ଦାରିଙ୍ଗବାଡ଼ି : ଶୀତ ଆସିଛି। ସାରା ଓଡ଼ିଶା ଥରୁଥିବାବେଳେ କନ୍ଧମାଳରେ ସବୁଠୁ ଅଧିକ ଶୀତ ଅନୁଭୂତ ହେଉଛି। ଓଡ଼ିଶାର କାଶ୍ମୀର ବୋଲି କୁହାଯାଉଥିବା ଦାରିଙ୍ଗବାଡ଼ିରେ ପାରଦ ୭.୫ ଡିଗ୍ରି ସେଲସିୟସ୍‌କୁ ଖସିଛି। ଫଳରେ ଜଳଡ଼ରେ କମ୍ପୁଛି ଉକ୍ତ ଅଞ୍ଚଳ। ଗତବର୍ଷ ଏହି ସମୟରେ ଆହୁରି ତଳକୁ ଖସି ଆସିଥିଲା ପାରଦ। ଜୀବନ ଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡୁଛି। ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁ ସ୍ଥାନେ ସ୍ଥାନେ ଲୋକେ ଧୁନି ଜାଳି ନିଆଁରେ ସେକି ହେଉଛନ୍ତି। ତେବେ ଏଠିକାର ଶୀତ ନିଆରା ଥିବାରୁ ଓଡ଼ିଶାର କୋଣଅନୁକୋଣରୁ ପର୍ଯ୍ୟଟକମାନେ ଏଠାକୁ କେବଳ ଥଣ୍ଡା ଅନୁଭୂତ କରିବା ପାଇଁ ଆସୁଛନ୍ତି। ଅତ୍ୟଧିକ ଥଣ୍ଡା ସହିତ ଏଠିକାର ସବୁଜିମା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ପର୍ଯ୍ୟଟକଙ୍କ ଆଗମନକୁ ଦେଖି ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନେକ ସ୍ଥାନରେ ସୁବିଧା କରାଯାଇଛି।

Advertisment

ସୂଚନାଯୋଗ୍ୟ ଯେ, ଏହି ସ୍ଥାନ ସମୁଦ୍ର ପତନଠାରୁ ୯୧୫ ମିଟର ଉଚ୍ଚରେ ରହିଛି। ତେଣୁ ଏଠାରେ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ପରିବେଶବିତମାନେ କହୁଛନ୍ତି। ପୂର୍ବରୁ ବ୍ରିଟିଶମାନେ ଏହି ସ୍ଥାନକୁ କେବଳ ଥଣ୍ଡାର ମଜାର ନେବା ପାଇଁ ଏଠାକୁ ଆସୁଥିଲେ। ସେତେବେଳର ବ୍ରିଟିଶ ପ୍ରଶାସକ ଡେରିଙ୍ଗ ସାହେବ ଆସିଥିବାରୁ ତାଙ୍କର ନାମାନୁସାରେ ଏହି ସ୍ଥାନର ନାମ ଦାରିଙ୍ଗବାଡି ରଖାଯାଇଥିବା ଇତିହାସ କହେ। ତେଣୁ ଅଧିକ ଥଣ୍ଡା ଯୋଗୁ ଏଠାରେ ପାଇନ ଗଛ ଭଲ ବଢ଼ୁଛି। ପାଇନ ଗଛର ଅରଣ୍ୟ ସହିତ ସ୍ଥାନେ ସ୍ଥାନେ ବରଫ ପଡ଼ିବାର ମଜା ନିଆରା।

ଦାରିଙ୍ଗବାଡି ବୁଲିବା ସବୁ ସମୟ ପ୍ରଯୁଜ୍ୟ ହୋଇଥିବାବେଳେ ନଭେମ୍ବରଠାରୁ ଜାନୁଆରୀ ପର୍ଯ୍ୟନ୍ତ ସମୟକୁ ପର୍ଯ୍ୟଟକମାନେ ଅଧିକ ପସନ୍ଦ କରିଥାନ୍ତି। ସବୁବେଳେ ଶୀତର ପ୍ରଭାବ ଏଠି ଥିବାବେଳେ ବିଶେଷ ଭାବେ ଶୀତ ଦିନେ ଏଠାରେ ରହିବା ଓ ବୁଲିବା ମଜା ନିଆରା। ଜଳପ୍ରପାତର ଥଣ୍ଡା ଜଳରେ ଗାଧୋଇବାକୁ ପର୍ଯ୍ୟଟକମାନେ ପସନ୍ଦ କରିଥାନ୍ତି। ଦାରିଙ୍ଗବାଡି ନିକଟ ବେଲଘରରେ ରହିଛି ଜଳପ୍ରପାତ। ଏବେ ଶୀତ କେବଳ ଆରମ୍ଭ ମାତ୍ର। ତେଣୁ ଆଗାମୀ ଦିନରେ ପାରଦ ଆହୁରି ଖସି ଆସିବ। ତେଣୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି ଉକ୍ତ ଅଞ୍ଚଳକୁ। ଆଗାମୀ ଦିନରେ ପାରଦ ଶୂନ ଡିଗ୍ରୀ ତଳକୁ ଖସିଯାଇପାରେ। ସନ୍ଧ୍ୟା ହେଲେ ଶୀତବସ୍ତ୍ର ନପିନ୍ଧିଲେ ଘରୁ ବାହାରି ହେବନି। ହେଲେ ସ୍ଥାନୀୟ ଆଦିବାସୀ ଲୋକମାନଙ୍କ ପାଇଁ ଶୀତଟା ସାଧାରଣ ହୋଇଥିବାରୁ ପ୍ରତ୍ୟେକ ସ୍ଥାନରେ ଧୁନି କରି ଶୀତରୁ ରକ୍ଷା ପାଉଥିବା ଦେଖିବାକୁ ମିଳେ।