ପୁରୀ : ନବକଳେବର ରୋଡ୍ ପୁରୀ ସହରର ଅନ୍ୟତମ ପ୍ରମୁଖ ରାସ୍ତା। ଏହି ରାସ୍ତା ଦେଇ ଦୈନନ୍ଦିନ ଶହ ଶହ ବସ୍‌ ଯାତାୟାତ କରୁଛି। ଶହ ଶହ ଗାଡ଼ିମୋଟର ସହ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଦୈନିକ ଏହା ରାସ୍ତାରେ ଯାଉଛନ୍ତି। ‘ଗାଁ ପରିମଳ ଧୋବା ତୁଠ’ରୁ ଭଳି ଏହି ରାସ୍ତା ବଖାଣୁଛି ପୁରୀ ସହରର ବିକାଶର ଅସଲ ଚିତ୍ର।

Advertisment

publive-image

ସହରର ପ୍ରବେଶ ପଥରେ ଥିବା ଏହି ରାସ୍ତା ବର୍ଷାଧିକ କାଳ ଅସଜଡ଼ା ଅବସ୍ଥାରେ ଥିଲେ ବି ଏହି ରାସ୍ତା ପ୍ରତି ପୌରସଂସ୍ଥା କିମ୍ବା ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡ଼ୁନି। ଏଭଳି ସ୍ଥିତିରେ ପୁରୀକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାର ସ୍ବପ୍ନ ହାସ୍ୟାସ୍ପଦ ମନେ ହେଉଛି। କେବଳ ଏହି ରାସ୍ତା ନୁହେଁ, ସହରର ସବୁ ଗଳିକନ୍ଦିର ଅବସ୍ଥା ମଧ୍ୟ ସାଂଘାତିକ। ନବକଳେବର ରାସ୍ତା ସହରର ଏକ ପୁରାତନ ରାସ୍ତା । ଯାତ୍ରୀବାହୀ ବସ ସବୁ ପୁରୀ ବସ୍‌ଷ୍ଟାଣ୍ଡକୁ ଯାତାୟାତ କରିବାର ଏହା ଏକମାତ୍ର ମାଧ୍ୟମ। ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଉଥିବା ଶହ ଶହ ବସ ଦୈନିକ ଏହି ରାସ୍ତା ଦେଇ ଯାଆସ କରୁଛନ୍ତି। ତଥାପି ରାସ୍ତାର ଅବସ୍ଥା ବଦଳୁନି। ୩୦ରୁ ଅଧିକ ସ୍ଥାନରେ ଫୁଟେ, ଦେଢ଼ଫୁଟ ଗଭୀରର ଖାଲ ସୃଷ୍ଟି ହୋଇଛି। ତା’ ସାଙ୍ଗକୁ ନର୍ଦମା ପାଣି ନର୍କ ଯନ୍ତ୍ରଣା ସଦୃଶ ହୋଇଛି। ଏହି ରାସ୍ତାରେ ଏକାଧିକ ସ୍ଥାନରେ ଡ୍ରେନେଜ ଚାମ୍ବରରୁ ମଇଳାପାଣି ବାହାରୁଥିବା ଦେଖିବାକୁ ମିଳିଛି।

publive-image

ବହୁଦିନରୁ ଏହି ସମସ୍ୟା ଲାଗି ରହିଥିଲେ ବି କେହି ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି। ଅଠରନଳାଠାରୁ ମାତ୍ର ଅଧକିଲୋମିଟର ଏହି ରାସ୍ତା ଯେଉଁଭଳି ଅବସ୍ଥା ହୋଇଛି, କୌଣସି ମୁହୂର୍ତ୍ତରେ ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଛି। ଏଥି ପ୍ରତି କାହାରି ନଜର ନପଡ଼ିବା ଦୁର୍ଭାଗ୍ୟଜନକ ବୋଲି ସହରବାସୀ କହିଛନ୍ତି। ବୋଧହୁଏ କିଛି ବଡ଼ ଅଘଟଣ ପରେ ପ୍ରଶାସନ ଚେତିବ ବୋଲି ଆଲୋଚନା ହେଉଛି।