ଭୁବନେଶ୍ବର: ୧୯୯୯ ମସିହାର ବହୁଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନସ୍ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଦାରା ସିଂଙ୍କ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଜେଲ୍‌ରେ ସେ ଦୀର୍ଘ ୨୪ ବର୍ଷ ୫ ମାସ ରହି ସାରିଥିବାରୁ ତାଙ୍କୁ ପ୍ରିମ୍ୟାଚୁଅର୍‌ ମୁକ୍ତି ମିଳୁ ବୋଲି ସେ ଆବେଦନ କରିଛନ୍ତି। ଦାରା ସିଂଙ୍କ ପକ୍ଷରୁ ତାଙ୍କ ଓକିଲ ବିଷ୍ଣୁ ଶଙ୍କର ଜୈନ ସୁପ୍ରିମ୍‌କୋର୍ଟରେ ଭାରତୀୟ ସମ୍ବିଧାନର ଆର୍ଟିକଲ୍‌ ୩୨ରେ ଏହି ରିଟ୍‌ ଫାଇଲ୍‌ କରିଥିଲେ। ଏନେଇ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରାଯାଇଥିବାରୁ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ଆଭିମୁଖ୍ୟ କ’ଣ ରହିବ, ତା’କୁ ନେଇ ବିଭିନ୍ନ ମହଲ ଅପେକ୍ଷା କରିଛନ୍ତି। ରାଜ୍ୟରେ ନୂଆ ସରକାର ଆସୁଆସୁ ଦାରା ସିଂ ମାମଲା ପୁଣି
ଚର୍ଚ୍ଚାକୁ ଆସିଥିବାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଓକିଲ ଶ୍ରୀ ଜୈନଙ୍କ ଆବେଦନ ମୁତାବକ, ଦାରାଙ୍କ ବୟସ ୬୧ ବର୍ଷ। ତାଙ୍କୁ ଆଜୀବନ କାରାବାସ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେଣୁ ସେ ୧୪ ବର୍ଷ ଜେଲ୍‌ରେ ରହିବା କଥା। କିନ୍ତୁ ତାଙ୍କୁ ଦୀର୍ଘ ୨୪ ବର୍ଷ କାଳ ଜେଲ୍‌ର ଅନ୍ଧାର କୋଠରୀରେ ରହିବାକୁ ପଡ଼ିଛି। ସେ ଜେଲ୍‌ରେ ଅଧିକ ୧୦ ବର୍ଷ ସମୟ ରହିସାରିଲେଣି। ଏହା ଭିତରେ ସେ ତାଙ୍କ ମା’ଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ମଧ୍ୟ ଯୋଗ ଦେଇପାରିନଥିଲେ। କାରଣ ତାଙ୍କୁ ଏଥିପାଇଁ ଅନୁମତି ମିଳିନଥିଲା। କେବଳ ସେତିକି ନୁହେଁ, ଦାରା କେବେ ବି ପାରୋଲ୍‌ ପାଇଁ ଅନୁମତି ପାଇନାହାନ୍ତି। ତେଣୁ ହତ୍ୟା ଆସାମୀ ହେଲେ ବି ତାଙ୍କୁ କଠୋର ଦଣ୍ଡ ମିଳିସାରିଲାଣି। ଏହାକୁ ଦୃଷ୍ଟିରେ ରଖି ଏଣିକି ତାଙ୍କୁ ମୁକ୍ତି ମିଳିବା ଉଚିତ ହେବ ବୋଲି ଦାରାଙ୍କ ଓକିଲ ଆବେଦନରେ ଉଲ୍ଲେଖ କରିଛନ୍ତି।