ଜୟପାଟଣା : ପାଣିର କାହାଣୀ ସାଙ୍ଗରେ ସିଧାସଳଖ ଜଡ଼ିତ ଥିବା ଡଙ୍ଗରୀଗୁଡ଼ା ଗାଁର ଅଧିବାସୀଙ୍କୁ ତିନି କିମି ଅତିକ୍ରମ କରି ନବରଙ୍ଗପୁର ଜିଲ୍ଲାର ଡାକୁଳଗୁଡ଼ାରୁ ପାଣି ଆଣିବାକୁ ପଡୁଥିଲା। କୋଡ଼ିଏ ବର୍ଷ ଧରି ପାହାଡ଼ ଉପରେ ସଂଘର୍ଷମୟ ଜୀବନ ବିତାଇବା ପରେ ଆଠଟି ପରିବାର ପାହାଡ଼ ତଳକୁ ଓହ୍ଲାଇ ଏକ ଘଞ୍ଚ ଅରଣ୍ୟ ମଧ୍ୟରେ ଛୋଟ ଏକ ଝରଣାର ଜଳ ଉତ୍ସକୁ ଦେଖି ଗାଁ ବସାଇ ଦେଲେ। ବର୍ଷାରେ ଗୋଳିଆ ପାଣି ଓ ଖରାଦିନେ ବାଲିଚୁଆ ସେମାନଙ୍କ ପାଇଁ ପାଲଟିଲା ଜୀବନଦାୟିନୀ। ଜୀବନ ପ୍ରବାହରେ ବିଜୁଳି, ପାଣି, ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, ଚାଉଳ ଭଳି ସମସ୍ତ ପ୍ରକାର ଆବଶ୍ୟକତା ସାଙ୍ଗରେ ସାତବର୍ଷ ଧରି ଏକ ଦୁର୍ବିସହ ଶୈଳୀରେ ଜୀବନ ବିତାଇବାକୁ ପଡ଼ିଲା। ଗାଁକୁ ପାହାଡ଼ି ସଡ଼କ ଦେଇ ପହଂଚିଲା ବେଳକୁ ଅପରିବର୍ତ୍ତିତ ଥିଲା ସେମାନଙ୍କର ବଂଚିବାର ଶୈଳୀ। ୨୦୧୪ ମସିହା ଗାଁ ବସାଇବା ବେଳକୁ ସେମାନେ ବହୁତ ଉତ୍ସାହିତ ଥିଲେ। କିନ୍ତୁ ସାତବର୍ଷର ଅବଧି ମଧ୍ୟରେ ଏମାନଙ୍କ ପାଇଁ ଚିନ୍ତା କରିବାକୁ କେହି ଆସି ନଥିବା ଲୋକେ ପ୍ରକାଶ କରନ୍ତି।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଧନଶୂଳି ପଂଚାୟତର ପାହାଡ଼ ଉପରେ ଅବସ୍ଥିତ ଡଙ୍ଗରୀଗୁଡ଼ା ଗାଁ। ବାରଟି ପରିବାର ସମସ୍ତ ପ୍ରତିକୂଳ ଅବସ୍ଥାକୁ ସହ୍ୟ କରି ଅବସ୍ଥାନ କରିବା ପରେ ୨୦୧୪ ମସିହାରେ ଆଠଟି ପରିବାର ଜୀବନ ଶୈଳୀରେ ସାମାନ୍ୟ ପରିବର୍ତନ ଆଣିବା ପାଇଁ ଘାଟି ତଳରେ ପୁଣି ଏକ ଜଙ୍ଗଲୀ ଜୀବନ ଆରମ୍ଭ କରିଦେଲେ। ନୂଆ ବସତିରେ ସାତବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ଏମାନଙ୍କ ମୌଳିକ ଆବଶ୍ୟକତା ପ୍ରତି କେହି ମଧ୍ୟ ଦୃଷ୍ଟି ଦେଇ ନଥିବା ଗାଁ ଲୋକ ଅଭିଯୋଗ କରନ୍ତି। ପ୍ରଶାସନ ଏହି ଗାଁ ପାଇଁ ଦୂରତା ରଖି ଆସିଥିବା ବେଳେ ‘ସମ୍ବାଦ’ ପୃଷ୍ଠାରେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଅନବରତ ଚେଷ୍ଟା ଲାଗିରହିଛି। ଏମାନଙ୍କ ପାଇଁ ‘ସମ୍ବାଦ’ ପୃଷ୍ଠାରେ ପ୍ରଥମ ଖବର ପାଣି ପାଇଁ ତିନିଘଂଟା, ଚାଉଳ ପାଇଁ ସତର କିମି ଶୀର୍ଷକ ପ୍ରକାଶିତ ହେବା ପରେ ତାହା ଜାତୀୟ ମାନବ ଅଧିକାର କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପରବର୍ତୀ ୧୫ ଜାନୁଆରି ୨୦୧୪ ମସିହାରେ ଦୁର୍ବିସହ ଜୀବନ ଯାତ୍ରାର କୋଡ଼ିଏ ବର୍ଷ ପ୍ରକାଶିତ ହେବା ପରେ ଧର୍ମଗଡ଼ ଉପଜିଲ୍ଲାପାଳ ଲାଲ ମନୋଜ ରାୟଙ୍କ ନିଜେ ପରିଦର୍ଶନ କରି ଲୋକଙ୍କୁ କିଛିଟା ଆଶ୍ୱାସନା ଦେଇଥିଲେ। ସେହି ସମୟରେ ‘ସମ୍ବାଦ’ରେ ଉଇଁଲା ଡଙ୍ଗରୀଗୁଡ଼ିଆଙ୍କ ପାଇଁ ସମ୍ଭାବନାର ସୂର୍ଯ୍ୟ ପ୍ରକାଶ ପ୍ରକାଶିତ ହୋଇ ଲୋକଙ୍କ ଆଲୋଚନାର ପରିଧି ମଧ୍ୟରେ ରହିଥିଲା। ଉପଜିଲ୍ଲାପାଳଙ୍କ ବଦଳି ପୁଣି ଥରେ ଗାଁର ବିକାଶକୁ ନେଇ ପ୍ରଶ୍ନବାଚୀ ମଧ୍ୟକୁ ଟାଣି ନେଲା। ଏବେ ଲୋକେ ବିକାଶ ଧାରାକୁ ନିକଟରୁ ଦେଖୁଥିବା ବେଳେ ଡଙ୍ଗରୀଗୁଡ଼ା ଓ ତଳଡଙ୍ଗରୀଗୁଡ଼ା ଗାଁ ପାଇଁ ସ୍ଥାନୀୟ ପ୍ରଶାସନ ସହଯୋଗର ହାତ ବଢ଼ାଇବାକୁ ଦାବି ହେଉଛି।