ଭୁବନେଶ୍ବର: ଲୋମଟାଙ୍କୁରା ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା କିଛି କଏଦୀଙ୍କୁ ମୁକ୍ତି ମିଳିବ। ରାଜ୍ୟର ବିଭିନ୍ନ କାରାଗାରରେ ଥିବା ପାଖାପାଖି ୭୦ଜଣଙ୍କ ତାଲିକା କରିଛି ଜେଲ୍ ବିଭାଗ। ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡକୁ ଏହି ତାଲିକା ପଠାଇଛି ଜେଲ୍ ବିଭାଗ। ଖୁବ୍ଶୀଘ୍ର ଏହି ବୋର୍ଡର ବୈଠକ ଅନୁଷ୍ଠିତ ହେବ। ଏହି ତାଲିକାରେ ଅଛନ୍ତି ବହୁ ଚର୍ଚ୍ଚିତ ଦାରା ସିଂ, ଭାରତୀୟ ସେନାର ଅବସରପ୍ରାପ୍ତ ଡାକ୍ତର ସୋମନାଥ ପରିଡ଼ା ଓ ରାଜକିଶୋର ସାହୁ। ୧୯୯୯ ଜାନୁଆରି ୩୧ ରାତିରେ କେନ୍ଦୁଝର ଜିଲ୍ଲା ମନୋହରପୁରରେ ଅଷ୍ଟ୍ରେଲୀୟ ମିସିନାରି ଗ୍ରାହାମ୍ ଷ୍ଟେନସ୍ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କୁ ଗାଡ଼ିରେ ଶୋଇଥିବା ଅବସ୍ଥାରେ ପୋଡ଼ି ମାରି ଦିଆଯାଇଥିଲା। ସିବିଆଇ କୋର୍ଟ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ମାତ୍ର ପରେ ଉପର କୋର୍ଟରେ ଦଣ୍ଡ କୋହଳ କରାଯାଇଥିଲା ଏବଂ ଦାରା ସିଂ ଓ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ଆଜୀବନ ସଜା ହୋଇଯାଇଥିଲା। ୨୫ବର୍ଷ ଜେଲ୍ରେ ରହିବା ପରେ ଚଳିତ ମାସ ୧୮ ତାରିଖରେ ମହେନ୍ଦ୍ରଙ୍କୁ ମୁକ୍ତି ମିଳିଛି। କିନ୍ତୁ ଦାରା ସିଂ ଏବେ ବି ଜେଲ୍ରେ ଅଛି।
ପତ୍ନୀହନ୍ତା ଡାକ୍ତର ସୋମନାଥଙ୍କ ନାମ ଅଛି
ଦଣ୍ଡ ସମୀକ୍ଷା ବୋର୍ଡକୁ ପ୍ରସ୍ତାବ ଦେଇଛି ଜେଲ୍ ବିଭାଗ
ସେପଟେ ଦାରା ସିଂଙ୍କ ମୁକ୍ତି ପାଇଁ ଏକ ମାମଲା ଏବେ ବି ସୁପ୍ରିମ୍କୋର୍ଟରେ ବିଚାରାଧୀନ ରହିଛି। ଜେଲ୍ ବିଭାଗ ମଧ୍ୟ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡକୁ ଦାରା ସିଂଙ୍କ ମୁକ୍ତି ପାଇଁ ସୁପାରିସ କରିଛନ୍ତି। ତେଣୁ ଦଣ୍ଡ ସମୀକ୍ଷା ବୋର୍ଡର ନିଷ୍ପତ୍ତି ଉପରେ ସବୁ ମହଲର ନଜର ରହିଛି। ସେହିଭଳି ୨୦୧୩ ଜୁନ୍ ୨୩ରେ ରାଜଧାନୀରେ ଘଟିଥିଲା ଅନ୍ୟ ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ। ଭାରତୀୟ ସେନାର ଅବସରପ୍ରାପ୍ତ ଡାକ୍ତର ସୋମନାଥ ପରିଡ଼ା ତାଙ୍କ ପତ୍ନୀଙ୍କୁ ହତ୍ୟା କରି ୩୦୦ ଖଣ୍ଡ କରି ଦେଇଥିଲେ। ଖଣ୍ଡ ବିଖଣ୍ଡିତ ଅଂଶଗୁଡ଼ିକୁ ଡବାରେ ପୂରାଇ ରଖିଥିବା ଅବସ୍ଥାରେ ଧରାପଡ଼ିଥିଲେ। ଏହି ମାମଲାରେ ତାଙ୍କୁ ଆଜୀବନ ସଜା ହୋଇଛି। ଏବେ ତାଙ୍କୁ ୮୧ ବର୍ଷ ବୟସ ହେଲାଣି। ଓଡ଼ିଶା ଗେଜେଟ୍ ନୋଟିଫିକେସନ୍ ୨୦୨୨ ଅନୁଯାୟୀ ୬୫ ବର୍ଷରୁ ଅଧିକ ବୟସର କୌଣସି ବନ୍ଦୀ ଦଣ୍ଡାଦେଶର ଅର୍ଦ୍ଧାଧିକ ସମୟ ଜେଲ୍ରେ କାଟିସାରିଥିଲେ, ତାଙ୍କୁ ମୁକ୍ତି ମିଳିପାରିବ। ସେହି ନିୟମାନୁସାରେ ମୁକ୍ତି ପାଇଁ ଡାକ୍ତର ସୋମନାଥ ପରିଡ଼ାଙ୍କ ନାଁ ସୁପାରିସ କରାଯାଇଛି। ସେହିପରି ଆଜୀବନ ସଜା ଭୋଗୁଥିବା ପୁରୀର ରାଜକିଶୋର ସାହୁ ଏହା ଭିତରେ ୨୧ବର୍ଷ ଜେଲ୍ରେ ରହି ସାରିଛନ୍ତି। ତେଣୁ ତାଙ୍କୁ ଜେଲ୍ରୁ ମୁକୁଳାଇବାକୁ ସୁପାରିସ କରାଯାଇଛି। ଚଳିତ ମାସ ୯ ତାରିଖରେ ଦଣ୍ଡ ସମୀକ୍ଷା ବୋର୍ଡର ବୈଠକ ବସିବାର ଥିଲା। ମାତ୍ର ଏହି ବୈଠକ ଅନୁଷ୍ଠିତ ହୋଇନଥିଲା। ପରେ ୧୬ ତାରିଖକୁ ଧାର୍ଯ୍ୟ କରାଯାଇଥିଲେ ବି ବୈଠକ ହୋଇପାରି ନାହିଁ।