ ପଣସପଦା ସେକସନ୍‌ରୁ ବିଦ୍ୟୁତ୍ ଯୋଗାଣ ହେଉଛି। ତେବେ ୧୧ କେଭି ଖୁଣ୍ଟ ପୋତା ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅନେକ ଖୁଣ୍ଟରେ କଂକ୍ରିଟ୍‌ ହୋଇ ନାହିଁ। ଖୁଣ୍ଟ ମୂଳ ସେମିତି ଖୋଲାମେଲା ପଡିଛି। ଏଲ୍‌ଟି କେବୁଲ୍‌ ଅଲଗା କରିବା ପାଇଁ ସ୍ବତନ୍ତ୍ର ସେପାରେଟର୍‌ ବ୍ୟବହାର କରିବା ବଦଳରେ ଅନେକ ଜାଗାରେ ବାଉଁଶ ବତାରେ କାମ ଚଳାଯାଉଥିବା ଦେଖିବାକୁ ମିଳିଛି। ସେହିପରି କେବୁଲ୍‌ ମଧ୍ୟ ଓହଳି ରହିଛି। କୌଣସି ଗୋଟିଏ ଏଲ୍‌ଟି ଖୁଣ୍ଟରେ କଂକ୍ରିଟ୍‌କରଣ ହୋଇ ନାହିଁ। ସବୁ ଖୁଣ୍ଟ ପବନରେ ଦୋହଲୁଛି। ପୁଣି କେବୁଲକୁ ଖୁଣ୍ଟରୁ ଅଲଗା କରିବାକୁ କୌଣସି ସ୍ଥାନରେ କଣ୍ତକ୍ଟର୍‌ ଲାଗି ନାହିଁ। ଫଳରେ ବର୍ଷା ହେବା ମାତ୍ରେ ଲୁହା ଖୁଣ୍ଟରେ ବିଦ୍ୟୁତ୍ ଚାର୍ଜ ହୋଇଯାଉଛି। ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଗତ କିଛି ଦିନ ପୂର୍ବରୁ ବିଦ୍ୟୁତ୍ ଖୁଣ୍ଟରେ ଲାଗି ୩ଟି ଗାଈଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ସାତପଡା ଫାଣ୍ତିରେ ଅଭିଯୋଗ ମଧ୍ୟ ହୋଇଥିଲା। ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟରେ ଅବହେଳା କରାଯାଉଥିବାରୁ ଏପରି ସମସ୍ୟା ଦେଖାଦେଇଥିବା ଅଭି‌ଯୋଗ ହୋଇଛି। ଏ ସଂପର୍କରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର