ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ : ମରଣଯନ୍ତା କରିଦେଲେ

ଅଧପନ୍ତରିଆ ଅବସ୍ଥାରେ ଏକାଧିକ ପ୍ରକଳ୍ପ

ମରାମତି କାମକୁ ଭୁଲିଯାଇଛନ୍ତି
ରାସ୍ତାସାରା ଖାଲଖମା, ଗାଢ଼ରେ ଭର୍ତ୍ତି
ଫେବ୍ରୁଆରି ସୁଦ୍ଧା ବ୍ରାହ୍ମଣୀ ବ୍ରିଜ୍‌: ଏନ୍‌ଏଚ୍‌ କର୍ତ୍ତୃପକ୍ଷ

ଭୁବନେଶ୍ୱର : କେଉଁଠି କିଲୋମିଟର କିଲୋମିଟର ଧରି ରାସ୍ତା ଖାଲଖମାରେ ଭର୍ତ୍ତି। ୬ ଇଞ୍ଚରୁ ଏକ ଫୁଟ ଯାଏ ଗାଡ଼। ଆଉ କେଉଁଠି ଦବିଯାଇଛି। ସ୍ଥିତି ଏତେ ସଙ୍ଗିନ୍‌ ଯେ ଦ୍ରୁତଗାମୀ ଗାଡ଼ି ୪୦କିଲୋମିଟରରୁ ଅଧିକ ବେଗରେ ଯିବା ଏକ ପ୍ରକାର ମୁସ୍କିଲ୍‌। କୌଣସି ଉପାନ୍ତ ଅଞ୍ଚଳର ରାସ୍ତା କଥା କୁହାଯାଉନାହିଁ। ଓଡ଼ିଶା ଦେଇ ଯାଇଥିବା ଅଧିକାଂଶ ଜାତୀୟ ରାଜପଥର ଅବସ୍ଥା ଏମିତି ଶୋଚନୀୟ ହୋଇପ଼଼ଡ଼ିଛି। କେତେ ଅନୁଦାନ ଆସିଛି ଓ କେତେ ପ୍ରକଳ୍ପ କିଏ କରିଛି, ତାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଓ କେନ୍ଦ୍ର-ରାଜ୍ୟ ବୟାନବାଜି ଓ ପରିସଂଖ୍ୟାନ ଫିଙ୍ଗି ଯେଭଳି ବୟାନବାଜି ଚଳାଇଛନ୍ତି, ତା ପଛର ବାସ୍ତବତା ହେଉଛି ଏମିତି।

ପୂର୍ତ ବିଭାଗ ସୂଚନାନୁସାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୧୩ଟି ରାଜପଥ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି। କିନ୍ତୁ ଏଥିମଧ୍ୟରୁ ଏନ୍‌ଏଚ୍‌-୫ ଭୁବନେଶ୍ୱର-ଜଗତ୍‌ପୁର ୩୩ କି.ମି. ବିଶିଷ୍ଟ ଚାରିଥାକିଆ ରାଜପଥ କାର୍ଯ୍ୟ ଏବେ ବି ଅସଂପୂର୍ଣ୍ଣ ରହିଛି। ଏନ୍‌ଏଚ୍‌-୫ଏ ଚଣ୍ଡିଖୋଲ-ପାରାଦୀପ ରାସ୍ତା କଥା ନ କହିବା ଭଲ। ନିକଟରେ ଯାଜପୁର ଯିବା ବେଳେ ଏହି ରାସ୍ତାର ଦୁରାବସ୍ଥା ନେଇ ଖୋଦ୍‌ ଉଦ୍‌ବେଗ ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ଥାନୀୟ ଲୋକେ ତାଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ ଓ ଯାଜପୁର ପେଟ ଉପରେ ଯାଇଥିବା ବ୍ରାହ୍ମଣୀ ପୋଲର ସ୍ଥିତି ସଂପର୍କରେ ତୁରନ୍ତ ପଦକ୍ଷେପ ନେବା ଲାଗି ନିବେଦନ କରିଥିଲେ।

୬ନମ୍ବର ଜାତୀୟ ରାଜପଥ ସମ୍ବଲପୁର-ବରଗଡ଼, ଏନ୍‌ଏଚ୍‌-୨୦୩ ଭୁବନେଶ୍ୱର-ପୁରୀ ରାଜପଥ ପ୍ରକଳ୍ପର ଅବସ୍ଥା ଅଧପନ୍ତରିଆ। ନବକଳେବର ସରିବାର ଏ ମଧ୍ୟରେ ତିନିବର୍ଷ ପୂରିଗଲାଣି। ମାତ୍ର ପୁରୀକୁ ସଂଯୋଗ ହୋଇପାରିଲାନି ୪ ଲେନ୍‌ ରାସ୍ତା। ଏ କ୍ଷେତ୍ରରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ପ୍ରତିଶ୍ରୁତି ପାଣିର ଗାର ଭଳି ହୋଇଛି।

ଅନ୍ୟ୯ଟି ପ୍ରକଳ୍ପ ମଧ୍ୟରୁ ୨ଟି ପ୍ରକଳ୍ପ ସରିବା ଉପରେ। ଗୋଟିକର କାର୍ଯ୍ୟାରମ୍ଭ ହୋଇଛି। ଆଉ ୪ଟିର କାର୍ଯ୍ୟ କେବେ ଆରମ୍ଭ ହେବ ସେ ନେଇ କୌଣସି ତାରିଖ (ଆପଏଣ୍ଟେଡ୍‌) ଘୋଷଣା ହୋଇନାହିଁ। ଏହାଛଡ଼ା, ୬୦୭.୯୯୩ କି.ମି. ବିଶିଷ୍ଟ ୯ଟି ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛି ଏନ୍‌ଏଚ୍‌ଏଆଇ। କିନ୍ତୁ ଏଗୁଡ଼ିକର କେବେ ଟେଣ୍ଡର ହେବ ସେ ସଂପର୍କରେ ନିର୍ଦିଷ୍ଟ ତଥ୍ୟ ମିଳିନାହିଁ।

ଜାତୀୟ ରାଜପଥ ନମ୍ବର ୫୩ ସ୍ଥିତି ଆହୁରି ଗମ୍ଭୀର। ଚଣ୍ଡିଖୋଲ-ଭୁବନ, କାମାକ୍ଷାନଗର-ପର୍ଜଙ୍ଗ ଏବଂ ପାଲଲହଡ଼ାରୁ ରାଉରକେଲା, ଏତେବଡ଼ ଜାତୀୟ ରାଜପଥର ଅଧିକାଂଶ ସ୍ଥାନ ଖାଲଖମାରେ ଭର୍ତି। କିଛି ସ୍ଥାନରେ ରାଜପଥ ବି ଦବିଗଲାଣି। ଏସବୁ ରାସ୍ତାରେ ଉଭୟ ଗାଡ଼ି ଏବଂ ଗାଡ଼ିରେ ବସିଥିବା ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି ଜାତୀୟ ରାଜପଥର ମାତ୍ର ୬୫ କି.ମି. ରାସ୍ତା ( ପିତ୍ରିଛକରୁ ପାଲଲହଡ଼ା।) ରାଜ୍ୟ ସରକାରଙ୍କ ଅଧୀନରେ ଅର୍ଥାତ୍‌ ରାଜ୍ୟ ରାଜପଥର ଅଂଶ କିନ୍ତୁ ଅପେକ୍ଷାକୃତ ଭଲ ରହିଛି।

ରେମୁଳୀ-ବଡ଼ବିଲ-କୋଇଡ଼ା ରାଜପଥର ରକ୍ଷଣାବେକ୍ଷଣ ନିମନ୍ତେ ଅନ୍ୟୂନ ୫ ବର୍ଷ ଧରି ଦାବି ହେଉଛି। ଅଧିକାଂଶ ରାଜପଥର ଅବସ୍ଥା ବର୍ଷ ବର୍ଷ ଧରି ଖରାପ ରହିଛି। ସେଥିପ୍ରତି ଆଖିବୁଜି ଦେଇଛନ୍ତିି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ। ଜାତୀୟ ରାଜପଥ ବୋଲି ରାଜ୍ୟ ସରକାର ମଧ୍ୟ ଦାୟିତ୍ୱ ଝାଡିଦେଇ ବସିଯାଇଛନ୍ତି। ଏସବୁ ରାସ୍ତାର ବିକାଶ ଦିଗରେ କେନ୍ଦ୍ର ଉପରେ ଯେଭଳି ଚାପ ରଖିବା କଥା, ସେ କ୍ଷେତ୍ରରେ ରାଜ୍ୟ ସରକାର ଏକପ୍ରକାର ବିଫଳ ହୋଇଛନ୍ତି।

କେବଳ ସେତିକି ନୁହେଁ, ଟେଣ୍ଡର ଏବଂ କାର୍ଯ୍ୟାନ୍ଵୟନର ତାଲିକା ମଧ୍ୟ ଚିନ୍ତାଜନକ। ଏନ୍‌ଏଚ୍‌ଏଆଇ ଦ୍ୱାରା ଘୋଷିତ ୨୯ କି.ମି. ବିଶିଷ୍ଟ ବୀରମିତ୍ରପୁର-ବ୍ରାହ୍ମଣୀ ବ୍ରିଜ୍‌ ପ୍ରକଳ୍ପକୁ ନେଇ ରାଜ୍ୟ-କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ରାଜନୈତିକ ଲଢ଼େଇ ଏବେ ଥମି ଯାଇଛି। ଏହି ପ୍ରକଳ୍ପ ପାଇଁ ୩୮୧.୭୫ କୋଟି ଟଙ୍କାର ଟେଣ୍ଡର କରାଯାଇଥିଲେ ବି ଏହାର ଆପଏଣ୍ଟେଡ୍‌ ତାରିଖ ଏଯାଏ ଘୋଷଣା ହୋଇନାହିଁ। ଏହି ପ୍ରକଳ୍ପ ରାଉରକେଲା ମହାନଗରକୁ ପ୍ରବେଶ ଦ୍ୱାର ଭାବେ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି।

ଜାତୀୟ ରାଜପଥ ମୁଖ୍ୟ ମହାପ୍ରବନ୍ଧକ୍‌ ଧର୍ମାନନ୍ଦ ଷଡଙ୍ଗୀ ଜାତୀୟ ରାଜପଥର ଶୋଚନୀୟ ସ୍ଥିତିକୁ ଅସ୍ୱୀକାର କରିନାହାନ୍ତି। କହିଛନ୍ତି, ଆସନ୍ତା ବର୍ଷା ଋତୁ ସୁଦ୍ଧା ରାଜ୍ୟର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ, ମରାମତି, ନବୀକରଣ କାର୍ଯ୍ୟ ହେବ। ବ୍ରାହ୍ମଣୀ ବ୍ରିଜ୍‌ ସଂକ୍ରାନ୍ତ ଜଙ୍ଗଲ ମଞ୍ଜୁରି ସଂପର୍କିତ ଆବଶ୍ୟକ କାର୍ଯ୍ୟ ସରିଛି। ଆଗାମୀ ଫେବ୍ରୁଆରି ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ନିଶ୍ଚିତ ରୂପେ ଆରମ୍ଭ ହେବ।

ପରିସଂଖ୍ୟାନ ସୂଚାଉଛି, ରାଜ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଅଧୀନରେ ୧୯୧୨ କି.ମି. ଜାତୀୟ ରାଜପଥ ଥିବା ବେଳେ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି ୨୯୩୫ କି.ମି.। ଏଥିମଧ୍ୟରୁ ୬୬୭ କି.ମି. ଚାରି/ଛଅ ଲେନ୍‌ ରାଜପଥ ସଂପୂର୍ଣ୍ଣ ହୋଇଛି। ପ୍ରାୟ ୮୫୧୦.୭୪ କୋଟି ଟଙ୍କା ବ୍ୟୟରେ ୮୪୦.୬୨୨ କି.ମି. ଦୈଘ୍ୟ ବିଶିଷ୍ଟ ରାଜପଥର ନବୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହାବ୍ୟତୀତ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଆହୁରି ୭୮୮୩.୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ୬୬୬.୩୮୮ ଦୈଘ୍ୟ ରାଜପଥ ନବୀକରଣ ପାଇଁ ଟେଣ୍ଡର ଆହ୍ଵାନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିମଧ୍ୟରୁ କେତେ ଦୈଘ୍ୟ ବିଶିଷ୍ଟ ରାଜପଥର ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ ସେ ନେଇ ତଥ୍ୟ ଚୂଡ଼ାନ୍ତ ହୋଇପାରିନାହିଁ। ଏନ୍‌ଏଚ୍‌ଏଆଇକୁ ୧୨୨୧ କି.ମି. ରାଜପଥ ରାଜ୍ୟ ସରକାର ହସ୍ତାନ୍ତର ଚୂଡ଼ାନ୍ତ ହୋଇଛି। ଏଥିମଧ୍ୟରୁ ପାଖାପାଖି ୫୦୦ କି.ମି. ଚଳିତ ବର୍ଷ ସୁଦ୍ଧା ଏନ୍‌ଏଚ୍‌ଏଆଇ ନେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର