ନିରାକାରପୁର : ନିରାକାରପୁର ବିଦ୍ୟୁତ୍ ବିଭାଗର ଦାୟିତ୍ବହୀନତା ଯୋଗୁଁ ଏହାର ଆଖାପାଖ ଅଞ୍ଚଳର ଅନେକ ସ୍ଥାନରେ ବିଦ୍ୟୁତ୍ ଟ୍ରାନସଫରମରଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବାରମ୍ବାର ଅଭିଯୋଗ ପରେ ବି ବିଭାଗୀୟ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଏପରିକି ଅଧିକାଂଶ ଗ୍ରାମ ଏବଂ ଗହିର ଜମିକୁ ଯାଇଥିବା ବିଦ୍ୟୁତ୍ ତାରଗୁଡିକ ଗୋଟିଏ ସ୍ଥାନରେ ୪ରୁ ୫ଟି ଜଏଣ୍ଟ ପଏଣ୍ଟ ରହିଛି। ସେହିପରି ଗାଁ ଏବଂ ରାସ୍ତାଉପରେ ଯାଇଥିବା ବିଦ୍ୟୁତ୍ ତାରଗୁଡିକ ତଳକୁ ଓହଳି ରହିଥିବାରୁ ଭାରି ଯାନ ଯିବାରେ ନାନା ଅସୁବିଧା ସୃଷ୍ଟି ହେଉଛି।

Advertisment

ଏଭଳି ଅବ୍ୟବସ୍ଥା ଯୋଗୁଁ ଗତ କିଛିମାସ ତଳେ ଭୁଷଣ୍ତପୁର ରାସ୍ତାର ଗୋଳାପୋଖରି ଠାରେ ଏକ ନଡା ବୋଝେଇ ମିନି ଟ୍ରକ୍ ଆସୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗ ଓ ଉପସ୍ଥିତ ବୁଦ୍ଧି ପାଇଁ ଟ୍ରକଟି ବଡଧରଣର ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲା। ସେହିପରି କେତେକ ସ୍ଥାନରେ ବଡବଡ ଅନାବନା ଗଛ ଉଠିଯାଇଥିବାରୁ ଟ୍ରାନସଫରମର ଓ ବିଦ୍ୟୁତ୍ ଖୁଣ୍ଟଗୁଡିକ ଦୟନୀୟ ସ୍ଥିତିରେ ଥିବା ଦେଖିବାକୁ ମିଳିଛି। ଅନୁରୂପଭାବେ ନିରାକାରପୁର ଷ୍ଟେସନ ରୋଡର ଡୋମଣେଇ ଠାକୁରାଣୀ ନିକଟରେ ଥିବା ଟ୍ରାନସଫରମରଟି ପ୍ରତିରାତିରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ସ୍ପାର୍କିଂ ହେଉଥିବା ବେଳେ ରାଉତରାୟ ବଗିଚା ଠାରେ ଥିବା ଟ୍ରାନସଫରମରଟି ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ଉପରେ ରହିଛି।

ଖାଲିସେତିକି ନୁହେଁ ଏଭଳି ଅନେକ ସ୍ଥାନ ଅଛି ଯେଉଁଠାରେ ଟ୍ରାନସଫରମରର ଚତୁପାର୍ଶ୍ବରେ ସୁରକ୍ଷା ପ୍ରାଚୀର ନିୟମ ଥିଲେ ସୁଦ୍ଧ ଏହାକୁ କାର୍ଯ୍ୟକ୍ଷମ କରାଯାଉନାହିଁ। ସ୍ଥାନୀୟ ଲୋକଙ୍କ ଚଳପଅଚଳ ଦୃଷ୍ଟିକୋଣରୁ ମୁକୁଳା ଟ୍ରାନସଫରମର ଗୁଡ଼ିକୁ ଚାରିପଟେ ପାଚେରୀ ନିର୍ମାଣ କରିବାକୁ ଦାବି ହେଉଛି। ନଚେତ୍ ଆଗାମୀ ଦିନରେ ବିଦୁତ୍ ସମ୍ବନ୍ଧିୟ ଆକସ୍ମିକ ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ।