ଦାରିଙ୍ଗିବାଡ଼ି ବ୍ଲକ୍ ଅଧ୍ୟକ୍ଷ ଉପନିର୍ବାଚନ ବିଜ୍ଞପ୍ତିକୁ ଚାଲେଞ୍ଜ : ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କଲେ; ୧୭ରେ ଉପନିର୍ବାଚନ

କଟକ : ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ରଖିବା ପ୍ରସଂଗରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ତାରିଖରେ ନିର୍ବଚାନ ଅନୁଷ୍ଠିତ ହେବା କ୍ଷେତ୍ରରେ ‌କୋଭିଡ୍-୧୯କୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ନିୟମାବଳୀ କଡ଼ାକଡ଼ି ପାଳନ ପାଇଁ କନ୍ଧମାଳ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରେବତୀ ପ୍ରଧାନ ଓ ଇନ୍ଦ୍ରଜିତ ପ୍ରଧାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗତ ବର୍ଷ ଅକ୍ଟୋବର ମାସରୁ ଖାଲି ପଡିଥିବା ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଜୁନ୍ ୧୭ରେ ଉପନିର୍ବାଚନ ଅନୁଷ୍ଠିତ ହେବ।

ମାମଲାର ବିବରଣୀରୁ ପ୍ରକାଶ ଯେ, ଦାରିଙ୍ଗିବାଡି ବ୍ଲକ୍ ଅଧ୍ୟକ୍ଷ ଭାବେ ଏସ୍.ପ୍ରଧାନଙ୍କ ନିର୍ବାଚନକୁ ୨୦୧୯, ଅକ୍ଟୋବର ୧ରେ ଜିଲ୍ଲା ଜଜ୍ ଅସିଦ୍ଧ ଘୋଷଣା କରିଥିଲେ। ଅଧ୍ୟକ୍ଷ ପଦ ପୂରଣ ପାଇଁ କନ୍ଧମାଳ ଜିଲ୍ଲାପାଳ ରାଜ୍ୟ ନିର୍ବାଚନ କମିସନଙ୍କୁ ୨୦୨୦, ଜାନୁଆରି ୨ରେ ଚିଠି ଲେଖିଥିଲେ। ୨୦୨୦, ଜୁନ୍ ୧ରେ ନିର୍ବାଚନ କମିସନ୍ ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷ ପଦ ପୂରଣ ପାଇଁ ନିର୍ବାଚନ କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହିତ ପ୍ରସ୍ତାବିତ ନିର୍ବାଚନ ସଂପର୍କିତ ତାରିଖ ସଂପର୍କରେ ଅବଗତ କରିଥିଲେ। ଜୁନ୍ ୫ରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁନ୍ ୧୭ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ବୋଲି ଦର୍ଶାଇ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ବିଜ୍ଞପ୍ତିକୁ ବିରୋଧ କରି ଆବେଦନକାରୀ ସମିତି ସଭ୍ୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିର୍ବାଚନ କମିସନରଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ଦାଶ ମାମଲା ପରିଚାଳନା କରୁଥିବା ବେଳେ ରାଜଭୂଷଣ ଦାଶ ଓ ରମେଶ ସେଠୀ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର