୧୦° ତଳେ ଫୁଲବାଣୀ, ଦାରିଙ୍ଗିବାଡ଼ି, ହୀରାକୁଦ

ଭୁବନେଶ୍ୱର : ସାରା ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ଥଣ୍ଡା। ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭° ସେଲ୍‌ସିୟସ ଥିବା ବେଳେ ଦାରିଙ୍ଗିବାଡ଼ିରେ ୮° ଏବଂ ହୀରାକୁଦରେ ୮.୯° ରହିଛି। ଏହି ୩ଟି ସ୍ଥାନରେ ପାରଦ ୧୦° ତଳକୁ ଖସିଥିବା ବେଳେ ଏହି ସ୍ଥାନଗୁଡ଼ିକୁ ମିଶାଇ ମୋଟ ୧୯ଟି ସ୍ଥାନରେ ୧୫° ତଳେ ରହିଛି ପାରଦ। ଗତକାଲି ଭଳି ଆଜି ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ସର୍ବନିମ୍ନ ତାପମାତ୍ରା ତୁଳନାରେ ୩ରୁ ୪° କମ୍‌ ରହିଛି। ଡିସେମ୍ବର ୨/୩ ତାରିଖ ବେଳକୁ ଆହୁରି ୨° ତଳକୁ ଖସିବ ପାରଦ। ତେବେ ଦିନେ ଦୁଇଦିନ ଭିତରେ ଚେନ୍ନାଇ ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୪ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢ଼ିିବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସୂଚନାନୁସାରେ ଆଜି ଉତ୍ତର ପୂର୍ବ ଏବଂ ଉତ୍ତର ପଶ୍ଚିମ ଦିଗରୁ ଶୀତଳ ପବନ ବହୁଛି। ଉତ୍ତର ପଶ୍ଚିମ ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ ଆଦି ସ୍ଥାନରେ ଶୀତଳ ଲହରୀ ପରିସ୍ଥିତି ଉପୁଜିଛି। ଫଳରେ ସେସବୁ ସ୍ଥାନରୁ ଥଣ୍ଡା ପବନ କେନ୍ଦ୍ରୀୟ ଭାରତ ଦେଇ ଓଡ଼ିଶାକୁ ପ୍ରବେଶ କରୁଛି। ବର୍ତମାନ ସାମୁଦ୍ରିକ ପବନ ଅତ୍ୟନ୍ତ କ୍ଷୀଣ ଗତିରେ ବହୁଥିବାରୁ ତାହା ଥଣ୍ଡା ପବନକୁ ପ୍ରତିହତ କରିପାରୁନାହିଁ। ସମଗ୍ର ରାଜ୍ୟରେ ପାଗ ଏବେ ସଂପୂର୍ଣ୍ଣ ଶୁଖିଲା। ଏଣୁ ୨/୩ ତାରିଖ ପର୍ଯ୍ୟନ୍ତ ଥଣ୍ଡା ଆହୁରି ୨° ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଯଦି ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳୀୟବାଷ୍ପ ବାୟୁମଣ୍ଡଳରେ ମିଶେ, ୩ ତାରିଖ ପରେ ତାପମାତ୍ରା ବଢ଼ିପାରେ।

ଆଜି ଫୁଲବାଣୀ, ଦାରିଙ୍ଗିବାଡ଼ିକୁ ଛାଡ଼ିଦେଲେ, ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୮.୯° ଥିବା ବେଳେ ଭବାନୀପାଟଣାରେ ୧୦.୫°, ସୁନ୍ଦରଗଡ଼ରେ ୧୧°, କେନ୍ଦୁଝରରେ ୧୧.୩°, ଝାରସୁଗୁଡ଼ାରେ ୧୧.୪°, ସମ୍ବଲପୁର, ଅନୁଗୁଳରେ ୧୨°, ସୋନପୁରରେ ୧୨.୨°, ବାରିପଦାରେ ୧୨.୪°, ବାଲେଶ୍ୱର, ୧୩.୩°, ଢେଙ୍କାନାଳରେ ୧୩.୪°, ଟିଟିଲାଗଡ଼ରେ ୧୩.୫°, ବଲାଙ୍ଗୀର, ତାଳଚେରରେ ୧୪°, କୋରାପୁଟ, କଟକରେ ୧୪.୫°, ଭୁବନେଶ୍ୱରରେ ୧୪.୯° ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର