ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡିଏପି, ୟୁରିଆ ଅଭାବ: ଖୋଜିଲା ବେଳକୁ ସାର ନାହିଁ

ମାର୍କଫେଡ୍‌କୁ ଆସୁନି ଡିଏପି

ଅନୁଗୁଳ/ଯାଜପୁର : ରୁଆ, ବେଉଷଣ ସମୟରେ ସାର ଖୋଜୁଛନ୍ତି ଚାଷୀ। ତଳିଆ ଅଞ୍ଚଳରେ ଚାଷ ଆରମ୍ଭ ବେଳକୁ କିନ୍ତୁ ସାରର ସାଂଘାତିକ ଅଭାବ। ଗୋଟିଏ ପଟେ ବର୍ଷା ଦାଉ ସାଧୁଥିଲାବେଳେ ରାସାୟନିକ ସାରର କୃତ୍ରିମ ଅଭାବ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଅନୁଗୁଳ ଜିଲ୍ଲାରେ ରାକ୍‌ ପଏଣ୍ଟ ନ ଥିବାରୁ ଏମିତି ସାର ଅଭାବ ଲାଗି ରହିଥିବା କୁହାଯାଉଛି। ଯାଜପୁର ଜିଲ୍ଲାରେ ବି ସମାନ ପରିସ୍ଥିତି ଦେଖାଦେଇଛି। କେବଳ ଏହି ଦୁଇ ଜିଲ୍ଲା କାହିଁକ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ସାର ସଙ୍କଟ ଦେଖାଦେଇଛି। ଆଗକୁ ଏହି ସ୍ଥିତି ଆହୁରି ସାଂଘାତିକ ହେବ ବୋଲି କୁହାଯାଉଛି। ଏପଟେ ଚାଷୀଙ୍କ ପାଖରେ ସାର ପହଞ୍ଚି ନ ଥିବାରୁ ବର୍ଷା ହେଲେ ବି ଚାଷ କାମ ଆଗେଇବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଅନୁଗୁଳ ଜିଲ୍ଲାକୁ ଉଦାହରଣ ଭାବେ ନେଲେ, ଜିଲ୍ଲାରେ ଯେତିକି ସାରର ଆବଶ୍ୟକତା ରହିଛି, ସେହି ପରିମାଣର ସାର ମହଜୁଦ ନାହିଁ। କୃଷି ବିଭାଗ ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ପାଇଁ ଖରିଫ ଋତୁରେ ୫୫୫୦ ମେଟ୍ରିକ ଟନ୍‌ ୟୁରିଆ ଓ ୪୦୦୦ ମେଟ୍ରିକ ଟନ୍‌ ଡିଏପି ସାରକୁ ମିଶାଇ ମୋଟ ୧୫ ହଜାର ୫ ଶହ ମେଟ୍ରିକ ଟନ୍‌ ରାସାୟନିକ ସାର ଦରକାର ପଡ଼ିଥାଏ। କିନ୍ତୁ ଏହି ଅନୁପାତରେ ସାର ଏ ପର୍ଯ୍ୟନ୍ତ ଜିଲ୍ଲାରେ ପହଞ୍ଚିନି। ଯାହା ସାର ଆସୁଛି ବିଭିନ୍ନ ସେବା ସମବାୟ ସମିତିକୁ ବାଣ୍ଟିକୁଣ୍ଟି ପ୍ରଦାନ କରାଯାଉଛି। ଏହା ଚାଷୀଙ୍କୁ ଅଣ୍ଟୁନି। ଉଦ୍‌ବେଗର ବିଷୟ, ମା‌ର୍କଫେଡ୍‌କୁ ଆଜି ପର୍ଯ୍ୟନ୍ତ କେଜିଏ ହେଲେ ବି ଡିଏପି ସାର ମିଳିନି। ଫଳରେ ସେମାନେ ସମବାୟ ସମିତିକୁ ଏହା ଯୋଗାଇବାରେ ବିଫଳ ହୋଇଛନ୍ତି।

ଅନୁଗୁଳରେ ରାକ ପଏଣ୍ଟ ନଥିବାରୁ ଆସିପାରୁନି
ଯାଜପୁରରେ କାଦୁଅ ସାରର କଳାବଜାରୀ

DNA India

ସୂଚନା ମୁତାବକ, ଇଫ୍‌କୋ ପ୍ରତିବର୍ଷ ଯେଉଁ ପରିମାଣର ସାର ଦିଏ ଚଳିତ ବର୍ଷ ଦେଇନି। ଏଥିପାଇଁ ବିଭିନ୍ନ ସେବା ସମବାୟ ସମିତିକୁ ସାର ଯୋଗାଉଥିବା ମାର୍କଫେଡ୍‌ ପାଖରେ ଏବେ ମାତ୍ର ୫୦ ଟନ୍‌ ୟୁରିଆ ସାର ମହଜୁଦ ଅଛି। ସେହିପରି ୨୦-୨୦ ସାର ୨୫ ଟନ୍‌ ଓ ପଟାସ ସାର ୮୦ ଟନ୍‌ ରହିଛି। ଏହା ଭିତରେ ୭୭ଟି ସେବା ସମବାୟ ସମିତିକୁ ପ୍ରାୟ ୧୬୫୦ ଟନ୍‌ ୟୁରିଆ ଓ ୧୭୦ ଟନ ୨୦-୨୦ ସାର ଯୋଗାଇ ଦିଆଯାଇଛି। ପଟାସ ସାରର ଅହେତୁକ ଦର ବୃଦ୍ଧି କାରଣରୁ ଏହା ନେବାକୁ ସମବାୟ ସମିତି ରାଜି ହେଉନାହାନ୍ତି। ଏହିସମୟରେ ଡିଏପି ସାରର ଅଧିକ ଚାହିଦା ଥିବା ସତ୍ତ୍ବେ ମାର୍କଫେଡ୍‌ ଗୋଦାମରେ ଏହା ମହଜୁଦ ନ ଥିବାରୁ ‌ସମବାୟ ସମିତିମାନେ ନିରାଶରେ ଫେରୁଛନ୍ତି। ଏପଟେ କୃଷି ବିଭାଗ ସାର ଯୋଗାଣ ନେଇ ଉଦ୍ୟମ କରୁଥିଲେ ମଧ୍ୟ ଅନୁଗୁଳର କୌଣସି ‌ଷ୍ଟେସନ୍‌ରେ ରାକ୍‌ ପଏଣ୍ଟ ନ ଥିବାରୁ ଅସୁବିଧା ହେଉଛି।

ରାକ ପଏଣ୍ଟ ନ ଥିବାରୁ ସାର ଆଣିବାରେ ଅସୁବିଧା ହେଉଥିବା ଅନୁଗୁଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି କେ ସ୍ବାଇଁ ସ୍ବୀକାର କରିଛନ୍ତି।

ଅନ୍ୟପକ୍ଷରେ, ଯାଜପୁରର କୋରେଇ ବ୍ଲକ୍‌ ଅଞ୍ଚଳରେ କାଦୁଅ ସାର କଳାବଜାରି ହେଉଥିବା ଅଭିଯୋଗ ହୋଇଛି। ସରକାରୀ ଦର ଠାରୁ ଅଧିକ ମୂଲ୍ୟରେ କାଦୁଅ ସାର ବିକ୍ରି ହେଉଛି। କାଦୁଅ ସାର ଭାବେ ବ୍ୟବହୃତ ହେଉଥିବା ଡିଏପି ସାରର ସରକାରୀ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୪ଶହ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଖୋଲା ବଜାରରେ ତାହା କିଲୋ ପ୍ରତି ୪୦ରୁ ୫୦ ଟଙ୍କା ବିକ୍ରି ହେଉଛି। ବ୍ଲକ୍ ଅଞ୍ଚଳରେ ପ୍ରତିବର୍ଷ ୧୮ ହଜାର ହେକ୍ଟରରୁ ଅଧିକ ଜମି ଚାଷ ହେଉଛି। ଏଥିପାଇଁ ପ୍ରାୟ ୧୫ ଶହ ଟନ୍ କାଦୁଅ ସାରର ଆବଶ୍ୟକ ରହିଛି। ଯାହାର ସିଂହଭାଗ ମାର୍କଫେଡ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ଯୋଗାଇଥାଏ। ଅନ୍ୟପକ୍ଷରେ ଏମ୍ଓପି(ପଟାସ) କୁଇଣ୍ଟାଲ ପ୍ରତି ସରକାରୀ ମୂଲ୍ୟ ୧୭୦୦ ଟଙ୍କା ଥିବା ବେଳେ ଏହା ଖୋଲା ବଜାରରେ କିଲୋ ପ୍ରତି ୨୫ ଟଙ୍କା ଏବଂ ୟୁରିଆ ସାରର ସରକାରୀ ମୂଲ୍ୟ କୁଇଣ୍ଟାଲ ପ୍ରତି ୫୯୦ ଟଙ୍କା ଥିବା ବେଳେ ଖୋଲା ବଜାରରେ କିଲୋ ପ୍ରତି ୧୦ ରୁ ୧୨ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।

କେବ‌ଳ ଏହି ଦୁଇ ଜିଲ୍ଲା କାହିଁକି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମାନ ପରିସ୍ଥିତି ଦେଖାଦେଇଛି। ଅର୍ଥାତ୍‌, ସାରର ଅଭାବ ଦେଖାଦେଇଛି।

ସମ୍ବନ୍ଧିତ ଖବର