ଘୁ.ଉଦୟଗିରି: ଜାତୀୟ ରାଜପଥ ବିଭାଗ ତରଫରୁ ଏକ ବେସରକାରୀ ଠିକା ସଂସ୍ଥା ଦ୍ୱାରା ଅତିଶୀଘ୍ର ଯାନବାହନ ଚଳାଚଳ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ କଳିଙ୍ଗା ଘାଟିରେ ଅସ୍ଥାୟୀ ରାସ୍ତା ତିଆରି କରାଯାଉଛି। ସୋମବାର ଠାରୁ ଭୂସ୍ଖଳନ ସ୍ଥାନରେ ଜାତୀୟ ରାଜପଥ ବିଭାଗର କେହି ମଧ୍ୟ ଅଧିକାରୀ ନ ଥିବା ବେଳେ ଠିକା ସଂସ୍ଥାର ଶ୍ରମିକ କାମ କରୁଥିବା ଦେଖିବାକୁ ମିଳିଛି। ଯେଉଁ ସ୍ଥାନରେ ଶ୍ରମିକ କାମ କରୁଛନ୍ତି ଠିକ୍ ସେହି ସ୍ଥାନର ପାହାଡ଼ ଉପରେ ବିପଦସଙ୍କୁଳ ଅବସ୍ଥାରେ ଏବେ ବି ବଡ଼ବଡ଼ ପଥର ଅଟକି ରହିଛି। ବିଭାଗୀୟ ଯନ୍ତ୍ରୀ ତଥା ଉଚ୍ଚପଦସ୍ଥ ଅଧିକାରୀ ଉକ୍ତ ଭୟଙ୍କର ପରିସ୍ଥିତି ବିଷୟରେ ଅବଗତ ଥାଇ ମଧ୍ୟ ବିପଦପୂର୍ଣ୍ଣ ଭାବେ ନିର୍ମାଣ କାମ ଚାଲିଛି। ଭୂସ୍ଖଳନ ସ୍ଥାନର ଦୃଶ୍ୟକୁ ଦେଖିଲେ କେହି ବି ଭୟ କରୁଛନ୍ତି। କିନ୍ତୁ ସେହି ସ୍ଥାନରେ ଅସୁରକ୍ଷିତ ଭାବେ ଶ୍ରମିକ କାମ କରୁଛନ୍ତି। କେତେବେଳେ ଯଦି ପଥର ଖସି ଆସେ ତେବେ ସୁନିଶ୍ଚିତ ଅଘଟଣ ଘଟିପାରେ।
ସରକାରୀ ନିୟମ ଅନୁସାରେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନଜୀବନ ସୁରକ୍ଷା ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ଭାବେ ନିୟମ ରହିଛି କି ପ୍ରଥମେ ସ୍ଥାନଟିକୁ ସୁରକ୍ଷିତ କରିବା ପରେ ନିର୍ମାଣ କାମ କରାଯିବ। କିନ୍ତୁ କଳିଙ୍ଗା ଘାଟିରେ ଅତିଶୀଘ୍ର ଯାନବାହାନ ଚଳାଚଳ ପାଇଁ ସୁରକ୍ଷାକୁ ଦୃଷ୍ଟି ନ ଦେଇ ଜାତୀୟ ରାଜପଥ ବିଭାଗ ଅଧିକାରୀ କାର୍ଯ୍ୟ ଜାରି ରଖିଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ଯେଉଁ ଅସ୍ଥାୟୀ ରାସ୍ତା ତିଆରି ହେଉଛି ଯଦି ଅଟକି ରହିଥିବା ପଥର ପାହାଡ଼ରୁ ଖସି ଆସେ ତେବେ ଖର୍ଚ୍ଚ ହୋଇଥିବା ଧନ ଓ ଶ୍ରମିକମାନଙ୍କ ଜୀବନ ଅସୁରକ୍ଷିତ ଥିବା ଆଶଙ୍କା ରହିଛି। ଭୂସ୍ଖଳନ ସ୍ଥାନରେ ଅସ୍ଥାୟୀ ରାସ୍ତା ନିର୍ମାଣ ସରିଗଲେ ମଧ୍ୟ ପାହାଡ଼ ଉପରେ ବିପଦସଙ୍କୁଳ ଅବସ୍ଥାରେ ବିଶାଳକାୟ ପଥରଗୁଡ଼ିକ ସ୍ଥାନାନ୍ତର ନକରିବା ଯାଏଁ ଯାନବାହନ ଚଳାଚଳ ସମ୍ଭବ ନୁହେଁ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି। ସେହିଭଳି ପାହାଡ଼ରୁ ଏତେ ବଡ଼ ବଡ଼ ପଥର ତଳକୁ ଖସିଲେ କାମ ଚାଲିଥିବା ରାସ୍ତା ପୁଣି ନଷ୍ଟ ହୋଇଯିବା ସମ୍ଭାବନା ଥିବା ସତ୍ତ୍ୱେ ପଥର ସ୍ଥାନାନ୍ତର ନକରି ପୁନଃନିର୍ମାଣ ଜାରି ରଖିବା କେତେ ଯୁକ୍ତିସଙ୍ଗତ ବୋଲି ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି।