ପରୀକ୍ଷା ପାଇଁ ଜୀବନବାଜି : ବିପଦସଙ୍କୁଳ ଅବସ୍ଥାରେ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ

ଭରାନଈରେ କୁମ୍ଭୀର ଭୟ

ରାଜନଗର : ମାଟ୍ରିକ୍‌ କେନ୍ଦ୍ର ଚୟନରେ ଅବ୍ୟବସ୍ଥା ଯୋଗୁ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଉଛନ୍ତି। ଭରା ନଈରେ କୁମ୍ଭୀର ଯୋଗୁ ମନରେ ଭୟ, ତଥାପି ପାଣିରେ ପଶି ଆସିବାକୁ ପଡ଼ୁଛି। ଏହି ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ଏକମାଣିଆ ହାଇସ୍କୁଲରେ ପଢ଼ୁଛନ୍ତି। ସେମାନଙ୍କ ସଂଖ୍ୟା ୪୦। ଏହି ଛାତ୍ରଛାତ୍ରୀମାନେ ରାଜନଗର ବ୍ଲକର କେରଡ଼ାଗଡ଼ ସ୍ଥିତ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଛନ୍ତି। ବ୍ରାହ୍ମଣୀ ନଦୀର ଆଳି ବ୍ଲକର ଏକମାଣିଆ ପଟୁ କାଦୁଅରେ ୧୦୦ ମିଟର ଆସିବା ପରେ ଡଙ୍ଗାରେ ବସୁଛନ୍ତି । ସେଠାରୁ ଡଙ୍ଗାରେ ଆସି କୂଳ ଠାରୁ ୫୦୦ ମିଟର ଦୂରରେ ନଦୀ ମଧ୍ୟରେ ଓହ୍ଲାଉଛନ୍ତି। ଏହି ନଈରେ କୁମ୍ଭୀର ଭୟ ରହିଛି। ଏଥିପାଇଁ ଭୟ ରହିଥିଲେ ମଧ୍ୟ ପରୀକ୍ଷା ପାଇଁ ଆସିବାକୁ ପଡ଼ୁଛି ବୋଲି କହିଛନ୍ତି ଅର୍ଚ୍ଚନା ବେହେରା, ସୁଚିତ୍ରା ରାଉତ, ସୁନୀଲ ମାହୁନ୍ତ, ରଶ୍ମିତା ପରିଡା ପ୍ରମୁଖ ପରୀକ୍ଷାର୍ଥୀ।

ଗତବର୍ଷ ବି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏନେଇ ଖବର ପ୍ରସାରଣ ପରେ ପ୍ରତିକାର ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଏ ବର୍ଷ ବି ପ୍ରଶାସନ ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝିଲାନି ବୋଲି ଅଭିଭାବକ ମାନେ କ୍ଷୋଭର ସହ କହିଛନ୍ତି।

ଅସ୍ତରଙ୍ଗ : ଚଳିତବର୍ଷ ହାଇସ୍କୁଲ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଅସ୍ତରଙ୍ଗ ବ୍ଲକ୍‌ରେ ଅସ୍ତରଙ୍ଗ ହାଇସ୍କୁଲ, ଐଶାନେଶ୍ୱର ବିଦ୍ୟାପୀଠ, ପାଟଳଦା ହାଇସ୍କୁଲ, ସୁରେନ୍ଦ୍ରନାଥ ବିଦ୍ୟାପୀଠ ଓ ଜନତା ହାଇସ୍କୁଲରେ ୨୨ଟି ସ୍କୁଲର ପିଲା ପରୀକ୍ଷା ଦେଉଛନ୍ତି। ପ୍ରଥମଦିନ ପରୀକ୍ଷା ସୁରୁଖୁରୁରେ ହୋଇଥିଲେ ମଧ୍ୟ କେତେକ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ବିପଦସଂକୁଳ ଭାବେ ନଦୀ ପାର ହୋଇ ଯିବାକୁ ପଡ଼ିଛି। ତାଳଦା ପଢ଼ିଆରୀ ବିଦ୍ୟାପୀଠର ୪୦ ଜଣ ଛାତ୍ରଛାତ୍ରୀ ଆଜି ଦେବୀ ନଦୀରେ ବିପଦପୂର୍ଣ୍ଣ ଅବସ୍ଥାରେ ଡଙ୍ଗାରେ ପାରିହୋଇ ପ୍ରାୟ ୧୫ କିମି ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଛନ୍ତି। ନଦୀ ଓ ଡଙ୍ଗା ବିନା ଅନ୍ୟ କୌଣସି ସାଧନା ନଥିବାରୁ ବର୍ଷ ବର୍ଷ ଧରି ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଦେବୀ ନଦୀ ପାରିହେବା ପରେ ନିକଟରେ ଐଶାନେଶ୍ବର ବିଦ୍ୟାପୀଠ, ଅସ୍ତରଙ୍ଗ ହାଇସ୍କୁଲ ଓ ପାଟଳଦା ହାଇସ୍କୁଲ ପରୀକ୍ଷା କେନ୍ଦ୍ର ରହିଛି। ତାଳଦା ପଞ୍ଚାୟତରେ ଥିବା ପରୀକ୍ଷାର୍ଥୀ ଏହି ନଦୀ ପାରି ହେଲେ ପରୀକ୍ଷା କେନ୍ଦ୍ରକୁ ଯାଇଥାନ୍ତି। କେବଳ ନଦୀ ପାରି ହେବା ଏକମାତ୍ର ସମସ୍ୟା ନୁହେଁ, ଗମନାଗମନ ବ୍ୟବସ୍ଥା ଅଭାବରୁ ଖଣ୍ଡାସାହି ଘାଟକୁ ଛାତ୍ରଛାତ୍ରୀମାନେ ଯାଇ ପହଞ୍ଚିବା ମଧ୍ୟ କଷ୍ଟକର ହେଉଛି।

ସମ୍ବନ୍ଧିତ ଖବର