ବୋଲଗଡ : ଭୁବନେଶ୍ୱରରୁ ଦକ୍ଷିଣ ଓ ପଶ୍ଚିମ ଓଡିଶାକୁ ସଂଯୋଗ କରୁଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ଶହ ଶହ ଖାଲଖମାରେ ଭର୍ତ୍ତି ଏହି ରାସ୍ତାରେ ଯାତାୟତ କରିବା ଏକ ପ୍ରକାର ବିପଦପୂର୍ଣ୍ଣ ହୋଇପଡିଛି। ଜାତୀୟ ରାଜପଥ ଏହି ଖାଲଖମା ମରାମତି ପାଇଁ ଗୁରୁତ୍ବ ଦେଉ ନ ଥିବାରୁ ଲୋକେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, ୨୦୧୮ମସିହାରୁ ଏହି ଜାତୀୟ ରାଜପଥର ବ୍ୟସ୍ତବହୁଳ ଅଞ୍ଚଳଭାବେ ଜଣାଶୁଣା ଖୋର୍ଦ୍ଧା ଠାରୁ ନୟାଗଡ ପର୍ଯ୍ୟନ୍ତ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ୫୫ କିଲୋମିଟର ରାସ୍ତାପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ୧୧୦କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିପାଇଁ ଠିକା ସଂସ୍ଥା ଏଆରଏସଏସ କାମ ଆରମ୍ଭ କରିଛି। ଖୋର୍ଦ୍ଧା ନୟାଗଡ ମଝିରେ ବୋଲଗଡ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଠାରେ ଏହାର କ୍ୟାମ୍ପ୍ ଅଫିସ ଖୋଲିଅଛି। ସେହି କ୍ୟାମ୍ପ୍ ଅଫିସ ଠାରୁ ନୟାଗଡ ଆଡକୁ ଭୀମପଡା ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତାରେ ୫୦୦ରୁ ଉର୍ଦ୍ଧ ଖାଲଖମା ସୃଷ୍ଟି ହୋଇ ବହୁ ଦୁର୍ଘଟଣାର କାରଣ ପାଲଟିଛି। ବିଶେଷ କରି ରାଜସୁନାଖଳା ବଜାର, କପାସିଆ ବସଷ୍ଟାଣ୍ଡ, ଚୂଡା ବସଷ୍ଟାଣ୍ଡ, ବୋଲଗଡର ବାଳିକା ଉଚ୍ଚ ବିଦ୍ୟାଳୟ ସାମ୍ନା, ବନ୍ଧ ଛକ, ପଞ୍ଚୁକୋଟ ଛକ, ଟାଙ୍ଗିସାହି ଛକ, ଭୀମପଡା ବଜାର ଓ ଦିଘିରୀ ଠାରେ ରାସ୍ତାରୁ ପିଚୁ ଓ ମେଟାଲ ଉଠି ବହୁ ଖାଲ ସୃଷ୍ଟି ହୋଇଛି। ବର୍ଷାହେଲେ ଏହି ଖାଲଗୁଡିକରେ ପାଣି ଜମି ରହୁଥିବାରୁ ବାଇକ ଚାଳକ, ଅଟୋ, କାର ଚାଳକମାନେ ଖାଲର ଗଭୀରତା ଜାଣିନପାରି ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି।
ବିଶେଷ କରି ବର୍ଷାରେ ପିଚୁଗୁଡିକ ତାଡି ହୋଇଯାଇଥିବାରୁ ଠିକା ସଂସ୍ଥା ଏହାର ମରାମତି କରୁନାହିଁ । ବାରମ୍ବାର ଦାବି ପରେ ଠିକା ସଂସ୍ଥା ପକ୍ଷରୁ ଠାଏ ଠାଏ ନାମକୁ ମାତ୍ର ଛୋଟ ମେଟାଲ ପକାଇ ଖାଲ ଗୁଡିକ ପୁରଣ କରାଯାଇଥିଲା। ଏହାର ୨ଦିନ ପରେ ଭାରୀଯାନ ଯୋଗୁଁ ଛୋଟ ମେଟାଲ ଗୁଡିକ ଉଠିଯାଇ ରାସ୍ତା ସାରା ବିଛାଡ଼ି ହୋଇପଡିଛି। ଭୀମପଡା ବଜାର ପୂର୍ବପାର୍ଶ୍ୱରେ ଦୀର୍ଘ ୧୫ଦିନ ହେବ ରାସ୍ତା କାମରେ ନିୟୋଜିତ ହୋଇଥିବା ଏକ ଜେସିବି ଅଚଳ ହୋଇ ରାସ୍ତା ମଝିରେ ପଡିରହିଛି । ଯାହା ଫଳରେ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ରାଜସୁନାଖଳା ବଜାରର ଭୁବନେଶ୍ୱର ଆଡ଼କୁ ଦୁଇଟି ଅଣଓସାରିଆ କଲର୍ଭଟ ଭଙ୍ଗାଯାଇ ନୁତନ ଓସାର ବିସିଷ୍ଟ କଲର୍ଭଟ ନିର୍ମାଣ ହେଉଛି । ଫଳରେ ଅଣଓସାରିଆ ଆପ୍ରୋଚ୍ ରୋଡ୍ ଉପରେ ଗାଡି ମୋଟର ଚଳାଚଳରେ ଅସୁବିଧା ହେଉଛି। ଏହିସବୁ ସମସ୍ୟାକୁ ନେଇ ବୋଲଗଡ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇନ୍ତି।