ତେଜିଲା ଡଙ୍କାରୀ ପାହାଡ଼ ବିବାଦ : ରାଜ୍ୟପାଳଙ୍କ ରିପୋର୍ଟ ତଲବ

ଏନ୍‌ଜିଟି କମିଟିର ଗସ୍ତ ଆଜି, ତୈଳ ଭଣ୍ଡାର ପାଇଁ ବାଟ ଫିଟିବ

ଯାଜପୁର/ସଦର : ଜଙ୍ଗଲ ଜମିରେ ବେଆଇନ୍ ଖାଦାନ କାରବାରକୁ ନେଇ ବିବାଦୀୟ ହୋଇପଡ଼ିଛି ଯାଜପୁରର ଡଙ୍କାରୀ ପାହାଡ଼। ଏ ନେଇ ଅଭିଯୋଗକୁ ଦୃଷ୍ଟିରେ ରଖି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ଙ୍କ ନିର୍ଦ୍ଦେଶକ୍ରମେ ଗଠିତ କମିଟି ଆସନ୍ତାକାଲି ଏଠାକୁ ଅନୁସନ୍ଧାନରେ ଆସୁଛନ୍ତି। ରାଜ୍ୟପାଳ ମଧ୍ୟ ଏ ସଂପର୍କରେ ରିପୋର୍ଟ ତଲବ କରିଥିବା ଜଣାପଡ଼ିଛି। ଫଳରେ, ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିବାବେଳେ ପଥର ବ୍ୟବସାୟୀଙ୍କ ମଧ୍ୟରେ ଛନ୍‌କା ପଶିଯାଇଛି।

ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀ ପାହାଡ଼ରେ ସରକାରୀ ଓ ବେଆଇନ ଭାବେ ଅନେକ ଖାଦାନରେ କଳା ପଥର ଚୋରାଚାଲଣ ହୋଇଆସୁଛି। ଏହା ବିରୁଦ୍ଧରେ ବାରମ୍ବାର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାକୁ ବନ୍ଦ କରିବାକୁ ନିଦ୍ଦେର୍ଶ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ ୧୨ ତାରିଖରେ ସ୍ଥାନୀୟ ତହସିଲଦାର ଡଙ୍କାରୀ ଚୋରାଚାଲାଣ ରୋକିବା ସହ ସଂପୂର୍ଣ୍ଣ ଭାବେ ଉତ୍ତୋଳନ ବନ୍ଦ କରିବାକୁ ଯାଜପୁର ଏସ୍‌ପିଙ୍କୁ ଅନୁରୋଧ କରିଥିଲେ। ତଥାପି, ଚୋରା କାରବାରକୁ ରୋକାଯାଇ ପାରିନଥିଲା। ଏନେଇ ପୁଣିଥରେ ଘନଘନ ଅଭିଯୋଗ ହେଉଥିବାରୁ ଗତ ସେପ୍ଟେମ୍ବର ୧ ତାରିଖରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଜିଲ୍ଲାପାଳଙ୍କ ସହଯୋଗରେ ତଦନ୍ତ କରି ଡଙ୍କାରୀର ବାସ୍ତବ ଚିତ୍ରର ରିପୋର୍ଟ ଦେବାକୁ ଜଙ୍ଗଲ ଓ ପରିବେଶ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ, ଏକ ତଦନ୍ତକାରୀ ଦଳ ଆସନ୍ତାକାଲି ଡଙ୍କାରୀ ଆସୁଛନ୍ତି।

ଅନ୍ୟପକ୍ଷରେ, ଡଙ୍କାରୀର ବେଆଇନ ଖନନ ସଂପର୍କରେ ଗତ ମାସ ୭ ତାରିଖରେ ସାମାଜିକ କର୍ମୀ ସର୍ବେଶ୍ବର ବେହୁରା ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ରାଜ୍ୟପାଳଙ୍କ ଅତିରିକ୍ତ ସଚିବ ଗତ ମାସ ୨୮ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କିପରି କାର୍ଯ୍ୟକାରୀ ହୋଇଛି, ସେ ସଂପର୍କରେ ଜଣାଇବା ସହିତ ବେଆଇନ୍ ଭାବେ ଜଙ୍ଗଲ ଜମ‌ିରେ ପଥର ଖାଦାନ ବନ୍ଦ କରି ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଗତକାଲି ସଚିବ ସ୍ତରରେ ଡଙ୍କାରୀ ପାହାଡ଼ରେ ପ୍ରସ୍ତାବିତ ‌ଅଶୋଧିତ ‌ତୈଳ ଭଣ୍ଡାର ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହେବା ସହିତ ତୁରନ୍ତ କାର୍ଯ୍ୟ ଆରମ୍ଭ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଫଳରେ, ଡଙ୍କାରୀରେ ‌େତୖଳ ଭଣ୍ଡାରକୁ ଭଣ୍ଡୁର କରିବାକୁ ଚାଲିଥିବା ଯୋଜନା ପଣ୍ଡ ହେବାକୁ ଯାଉଛି।

ସୂଚନାଯୋଗ୍ୟ ଯେ, ଡଙ୍କାରୀ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ସର୍ବବୃହତ୍‌ ଅଶୋଧିତ ତୈଳ ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ ହୋଇଛି। ଫଳରେ, ଏଠାରେ ଖନନ ବନ୍ଦ କରିବାକୁ କେନ୍ଦ୍ର ସରକାର ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ହୋଇ ନଥିଲା। ଡଙ୍କାରୀରେ ପ୍ରକଳ୍ପ ହେଲେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେବ ବୋଲି ଜିଲ୍ଲା ପ୍ରଶାସନ ପାଲଟା ସଫେଇ ଦେଇଥିଲେ। ଆସନ୍ତାକାଲି ସିଆର ଅଧ୍ୟକ୍ଷ ସୁରେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀ ତଦନ୍ତରେ ଆସୁଛନ୍ତି। ଅନ୍ୟପଟେ ରାଜ୍ୟପାଳଙ୍କ ଚିଠି ଡଙ୍କାରୀରେ ତୈଳ ପ୍ରକଳ୍ପ ଖୋଲିବାର ବାଟ ଫିଟାଇବ ବୋଲି ଆଶା ସଞ୍ଚାର ହୋଇଛି।

ସମ୍ବନ୍ଧିତ ଖବର