ଚଢେ଼ଇଧରା : ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ନିର୍ଦେଶ ପରେ ଯାଜପୁର ଜିଲ୍ଲା ପ୍ରଶାସନ ଚେଇଁଛି। ପୂରା ଡଙ୍କାରୀ ପାହାଡ଼କୁ ସିଲ୍ କରିଦେଇଛି। ୬ଟି ଯାକ ଲିଜ୍କୁ ବାତିଲ କରିଛି। କେବଳ ସେତିକି ନୁହେଁ ୧୪୪ ଧାରା ଜାରି କରି ନାଲି ପତାକା ଉଡ଼ାଇଛି ପ୍ରଶାସନ। ୩ ଟି କ୍ରସରକୁ ମଧ୍ୟ ଭାଙ୍ଗି ଦେଇଛି। ରାସ୍ତାକୁ ବୁଲଡୋଜର ଲଗାଇ ତାଡ଼ି ଦେଇଛି। କ୍ରସରରେ ଯାହା କିଛି ପଥର ଗଚ୍ଛିତ ଥିଲା, ତାହାର ଆକଳନ ପାଇଁ କୁହାଯାଇଛି।
ସୋମବାର ସକାଳୁ ସକାଳୁ ଅତର୍କିତ ଭାବେ ଯାଜପୁର ଜିଲ୍ଲାପାଳ ର˚ଜନ କୁମାର ଦାସ ଓ ଏସ୍ପି ଚରଣ ସି˚ ମୀନାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତିନି ପ୍ଲାଟୁନ ଫୋର୍ସ ସହ ଜିଲ୍ଲା ପ୍ରଶାସନ ଡଙ୍କାରୀ ପାହାଡ଼ରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଡଙ୍କାରୀ ପାହାଡ଼ ଶୂନ୍ଶାନ ଥିଲା। କୌଣସି କ୍ରସର ଚାଲୁ ନଥିଲା। ୨, ୩, ୪, ୫, ୬ ଓ ୧୧ନ˚ କ୍ବାରିର ଲିଜ୍କୁ ବାତିଲ କରିବା ସହିତ ନୋଟିସ୍ ଝୁଲାଇ ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ ଖାଦାନଗୁଡ଼ିକ ସ˚ଯୋଗ କରୁଥିବା ରାସ୍ତାକୁ ଜେସିବି ମେସିନ ଲଗାଇ ତାଡ଼ି ଦିଆଯାଇଛି। ବିଦ୍ୟୁତ୍ ସେବା ମଧ୍ୟ ବିଚ୍ଛିନ୍ନ କରିଦିଆଯାଇଛି। ବିଦ୍ୟୁତ ଖୁଣ୍ଟଗୁଡ଼ିକ ମେସିନ ଦ୍ବାରା ଭା˚ଗିବା ସହ ତାରଗୁଡ଼ିକୁ କାଟି ଦିଆଯାଇଛି। ପଥର ଓଜନ ପାଇଁ ବ୍ୟବହୃତ କଣ୍ଟାକୁ ମଧୢ ପ୍ରଶାସନ ପକ୍ଷରୁ ଉପାଡ଼ି ଫିଙ୍ଗି ଦିଆଯାଇଛି। ଏତେସବୁ କାର୍ଯ୍ୟ ଚାଲୁଥିଲେ ବି କୌଣସି ଜଣେ ହେଲେ ଲିଜ୍ଧାରୀ ସେଠାକୁ ଆସି ନଥିଲେ କି ପ୍ରଶ୍ନ ମଧ୍ୟ କରି ନଥିଲେ। ଯାହା ଜଣାପଡ଼ୁଥିଲା ସେମାନେ ପୂର୍ବରୁ ଖବର ପାଇସାରିଥିଲେ।
ଅନ୍ୟପକ୍ଷରେ, ଆଜି ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀ ଲିଜ୍ ବାତିଲ ଓ ୧୪୪ ଧାରା ବିଷୟ ଗଣମାଧୢମକୁ ଜଣାଇଥିଲେ ମଧୢ ବାତିଲର ନିର୍ଦ୍ଦିଷ୍ଟ କାରଣ ବିଷୟରେ ସୂଚନା ଦେଇ ନଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା ସୂଚନା ଦେଇଥିଲେ। ପ୍ରଶାସନ ପକ୍ଷରୁ ୩ଟି କ୍ରସର ଉପରେ ଚଢ଼ଉ କରାଯାଇଥିଲା। ପର୍ଯ୍ୟାୟ କ୍ରମେ କ୍ରସରଗୁଡ଼ିକ ଉପରେ ଚଢ଼ଉ କରାଯିବ ବୋଲି ସୂଚନା ମିଳିଛି। ଡଙ୍କାରୀରେ ଲିଜ ବାତିଲ ପରେ ଭୂତଳ ଗଚ୍ଛିତ ଅଶୋଧିତ ତୈଳ ଭଣ୍ତାର କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଅନୁମାନ କରାଯାଉଛି।
ଆଜିର ଡଙ୍କାରୀ ପାହାଡ଼ ସିଲ ଅଭିଯାନରେ ଜିଲ୍ଲାପାଳ, ଏସ୍ପିଙ୍କ ସହ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରତାପ ମହାନ୍ତି, ଡିଡି ମାଇନି˚ ଅଫିସର ଅସିତ କୁମାର ବେହେରା, ଧର୍ମଶାଳା ତହସିଲଦାର ଶୀତଲ ଅଗ୍ରଵାଲ, ରସୁଲପୁର ତହସିଲଦାର, ଦର୍ପଣ ତହସିଲଦାର, ବନ ବିଭାଗ କଟକ ବନଖଣ୍ତ ଅଧିକାରୀ ଏସଏମ୍ଡି ରହେମାନ, ଏସ୍ଡିପିଓ କେଦାରନାଥ ସାହୁ, ଧର୍ମଶାଳା ଥାନାଧିକାରୀ ଉମାକାନ୍ତ ନାୟକ, ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସଙ୍କ ସହ ରାଜସ୍ବ, ବନ ବିଭାଗ ଓ ପୁଲିସ୍ ବିଭାଗ ପକ୍ଷରୁ ବହୁ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରାପ୍ତ ସୂଚନା ଅନୁସାରେ ଡଙ୍କାରୀରେ ବେଆଇନ୍ ପଥର ଖନନ ସ˚ପର୍କରେ ସାମାଜିକ କର୍ମୀ ସର୍ବେଶ୍ବର ବେହୁରା ଏନ୍ଜିଟିର ଦ୍ବାରସ୍ଥ ହୋଇଥିଲେ। ଏନ୍ଜିଟି ନିର୍ଦେଶରେ ସିଆର (ଷ୍ଟେଟ୍ ଏନ୍ଭାଇରମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟି) ଅଧୢକ୍ଷ ସୁରେଶ ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ ଚଳିତ ମାସ ୫ ତାରିଖରେ ଡଙ୍କାରୀ ଗସ୍ତ କରି ସେଠାକାର ସ୍ଥିତି ପରଖି ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏନ୍ଜିଟି ଓ ସିଆ(ରାଜ୍ୟ ପ୍ରଦୂଷଣ ପ୍ରଭାବ ନିର୍ଧାରଣ ପ୍ରାଧିକରଣ) ଏବଂ ରାଜ୍ୟ ସରକାର ନିର୍ଦେଶରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଡଙ୍କାରୀ ସିଲ କରାଯାଇଥିବା ଚର୍ଚା ହେଉଛି।