ଦାରିଙ୍ଗବାଡ଼ି : ଝିଞ୍ଜିରିଗୁଡ଼ା-କାଟିଙ୍ଗିଆ ପ୍ରଧାନମନ୍ତ୍ରୀ ସଡ଼କ ଏବେ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ ଗ୍ରାମବାସୀଙ୍କ ଯାତାୟାତ ନିମନ୍ତେ ମରଣଯନ୍ତା ପାଲଟିଛି। ଚାରିଚକିଆ ଯାନ କୌଣସି ମତେ ରାସ୍ତାରେ ଯାତାୟାତ କରୁଥିବା ବେଳେ ବାଇକ୍ ଓ ଅଟୋ ଯାତାୟାତରେ ବାଧା ଉପୁଜିଛି। ମୁଖ୍ୟତଃ ଗ୍ରାମାଞ୍ଚଳର ଜନସାଧାରଣ ରୋଗବ୍ୟାଧି ହେଲେ କିମ୍ବା ଜରୁରୀ ପରିସ୍ଥିତିରେ ପ୍ରାୟତଃ ଅଟୋ ଉପରେ ନିର୍ଭର କରୁଥିବା ବେଳେ ଏହି ରାସ୍ତାରେ ଯିବା ସେମାନଙ୍କ ପାଇଁ କାଠିକର ହୋଇପଡ଼ିଛି। ଅଞ୍ଚଳବାସୀଙ୍କ କହିବା କଥା ରୋଗୀ, ବୃଦ୍ଧବୃଦ୍ଧା ଓ ଗର୍ଭବତୀ ଚିକିତ୍ସା ପାଇଁ ଅଟୋରେ ବ୍ରାହ୍ମଣୀଗାଁ ଡାକ୍ତରଖାନାକୁ ଆସୁଥିବା ବେଳେ ରାସ୍ତା ଖରାପ ଯୋଗୁଁ ଛେଚି କଚାଡ଼ି ହୋଇ ଯାଉଛନ୍ତି। ପଞ୍ଚାୟତବାସୀଙ୍କ ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ, ବାଲିଗୁଡ଼ା ନିର୍ବାହୀଯନ୍ତ୍ରୀ ଓ ଜନପ୍ରତିନିଧିଙ୍କୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା କହିଛନ୍ତି।
ସୂଚନାଯୋଗ୍ୟ ଯେ, ଝିଞ୍ଜିରିଗୁଡ଼ା ପୂର୍ତ୍ତବିଭାଗ ରାସ୍ତା ଠାରୁ କାଟିଙ୍ଗିଆ ରାସ୍ତାର ଦୂରତା ୧୨.୬୬ କିମି.। ଏହି ରାସ୍ତା ଉପରେ ଝିଞ୍ଜିରିଗୁଡ଼ା, କୁମ୍ଭାରିଗାଁ ଓ କାଟିଙ୍ଗିଆ ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି। ଗ୍ରାମବାସୀ ବହୁ ଅଭିଯୋଗ ପରେ ୨୦୨୨ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପିଚୁ କାମ ଆରମ୍ଭ କରାଯାଇଥିଲା। ହେଲେ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ଠିକାଦାର ପ୍ରାୟ ୫ କିମି. ରାସ୍ତା ପିଚୁ କାମ କରି ଛାଡ଼ି ଦେଇଛନ୍ତି। ବଳକା ୭ କିମି. ରାସ୍ତାର ପିଚୁ ଓ ଗୋଡ଼ି ଉଠିଯାଇ ଖାଲଖମା ହୋଇରହିଛି।
ଖବର ନେବାରୁ ଜଣାପଡ଼ିଛି ଯେ, ବ୍ରାହ୍ମଣୀଗାଁରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସେକ୍ସନ ଅଫିସ୍ ରହିଥିବା ବେଳେ ୨୦୧୪ରୁ ଏଠାରେ କନିଷ୍ଠଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଦାରିଙ୍ଗବାଡ଼ି ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ବ୍ରାହ୍ମଣୀଗାଁ ସେକ୍ସନ କାର୍ଯ୍ୟାଳୟର ଦୂରତା ପ୍ରାୟ ୪୦ କିମି.। ଏଠାରେ ଜଣେ ମାତ୍ର କନିଷ୍ଠଯନ୍ତ୍ରୀ ନିଯୁକ୍ତି ପାଇ ଉଭୟ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ସେକ୍ସନ ଦାୟିତ୍ୱରେ ରହିଛନ୍ତି। ଫଳରେ ଉପାନ୍ତ ଅଞ୍ଚଳର ରାସ୍ତା ତଦାରଖ କରି ପାରୁନଥିବା ଜଣାପଡ଼ିଛି। ତେଣୁ ଅତି ଶୀଘ୍ର ବ୍ରାହ୍ମଣୀଗାଁ ସେକ୍ସନରେ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ସହ ଝିଞ୍ଜିରିଗୁଡ଼ା-କାଟିଙ୍ଗିଆ ରାସ୍ତାର ବାକି ରହିଥିବା ୭ କି.ମି ରାସ୍ତାକୁ ପକ୍କା କରିବାକୁ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି।