ବ୍ରହ୍ମଗିରି ବ୍ଲକ୍ କାଣ୍ତଗୋଦା ପଞ୍ଚାୟତ ନିଖିରାଗୋବିନ୍ଦପୁର ଗାଁ’କୁ ନାହିଁ ରାସ୍ତା, ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଛାତ୍ରଛାତ୍ରୀ

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ୍ କାଣ୍ତଗୋଦା ପଞ୍ଚାୟତ ନିଖିରାଗୋବିନ୍ଦପୁର ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଲୋକମାନେ ଆଣ୍ଠୁଏ ପାଣି କାଦୁଅରେ ଦୟନୀୟ ଅବସ୍ଥାରେ ଯାଆସ କରୁଛନ୍ତି। ଅସରାଏ ବର୍ଷା ହୋଇ ଗଲେ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି। ଲଗାଣ ବର୍ଷା ହେଲେ ଅବସ୍ଥା ଅସମ୍ଭାଳ। ଏହି ଗାଁରେ ହଜାରରୁ ଅଧିକ ଲୋକେ ବସବାସ କରିଥାନ୍ତି। ଅନ୍ୟ କୌଣସି ବିକଳ୍ପ ରାସ୍ତା ନଥିବାରୁ ଏହି ରାସ୍ତା ଦେଇ ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରତିଦିନ ଡାକ୍ତରଖାନାଠାରୁ ଆରମ୍ଭ କରି ବ୍ଲକ୍, ତହସିଲ ଅଫିସ୍‌କୁ ଯାଉଛନ୍ତି।

ସେହିପରି ଛାତ୍ରଛାତ୍ରୀମାନେ ନିକଟସ୍ଥ ଗାଁ ସ୍କୁଲ୍‌କୁ ପାଠ ପଢ଼ିବାକୁ ଯାଉଛନ୍ତି। ହେଲେ ଅସରାଏ ବର୍ଷା ହେଲେ ରାସ୍ତା ପୂରା କାଦୁଅ ହୋଇଯାଉଛି। ମନାପୁର ଗାଁ ଠାରୁ ଏହି ଗାଁକୁ ୮ ଶହ ମିଟର ରାସ୍ତାର ଅବସ୍ଥା ବିପଦସଙ୍କୁଳ ଥିବା ବେଳେ ଆଜି ସୁଦ୍ଧା ଏହାର ମରାମତି କରାଯାଉ ନାହିଁ। ଛାତ୍ରାଛାତ୍ରୀମାନେ ପାଣି କାଦୁଅରେ ପଶି ବିପଜ୍ଜନକ ଭାବେ ସ୍କୁଲ୍‌ ଯାଉଛନ୍ତି। ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାସ୍ତାର ମରାମତି ‌ହୋଇପାରୁ ନାହିଁ। ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର