ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ-୨୬

କୋରାପୁଟ : ଜୟପୁର ସହରର ଆର.କେ. ପାଇକରାୟ। ଗତକାଲି ସନ୍ଧ୍ୟାରେ ଜାତୀୟ ରାଜପଥ-୨୬ରେ ବାଇକରେ ଯାଉଥିଲା ବେଳେ ଜୟପୁର ହାଟପଦା ନିକଟରେ ଦୁର୍ଘଟଣାର ଶୀକାର ହେଲେ। ଘଟଣା ସ୍ଥଳରେ ହିଁ ଜୀବନ ଚାଲିଗଲା। ଏହା କେବଳ ଗୋଟିଏ ଘଟଣା ନୁହେଁ, କୋରାପୁଟ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥରେ ନିତି ଏମିତି ଦୁର୍ଘଟଣା ଘଟୁଛି। ଆଉ ଏହା ପଛର ମୁଖ୍ୟ କାରଣ ରହିଛି କଦର୍ଯ୍ୟ ରାସ୍ତା। କେବଳ ନାମକୁ ମାତ୍ର ଜାତୀୟ ରାଜପଥ କୁହାଯାଉଥିଲା ବେଳେ ପ୍ରକୃତରେ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। ଆଉ ଏଥିରେ ନିତି ଘାଣ୍ଟି ସନ୍ତୁଳି ହେଉଛି ସାରା ଜିଲ୍ଲା।

କୋରାପୁଟ ଦେଇ ଯାଇଛି ଜାତୀୟ ରାଜପଥ-୨୬। ଆନ୍ଧ୍ର ଓ ଛତିଶଗଡ ସହ ଏହି ରାସ୍ତା ଓଡ଼ିଶାକୁ ଯୋଡୁଛି। ଆନ୍ଧ୍ର ପଟୁ ସୁଙ୍କି ଦେଇ ଏହି ରାସ୍ତା ପ୍ରବେଶ କରି ନବରଙ୍ଗପୁରକୁ ଯାଇଛି। ସେହିପରି ବୋରିଗୁମ୍ମାରୁ ଜାତୀୟ ରାଜପଥ କୋଟପାଡ ଦେଇ ଜଗଦଲପୁରକୁ ସଂଯୋଗ କରିଛି। ପଟାଙ୍ଗୀ, ସେମିଳିଗୁଡା, କୋରାପୁଟ, ଜୟପୁର ଦେଇ ଯାଇଛି ଏହି ଜାତୀୟ ରାଜପଥ। ଏହି ରାଜପଥରେ କିନ୍ତୁ ଥରେ ଗଲେ ହନ୍ତସନ୍ତ ହେବା ଥୟ। କେଉଁଠି ବଡ ବଡ ଖାଲ ତ କେଉଁଠି ପିଚୁ ପୂରା ଧୋଇ ଯାଇଛି। କିଛି ସ୍ଥାନରେ ରାସ୍ତାରେ ଟିକିଏ ବି ପିଚୁ ନାହିଁ। ଗାଁ ରାସ୍ତା ପରି ଅବସ୍ଥା। ଫଳରେ ବର୍ଷା ହେଲେ ପାଣିରେ ଭର୍ତ୍ତି ହୋଇ ଯାଉଛି। ଏଥିପାଇଁ ବାରମ୍ବାର ଦୁର୍ଘଟଣା ଘଟୁଛି। ପଟାଙ୍ଗୀରୁ ସେମିଳିଗୁଡା ଆସିବା ବାଟରେ ଅନେକ ସ୍ଥାନରେ ଏମିତି କଦର୍ଯ୍ୟ ରାସ୍ତାର ସାମ୍ନା କରିବାକୁ ପଡିବ। କୋରାପୁଟରୁ ସେମିଳିଗୁଡା ଗଲେ ମଧ୍ୟ ସମାନ ଅବସ୍ଥା। ଜୟପୁରରୁ ବୋରିଗୁମ୍ମା ରାସ୍ତା ତଦ୍ରୁପ। ଦୁଇ କିଲୋମିଟର ଭଲ ରାସ୍ତାରେ ଗଲେ ୫ କିଲୋ ମିଟର ଖାଲରେ ଯିବାକୁ ପଡୁଛି। ସର୍କସରେ ଦେଖାଇଲା ପରି ଗାଡି ଚଳାଇବାକୁ ବାଧ୍ୟ ହେଉଛନ୍ତି ଲୋକେ। ଜାତୀୟ ରାଜପଥର ଅବସ୍ଥା ଏମିତି ହୋଇଥିବାରୁ କୋରାପୁଟବାସୀ ତ୍ରାହି ତ୍ରାହି ଡାକିଲେଣି। ଆଗରୁ ଯେଉଁ ରାସ୍ତା ପାର୍‌ ହେବାକୁ ଅଧା ଘଣ୍ଟା ଲାଗୁଥିଲା, ଏବେ ଘଣ୍ଟାଏ ଲାଗୁଛି। ଫଳରେ ଲୋକେ ଠିକ ସମୟରେ ଯଥା ସ୍ଥାନରେ ପହଞ୍ଚି ପାରୁ ନାହାନ୍ତି। ରାସ୍ତାରେ ବାରମ୍ବାର ଛୋଟବଡ ଦୁର୍ଘଟଣା ହୋଇ ଧନ ଜୀବନ ନଷ୍ଟ ହେଉଛି।

କୋରାପୁଟ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଶୋଚନୀୟ ହୋଇ ପଡିଥିଲା ବେଳେ ଅଧିକାରୀମାନଙ୍କ ଆଖିରେ ଏହା ପଡୁନି। ବରଂ ସେମାନେ ଆଖିରେ ଅନ୍ଧପୁଟୁଳି ବାନ୍ଧି ଲୋକଙ୍କୁ ମରଣ ସହ ଲଢିବାକୁ ଛାଡି ଦେଉଛନ୍ତି। କିଛି ସ୍ଥାନରେ ଜନ ଅସନ୍ତୋଷ ଦେଖା ଦେଲେ ମାଟି ଦୁଇ ମୁଠା ପକାଇ କାମ ସାରି ଦେଉଛନ୍ତି। କିନ୍ତୁ ଗୋଟିଏ ବର୍ଷାରେ ଏହା ଧୋଇ ହୋଇ ଯାଉଛି। ପୁଣି ଖାଲଖମାରେ ଭର୍ତ୍ତି ହୋଇ ଯାଉଛି ରାସ୍ତା। ଲୋକମାନଙ୍କ ପାଖରେ ବିକଳ୍ପ ନ ଥିବାରୁ ବାଧ୍ୟ ହୋଇ ଏଇ ମରଣଯନ୍ତା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କିଛି ଠୋସ ପଦକ୍ଷେପ ନେଉ ନାହାନ୍ତି। ଫଳରେ ଜନ ଅସନ୍ତୋଷ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଅଳ୍ପ ଦିନ ଭିତରେ ଜାତୀୟ ରାଜପଥକୁ ସଜଡା ନ ଗଲେ ବଡ ଧରଣର ଆନ୍ଦୋଳନ କରିବାକୁ ଲୋକେ ଧମକ ଦେଲେଣି।

ସମ୍ବନ୍ଧିତ ଖବର