ପେଟ ଯନ୍ତ୍ରଣା ଯୋଗୁଁ ମହଙ୍ଗା ହେଲା ଢାଳ ଚିକିତ୍ସା, ପେଟରେ ଦୀପ ରଖି ଘୋଡାଇଦେଇଥିଲେ ଢାଳ

ଆଠମଲ୍ଲିକ: ପେଟରେ ଲାଖିଗଲା ପିତ୍ତଳ ଢାଳ | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ସାନଦାଦର ଗାଁରେ କିଛି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ଝିଲି ନାୟକ ନାମକ ମହିଳାଙ୍କର ଦୀର୍ଘ ଦିନ ଧରି ପେଟ ଯନ୍ତ୍ରଣା ହେଉଥିଲା | ଏଥିରୁ ମୁକ୍ତି ପାଇବା ପାଇଁ ପାଖରେ ଥିବା ଜଣେ ଗୁଣିଆଙ୍କୁ ଝିଲିଙ୍କ ପରିବାର ଲୋକ ଡାକିଥିଲେ |

ଗୁଣିଆ ଜଣକ ଝିଲିଙ୍କ ପେଟରେ ଏକ ଦୀପ ରଖି ଢାଳ ଦ୍ୱାରା ଘୋଡାଇଦେଇଥିଲେ | ତେବେ ଦୀପ ଝିଲିଙ୍କ ପେଟରେ ଢଳିଯାଇଥିଲା | ଯାହାଫଳରେ ଝିଲିଙ୍କ ପେଟରେ ଫୋଟକା ହୋଇଯିବା ସଙ୍ଗେ ଢାଳଟି ଲାଖି ରହିଯାଇଥିଲା | ଅସହ୍ୟ ଯନ୍ତ୍ରଣା ଯୋଗୁଁ ଝିଲିଙ୍କୁ ବିଳମ୍ବିତ ରାତିରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା |

ଆଜି ସକାଳେ ସର୍ଜରୀ ବିଭାଗର ଡାକ୍ତର ଏସ.କେ ପଣ୍ଡା ଢାଳଟିକୁ କାଟି କାଢିଥିଲେ | ତେବେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମହିଳାଙ୍କ ପରିବାର ଏଭଳି କାମ କରିଥିବାବେଳେ ଗୁଣିଆ ଜଣକ ଫେରାର ହୋଇଯାଇଛନ୍ତି | ମେଡିକାଲ ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ଲୋକଙ୍କ ଅନ୍ଧବିଶ୍ୱାସର ମାନସିକତା ପାଇଁ ଏଭଳି ଘଟିଥିବାର ଜଣାପଡିଛି |

ସମ୍ବନ୍ଧିତ ଖବର