ମାଲକାନଗିରି: ମାଲକାନଗିରି ଜିଲ୍ଲା଼ ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଏବଂ ଦନ୍ତେଵାଡ଼ା ଜିଲ୍ଲା ସୀମା ଜଙ୍ଗଲରେ ଦୁଇ ଦିନ ତଳେ ହୋଇଥିବା ଏନ୍‌କାଉଣ୍ଟର୍‌କୁ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଏତେ ବଡ଼ ଆକ୍ରମଣର ଆଦୌ ଆକଳନ କରିନଥିଲା ନକ୍ସଲ ସଂଗଠନ। ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଥିବାରୁ ଅତ୍ୟଧିକ ଆତ୍ମବିଶ୍ବାସରେ ରହିଥିଲେ ବୋଲି ସୂଚନା ମିଳିଛି। ଯଦି ଆକ୍ରମଣ ହୁଏ ମହିଳା ନକ୍ସଲଙ୍କୁ ଢାଲ କରି ଟପ୍‌ କ୍ୟାଡର୍‌ ଖସିଯିବେ ବୋଲି ଆଶା କରିଥିଲେ। ଶୁକ୍ରବାର ସକାଳେ କିନ୍ତୁ ଠିକ୍‌ ଓଲଟା ହୋଇଥିଲା। ସେହିପରି ନକ୍ସଲଙ୍କ ଆକ୍ରମଣ ରଣନୀତି ତାଙ୍କ ଉପରେ ହିଁ ପ୍ରୟୋଗ କରାଯାଇଥିଲା। ଯାହାଫଳରେ ଛତିଶଗଡ଼ ନକ୍ସଲ ଇତିହାସରେ ସବୁଠାରୁ ବଡ଼ ଏନ୍‌କାଉଣ୍ଟର ସଫଳ ହୋଇଛି।

Advertisment

ଆବୁଝମାଡ଼ ଜଙ୍ଗଲର ନେନ୍ଦୁର-ଥୁଲଥୁଲି ମଧ୍ୟରେ ୫୦ରୁ ଊର୍ଦ୍ଧ୍ବ ନକ୍ସଲ ଏକତ୍ରିତ ହୋଇଥିଲେ। ଖବର ମିଳିବା ମାତ୍ରେ ଦୁଇଟି ଟିମ୍‌ ଗଠନ ହୋଇଥିଲା। ଦନ୍ତେୱାଡ଼ାରୁ ଡିଆର୍‌ଜି ଯବାନ ଏବଂ ନାରାୟଣପୁରରୁ ଏସ୍‌ଟିଏଫ୍‌ ଯବାନ ଜଙ୍ଗଲରେ ପଶିବା ପରେ ଦୁଇ ପଟୁ ନକ୍ସଲଙ୍କୁ ଘେରାଉ କରାଯାଇଥିଲା। ଅପରେସନ୍‌ର ଜଟିଳ ଅଂଶ ଥିଲା ଦୁଇ ଜିଲ୍ଲାର ଯବାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା। ତେଣୁ ଜଣେ ବି ନକ୍ସଲ ଯେମିତି ଖସିବାକୁ ରାସ୍ତା ପାଇବେ ନାହିଁ ସେଥିପାଇଁ ପ୍ରଥମେ ଗୋଟିଏ ବଳୟ ପ୍ରସ୍ତୁତ କରିଥିଲେ ଯବାନ। ପ୍ରାୟତଃ ନକ୍ସଲ ଆମ୍ବୁସରେ ଫସାଇ ଯବାନଙ୍କ ଉପରେ ଆକ୍ରମଣ କରିଥାନ୍ତି। ଏହି ରଣନୀତିର ପ୍ରୟୋଗ କରି ଏଥର ନକ୍ସଲଙ୍କୁ ଆମ୍ବୁସ୍‌ରେ ଫସାଇଥିଲେ ଯବାନ। ଦୁଇ ଦିନ ତଳେ ହିଁ ଅମାବାସ୍ୟ ଯାଇଥିବାରୁ ଘଞ୍ଚ ଜଙ୍ଗଲ ଅନ୍ଧକାରରେ ଭରି ରହିଥିଲା। ତେଣୁ ଯବାନଙ୍କ ଉପସ୍ଥିତି ସଂପର୍କରେ ଆଦୌ ସୁରାକ ପାଇନଥିଲେ ନକ୍ସଲ।

ଅପରେସନ୍‌ର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଥିଲେ ମହିଳା କମାଣ୍ଡୋ। ଜଙ୍ଗଲର ପ୍ରତ୍ୟେକ କୋଣକୁ ପୂର୍ବରୁ ହିଁ ଭଲ ରୂପେ ଜାଣିଥିଲେ। ତେଣୁ ନକ୍ସଲଙ୍କ ଖସିବା ବାଟକୁ ମହିଳା କମାଣ୍ଡୋ ହିଁ ବନ୍ଦ କରିଥିଲେ। ସମ୍ମୁଖକୁ ଆସି ଲଢ଼େଇ କରିଥିଲା ବେଳେ ପୁରୁଷ ଯବାନ ସହଯୋଗ କରିଥିଲେ। ନକ୍ସଲ ପୂର୍ବ ରଣନୀତି ଅନୁସାରେ ମହିଳା ନକ୍ସଲଙ୍କୁ ଆଗକୁ ଛାଡ଼ିଥିଲେ। କିନ୍ତୁ ମହିଳା କମାଣ୍ଡୋ ଏଥିପାଇଁ ପ୍ରସ୍ତୁତ ରହିଥିବାରୁ ଅଳ୍ପ ସମୟ ମଧ୍ୟରେ ମହିଳା ନକ୍ସଲଙ୍କ ବଳୟକୁ ଭେଦ କରିବାରେ ସକ୍ଷମ ହୋଇଥିଲେ। ଯାହାଫଳରେ ୧୩ଜଣ ମହିଳା ନକ୍ସଲ ଏବଂ ୧୮ଜଣ ପୁରୁଷ ନକ୍ସଲ ନିହତ ହୋଇଛନ୍ତି। ରାଜ୍ୟ ସରକାର ମହିଳା କମାଣ୍ଡୋଙ୍କ ଏହି ସାହସିକତା ପାଇଁ ପୁରସ୍କୃତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରାୟ ୯ଘଣ୍ଟା ଧରି ଅପରେସନ୍‌ ଚାଲିଥିଲା ବେଳେ ସେଥିରୁ ୪ଘଣ୍ଟା ଲଢ଼େଇ ଅତିଭୀଷଣ ଥିଲା। ମହିଳା ନକ୍ସଲ ଏବଂ ମହିଳା କମାଣ୍ଡୋଙ୍କ ଚିତ୍କାରରେ ପୂରା ଜଙ୍ଗଲରେ କଂପନ ସୃଷ୍ଟି ହୋଇଥିଲା। ନିହତ ୩୧ ନକ୍ସଲଙ୍କ ମଧ୍ୟରୁ ୧୬ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ଡିକେଏସ୍‌ଜେଡ୍‌ସି ସଦସ୍ୟ ନୀତି, ଡିଭିସିଏମ୍‌ ସୁରେଶ, ମୀନା ମଡକମ, ପିଏଲଜିଏ ସଦସ୍ୟ ଅର୍ଜୁନ, ସୁନ୍ଦର, ବୁଧୁରାମ, ସକ୍କୁ, ସୋହନ, ଫୁଲୋ, ବାସନ୍ତୀ, ସୋମେ, ଜମିଲା, ଏସିଏମ୍‌ ରାମଦେବ, ସକଲୁ ଓରଫ ବିଜୟ, ଜମଲି ଏବଂ ସୋନୁ କୋରାମ। ଏକେ-୪୭ ବନ୍ଧୁକ ୪ଟି, ଏଲ୍‌ଏମ୍‌ଜି ଗୋଟିଏ, ଏସ୍‌ଏଲ୍‌ଆର୍‌ ୬ଟି, ଇନସାସ୍‌ ରାଇଫଲ ୩ଟି, ୩୦୩ ରାଇଫଲ ୨ଟି ସହ ବହୁ ୟୁଜିବିଏଲ୍‌, ଅନ୍ୟାନ୍ୟ ବିସ୍ଫୋରକ ଓ ଗୋଳାବାରୁଦ ଜବତ କରାଯାଇଛି। ରାତିରେ ବି ଲଢ଼େଇ କରିବାକୁ ନକ୍ସଲ ପ୍ରସ୍ତୁତ ରହିଥିବା ଜବତ ନାଇଟ୍‌ ଭିଜନରୁ ସ୍ପଷ୍ଟ ହୋଇଛି।