ଗୋପ : ଧନୁଆ ନଦୀ ଉପରେ ନିର୍ମିତ ବୋଇତଭଙ୍ଗା ସେତୁ ନିକଟରେ ଥିବା କାଠପୋଲଟି ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି। ଗତ ଲଗାଣ ବର୍ଷା ସମୟରେ ପୋଲଟି ବୁଡ଼ି ଯାଇଥିବା ବେଳେ ଏବେ ଏହା ଗୋଟିଏ ପାର୍ଶ୍ବକୁ ଢଳି ରହିଛି। ଏହି ସେତୁର କାଠ ଏବଂ ପଟା ବର୍ଷା ପାଣିରେ ଧୋଇ ହୋଇଯାଇଛି। ଫଳରେ ପୋଲଟି ଏବେ ଭୁଶୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ସେତୁ ଉପରେ ୧୦ଟି ପଞ୍ଚାୟତର ପ୍ରାୟ ୩୦ ହଜାର ଲୋକ ନିର୍ଭର କରିଥାନ୍ତି। ବିଶେଷ କରି ଗଣେଶ୍ବରପୁର, ଡଭାର, ରାହାଙ୍ଗରଡା ଭଳି ପଂଚାୟତର ଜନସାଧାରଣ ଲଳିତାପହଣ୍ତି ହାଟରୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଏହି ପୋଲ ଦେଇ ଯାଉଥିବାରୁ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପୋଲ ଦେଇ ସାଇକେଲ୍ ଓ ବାଇକ୍‌ ଆରୋହୀ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରା କରୁଛନ୍ତି।

Advertisment

publive-imageସୂଚନାଯୋଗ୍ୟ, ଏହି ସ୍ଥାନରେ ଏକ ସେତୁ ନିର୍ମାଣ ପାଇଁ ୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ଏହା ଭିତରେ ଦଶ ବର୍ଷ ବିତି ଯାଇଥିଲା ବେଳେ ଦୁଇ ଦୁଇ ଥର ଟେଣ୍ତର ହୋଇ ସୁଦ୍ଧା ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ବିଭାଗ ପକ୍ଷରୁ ଜମିଜମା ସମସ୍ୟା କୁହାଯାଇ ସମୟ ଗଡ଼ାଇ ଦିଆଯାଉଥିବା ବେଳେ ତତ୍‌କାଳୀନ ତହସିଲଦାର ଦୁର୍ଗାଚରଣ ମୁର୍ମୁଙ୍କ ସମୟରେ ଏହି ଜମି ସମସ୍ୟାର ଅନ୍ତ ହୋଇଥିଲା। ମାତ୍ର ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଛି। ଫଳରେ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେତୁ କାର୍ଯ୍ୟ ସରିନଥିବାରୁ ଲୋକମାନେ ବାଧ୍ୟ ହୋଇ ଏହି କାଠ ପୋଲ ଉପରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ମାତ୍ର ଏବେ ବର୍ଷା ଦିନ ଚାଲୁଥିବାରୁ ଲୋକମାନେ ଜୀବନକୁ ବାଜି ଲଗାଇ ଏହି କାଠପୋଲ ଦେଇ ଯିବା ଆସିବା କରୁଛନ୍ତି। ତୁରନ୍ତ ଏହି କାଠପୋଲ ମରାମତି କରାଯିବାକୁ ନୂଆଖୋଲମରା ପଂଚାୟତର ଯୁବନେତା ସ୍ବରାଜ ମହାନ୍ତିଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।