୨୦ ବର୍ଷ ପରେ ଭୋଟ୍‌ଦେଲେ ନିୟମଗିରିର ଡଙ୍ଗରିଆ: ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରିଗଲେ ପୋଲିଂ କର୍ମଚାରୀ!

ଲାଞ୍ଜିଗଡ଼: ରାଜ୍ୟର ବିଭିନ୍ନ ଅଞ୍ଚଳ‌ର ଆଦିବାସୀମ‌ାନେ ମତଦାନ କରି ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳୁଛି। ଏହା ହିଁ ଗଣତାନ୍ତ୍ରିକ ପରମ୍ପରାର ବିଜୟ! ଏବଂ, ଏଥିରେ ସାମିଲ୍‌ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ନିୟମଗିରି ପାହାଡ଼ ପାଦଦେଶରେ ଥିବା ତ୍ରିଲୋଚନପୁରର ଡଙ୍ଗରିଆମାନେ। ଦୀର୍ଘ ୨୦ ବର୍ଷ ପରେ ସେମାନେ ମତଦାନ କରିଛନ୍ତି। ୨୦୦୨ ମସିହାରେ ତ୍ରିଲୋଚନପୁର ପଞ୍ଚାୟତ ପ୍ରତିଷ୍ଠା ଲାଭ କରିଥିଲା। ଏହି ପଞ୍ଚାୟତ ଲାଞ୍ଜିଗଡ଼ଠାରୁ ୨୭ କିଲୋମିଟର ଦୂରରେ ଅବସ୍ଥିତ। ମାତ୍ର, ପଞ୍ଚାୟତ ପ୍ରତିଷ୍ଠା ହେବାଦିନଠାରୁ ଏଠାରେ ନିର୍ବାଚନ ହେଉନଥିଲା। ଏହା ଏକ ମାଓପ୍ରଭାବିତ ଅଞ୍ଚଳ ହୋଇଥିବାରୁ କେବଳ ମନୋନୟନ ଭିତ୍ତିରେ ପ୍ରତିନିଧି ବଛାଯାଉଥିଲା। ଚଳିତଥର କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ୨ ଜଣ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ୩ ଜଣ ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ଯେଉଁଥିପାଇଁ ଭୋଟ୍‌ ଗ୍ରହଣ କରାଯାଇଥିଲା। ସୂଚନା ଅନୁସାରେ, ପଞ୍ଚାୟତରେ ୧୧ଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଥିବା ବେଳେ ୧୦୮୦ ଭୋଟର ଅଛନ୍ତି। ତନ୍ମଧ୍ୟରୁ ଆଜି ୯୮୨ଜଣ ନିଜ ମତ ସାବ୍ୟସ୍ତ କରିଥିଲେ। ତେବେ, ଅମଠାପଦରର ୧ନଂ ବୁଥ୍‌ରେ ପୋଲିଂ ପାର୍ଟି ନିର୍ଦ୍ଧାରିତ ସମୟ ପୂର୍ବରୁ ପୋଲିଂ ବୁଥ୍‌ ବନ୍ଦ କରି ପଳାଇ ଯାଇଥିଲେ। ତେଣୁ କିଛି ଭୋଟର ବୁଥ୍‌ରୁ ଫେରିଯାଇଥିଲେ ବୋଲି ସରପଞ୍ଚ ପ୍ରାର୍ଥୀ ସୋନାଲି ମାଝୀ ଅଭିଯୋଗ କରିଛନ୍ତି। ସେହିପରି ନିୟମଗିରି ପାହାଡ଼ର ପାଦଦେଶରେ ଥିବା ଅତି ସମ୍ବେଦନଶୀଳ ୨ଟି ବୁଥ୍‌ ହରଡ଼ାଗୁଡା ଓ ଫୁଲଡୁମେରକୁ ତ୍ରିଲୋଚନପୁର ଗ୍ରାମରେ ସ୍ଥାପନ କରାଯାଇଥିଲା। ତ୍ରିଲୋଚନପୁର ପଞ୍ଚାୟତରେ ୮୨ ପ୍ରତିଶତରୁ ଅଧିକ ଭୋଟ୍‌ ପଡିଛି ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ୧୧ଟି ବୁଥ୍‌କୁ ପୁଲିସର ସୁରକ୍ଷା ବଳୟ ଭିତରେ ରଖା ଯାଇଥିଲା। ଏଠାରେ ନିର୍ବାଚନ କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ଥିଲା; ଯାହା ଜନସାଧାରଣଙ୍କ ସହାୟତାରେ ସଫଳ ହୋଇଛି ବୋଲି ଉପ ଜିଲ୍ଲାପାଳ ବିଶ୍ୱଜିତ ଦାସ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପଞ୍ଚାୟତ ଅନ୍ତର୍ଗତ ୧୧ଜଣ ୱାର୍ଡସଭ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର