ଭୁବନେଶ୍ବର: ଗତ ମାସ ଥିଲା ପାର୍ବଣର ସମୟ। ହସ, ଖୁସି, ମଉଜ କରିବାର ସମୟ। କିନ୍ତୁ ବାସ୍ତବ ଚିତ୍ର ଓଲଟା ଥିଲା। ଲୋକଙ୍କ ମୁହଁରୁ ଖୁସି ଛଡ଼ାଇ ନେଇଥିଲା ଦରଦାମ୍। ବିଭିନ୍ନ ସାମଗ୍ରୀଗୁଡ଼ିକର ଦାମ୍ ଏତେ ବଢ଼ିଯାଇଥିଲା ଯେ ତାହା କିଣି ପରିବାର ଲୋକଙ୍କୁ ଖୁସି କରିବା କଷ୍ଟକର ହୋଇପଡ଼ିଥିଲା। ସହରାଞ୍ଚଳ ଲୋକମାନେ କୌଣସି ପ୍ରକାରରେ କାମ ଚଳାଇନେଇଥିଲେ। କିନ୍ତୁ ଗ୍ରାମାଞ୍ଚଳର ଲୋକମାନେ ଦରଦାମ୍ର ଅସହ୍ୟ ଯନ୍ତ୍ରଣାକୁ ସାମ୍ନା କରିଥିଲେ। କେନ୍ଦ୍ର ସରକାର ଜାରି କରିଥିବା ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରୁ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି। ଅକ୍ଟୋବର ମାସରେ ଓଡ଼ିଶାର ଗ୍ରାମୀଣ ମୁଦ୍ରାସ୍ଫୀତି ହାର ୮.୨୩ ପ୍ରତିଶତ ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇଛି ଯାହା ଦେଶରେ ଦ୍ବିତୀୟ ସର୍ବାଧିକ। ଓଡ଼ିଶା ଉପରେ କେବଳ ଛତିଶଗଡ଼ ରହିଛି ଯାହାର ଗ୍ରାମୀଣ ମୁଦ୍ରାସ୍ଫୀତି ୯.୭୦ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି।
ଚଳିତ ବର୍ଷ ସେପ୍ଟେମ୍ବରରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୬.୫୬ ପ୍ରତିଶତ ଥିଲା। ଅକ୍ଟୋବରରେ ତାହା ୭.୫୧ ପ୍ରତିଶତକୁ ବୃଦ୍ଧି ପାଇଛି। ସେପ୍ଟେମ୍ବରରେ ଗ୍ରାମୀଣ ଓ ସହରାଞ୍ଚଳ ମୁଦ୍ରାସ୍ଫୀତି ଯଥାକ୍ରମେ ୭.୦୩ ପ୍ରତିଶତ ଓ ୫.୨୩ ପ୍ରତିଶତ ଥିଲା। ଅକ୍ଟୋବରରେ ଗ୍ରାମୀଣ ମୁଦ୍ରାସ୍ଫୀତି ୮.୨୩ ପ୍ରତିଶତ ଓ ସହରାଞ୍ଚଳରେ ୫.୫୮ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଦୁଇ ମାସର ତୁଳନା କଲେ ଯେଉଁ କଥାଟି ସାମ୍ନାକୁ ଆସୁଛି ତାହା ହେଉଛି, ସହରାଞ୍ଚଳରେ ଦରଦାମ୍ ସ୍ଥିତିରେ ବୃଦ୍ଧି ଘଟିନାହିଁ। ଗ୍ରାମାଞ୍ଚଳରେ କିନ୍ତୁ ବଡ଼ ଧରଣର ବୃଦ୍ଧି ହୋଇଛି। ସହରାଞ୍ଚଳରେ ଲୋକମାନେ ସାଧାରଣତଃ ପ୍ୟାକେଟ୍ରେ ବିକ୍ରି ହେଉଥିବା ଜିନିଷ ବ୍ୟବହାର କରିଥାନ୍ତି। କିନ୍ତୁ ଗ୍ରାମୀଣ ଲୋକମାନେ କୃଷିଜାତ ସାମଗ୍ରୀ ଉପରେ ନିର୍ଭରଶୀଳ। ସେଠାରେ ଦାମ୍ ଅଧିକ ରହୁଥିବାର ଅର୍ଥ ହେଉଛି ଘର ଚଳାଇବା ଲାଗି ସେମାନଙ୍କ ପାଖରେ ଆବଶ୍ୟକ ପରିମାଣର କୃଷିଜାତ ସାମଗ୍ରୀ ନାହିଁ। ସେମାନଙ୍କୁ ସେସବୁ ଜିନିଷ ଚଢ଼ା ଦାମ୍ରେ କିଣିବାକୁ ପଡ଼ୁଛି।
ଓଡ଼ିଶାର ଗ୍ରାମୀଣ ମୁଦ୍ରାସ୍ଫୀତି ୮.୨୩%
ଦେଶରେ ଦ୍ବିତୀୟ ସର୍ବାଧିକ
ବଜାର ଉପରେ ରହୁନି କଡ଼ା ନଜର
ଯୋଗାଣ ବିଭାଗର ଭିଜିଲାନ୍ସ ସ୍କ୍ବାଡ୍ ଭୂମିକା ଉପରେ ପ୍ରଶ୍ନ
ଗତ ଅକ୍ଟୋବର ମାସରେ ଖାଦ୍ୟ ଓ ପାନୀୟ, ପାନ, ତମାଖୁ ଓ ମାଦକ ଦ୍ରବ୍ୟ, ପୋଷାକ, ଜୋତା, ବାସଗୃହ, ଇନ୍ଧନ ଓ ଆଲୋକ ମହଙ୍ଗା ହୋଇଛି। ଖାଦ୍ୟଶସ୍ୟ, ପନିପରିବା, ଖାଇବା ତେଲ, ଡାଲି, ଅଟା ଦାମ୍ ମଧ୍ୟ ବଢ଼ିଛି। ସେଥିପାଇଁ ଖୁଚୁରା ବଜାରରେ ଲୋକମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ଏହି ମାସରେ ଦେଶର ମୁଦ୍ରାସ୍ଫୀତି ହାର ୬.୨୧ ପ୍ରତିଶତକୁ ବୃଦ୍ଧି ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୬ ପ୍ରତିଶତ ସୀମାକୁ ଏହା ଅତିକ୍ରମ କରି ବେଲଗାମ ହୋଇପଡ଼ିଛି। ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ନେଇ କିଛି ଦିନ ପୂର୍ବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଆଶଙ୍କା ପ୍ରକଟ କରିଥିଲେ। ତାଙ୍କ ଆକଳନ ସତ ପ୍ରମାଣିତ ହୋଇଛି।
ଗ୍ରାମାଞ୍ଚଳରେ ଦରଦାମ୍ ବେଲଗାମ ହେବା ସମ୍ପର୍କରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ କହିଛନ୍ତି ଯେ ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ବଜାର ଉପରେ ସରକାର କଡ଼ା ନଜର ରଖିପାରୁନାହାନ୍ତି କିମ୍ବା ବଜାର ସେମାନଙ୍କ ନିୟନ୍ତ୍ରଣରେ ନାହିଁ। ଯୋଗାଣ ବିଭାଗର ଭିଜିଲାନ୍ସ ସ୍କ୍ବାଡ୍କୁ ଆହୁରି କ୍ରିୟାଶୀଳ କରି ବଜାର ଦର ଉପରେ ନଜର ରଖିବାର ଆବଶ୍ୟକତା ରହିଛି। କିନ୍ତୁ ଦରବୃଦ୍ଧିର ମୂଳ ସମସ୍ୟାଟି ଅଲଗା ବୋଲି ସେ କହିଛନ୍ତି। ଯେହେତୁ ରାଜ୍ୟ ନିଜର ଅଧିକାଂଶ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଛି, ତେଣୁ ଏଭଳି ସ୍ଥିତିରେ ଦରଦାମ୍କୁ ପାରଦର୍ଶୀ ଢାଞ୍ଚାରେ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ସ୍ଥାୟୀ ସମାଧାନ ଲାଗି ରାଜ୍ୟ ଭିତରେ ବିଭିନ୍ନ ସାମଗ୍ରୀର ଉତ୍ପାଦନ ବଢ଼ାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ଜିନିଷପତ୍ର ମହଜୁଦ ରଖିବା ଲାଗି ଶୀତଳଭଣ୍ଡାର ପାଇଁ କିଛି ବର୍ଷ ଲାଗି ବିଦ୍ୟୁତ ଶୁଳ୍କକୁ ଛାଡ଼ କରିବା କିମ୍ବା ତାହା ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ସବ୍ସିଡି ଦିଆଗଲେ ରାଜ୍ୟରେ ଅଧିକ ଶୀତଳଭଣ୍ଡାର ଖୋଲିପାରିବ ବୋଲି ସେ କହିଛନ୍ତି।