କେନ୍ଦୁଝର ଜିଲ୍ଲାର ଜୀବନରେଖା କୁହାଯାଉଥିବା ୫୨୦ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ

ମନ୍ଥର ଗତିରେ ଚାଲିଛି ରାଜପଥ ନିର୍ମାଣ, ଲୋକେ ହନ୍ତସନ୍ତ

ବଡ଼ବିଲ : ରାଜ୍ୟ ତଥା କେନ୍ଦୁଝର ଜିଲ୍ଲାର ଜୀବନରେଖା କୁହାଯାଉଥିବା ୫୨୦ ନମ୍ବର ଜାତୀୟ ରାଜପଥର ଅବସ୍ଥା ନକହିବା ଭଲ। ଗତ ୫ ବର୍ଷ ପୂର୍ବେ ଏକ ଠିକାସଂସ୍ଥା କାମ ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ ସମୟରେ ସେ କାମ ଛାଡ଼ି ଚାଲିଯାଇଥିଲା। ଏବେ ଯେଉଁ ମଣ୍ଟେକାର୍ଲୋ କମ୍ପାନି ରାଜପଥ କାର୍ଯ୍ୟ ଆରମ୍ଭ କରିଛି ସେଥିରେ ଅନେକ ଅନିୟମିତତା ଦେଖିବାକୁ ମିଳୁଛି। ବାଇପାସ ରାସ୍ତା ନିର୍ମାଣ ନକରି କୋଟି କୋଟି ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ସ୍ଥାନୀୟ ଲୋକଙ୍କ ସହ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିର୍ମାଣ କାର୍ଯ୍ୟର ମନ୍ଥରତା ଯୋଗୁ ୫୨୦ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇପଡ଼ିଛି। ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲା, କୋଇଡ଼ା ଅଞ୍ଚଳରୁ କେନ୍ଦୁଝର ଜିଲ୍ଲା, ରୁଗୁଡ଼ି ପର୍ଯ୍ୟନ୍ତ ୧୫ କିଲୋମିଟର ରାସ୍ତା ଓ ଭଦ୍ରାସାହିଠାରୁ ବିଲେଇପଦା ଯାଏ ୧୨ କିଲୋମିଟର ରାସ୍ତା ସବୁ ସମୟରେ ପ୍ରବଳ ଜାମ୍‌ ରହୁଛି। ଏପରିକି ବସ୍‌ ଯାତ୍ରୀମାନେ ଅତିଷ୍ଠ ହୋଇ ଉକ୍ତ ୧୨ କିଲୋମିଟର ରାସ୍ତାକୁ ଅତି କଷ୍ଟରେ ପିଲାଛୁଆଙ୍କୁ ଓ ନିଜର ବ୍ୟାଗ ଧରି ଚାଲି ଚାଲି ଆସୁଥିବାର ମଧ୍ୟ ନଜିର ରହିଛି।

ଦୁଃଖର କଥା ଜାତୀୟ ରାଜପଥ ନିର୍ମାଣ କରାଯାଉଥିବା ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବାଡ଼ ଦିଆଯାଉନଥିବାରୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି। ରାସ୍ତାର ଗୋଟିଏ ପାଖରେ ଗାଡ଼ି ଚଳାଚଳ କରୁଥିବାବେଳେ ଅନ୍ୟ ପାଖରେ ୩୦/୪୦ ଫୁଟ ତଳେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି। ଧାରରେ କୌଣସି ସୁରକ୍ଷା ବାଡ଼ ରହୁନି। ୩୦/୪୦ ଫୁଟ ତଳେ କାର୍ଯ୍ୟକରୁଥିବା କର୍ମଚାରୀମାନେ ବିନା ସୁରକ୍ଷା ଉପକରଣରେ କାର୍ଯ୍ୟକରୁଥିବା ଦେଖାଯାଇଛି। ଉକ୍ତ ରାଜପଥ ନିର୍ମାଣ ସମୟରେ ଗମନାଗମନର ସୁବିଧା ଦୃଷ୍ଟିରୁ ଏକାଧିକ ସ୍ଥାନରେ ବାଇପାସ ରାସ୍ତା ବାହାର କରାଯାଇଛି। ହେଲେ ଏହି ବାଇପାସ ରାସ୍ତାରେ ଯାତାୟାତ କରିବା ଅର୍ଥ ମରଣକୁ ଆମନ୍ତ୍ରଣ କରିବା। ସମସ୍ତ ବାଇପାସ୍‌ ରାସ୍ତାକୁ ପିଚୁ କରାଯିବାର ବ୍ୟବସ୍ଥା ଥିଲେ ହେଁ ତାହା କରାଯାଉନାହିଁ। ଏହା ଉପରେ ନିର୍ଭର କରୁଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବୁଝାମଣା ଯୋଗୁ ବାଇପାସ ରାସ୍ତା ନିର୍ମାଣ ନହୋଇ ଫଲ୍ସ ବିଲ କରି କୋଟି କୋଟି ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଠିକାଦାର ଅନେକ ସରକାରୀ ଜାଗାରେ ଜବରଦଖଲ କରି ବେଆଇନ ଭ‌ାବେ ଷ୍ଟକୟ‌ାର୍ଡ କରିବା ଯୋଗୁ ସରକାରଙ୍କ ରାଜସ୍ବ ହାନି ହେଉଛି। ଏକର ଏକର ସରକାରୀ ଜାଗାରେ ବେଆଇନ ଭାବେ ବାଲି, ଚିପ୍ସ, ମେଟାଲ ଷ୍ଟକ ରଖାଯାଇଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର