ଅଧିକାଂଶ ସମୟରେ ଜଳୁନାହିଁ ଏଲ୍‌ଇଡି ଲାଇଟ୍‌, ଅନ୍ଧାରରେ ୨୬ ନମ୍ବର ଜାତୀୟ ରାଜପଥ 

ଜୟପୁର: ଜୟପୁର ସହର ଭିତର ଦେଇ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥର ସ‌ୌନ୍ଦର୍ଯ୍ୟୀକରଣ ପାଇଁ ଡିଭାଇଡର ମଝିରେ ଏଲ୍‌ଇଡି ଲାଇଟ ଲଗାଯାଇଛି। କିନ୍ତୁ ଅଧିକାଂଶ ସମୟରେ ଏହି ଲାଇଟ୍ ଜଳୁନାହିଁ। ପୁଣି ଦିନେ ଦିନେ ଅଧା ଜଳୁଥିଲେ, ଆଉ ଅଧା ଆଦୌ ଜଳୁନାହିଁ। ଯାହା ଫଳରେ ଅଧିକାଂଶ ସ୍ଥାନ ଅନ୍ଧାରରେ ରହୁଛି। ଯାହାକି ଜାତୀୟ ରାଜପଥରେ ଦୁର୍ଘଟଣା ଘଟିବାର ସମ୍ଭାବନା ବଢ଼ିଛି। ପ୍ରଶାସନ ଏ ସବୁ ଦେଖୁଥିଲେ ସୁଦ୍ଧା ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି।

ସହରର ମୁଖ୍ୟ ଟ୍ରାଫିକ୍ ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ରହିଥିବା ଡିଭାଇଡରେ ଗ୍ରୀନଫିଲ୍ଡ୍ ଯୋଜନାରେ ଲାଇଟ୍ ଲଗାଇବା ପାଇଁ ଗତ ଦିନରେ ନିଷ୍ପତ୍ତି ନିଆଯାଇଥିଲା। ଏହି ୧ କିଲୋମିଟ ରାସ୍ତାରେ ୫୭ଟି ଖୁଣ୍ଟ ପ‌ୋତା ଯାଇଥିଲା। ପ୍ରତ୍ୟେକ ଖୁଣ୍ଟରେ ଦୁଇଟି ଲେଖାଏଁ ମୋଟ ୧୧୪ଟି ଏଲ୍ଇଡି ଲାଇଟ୍ ଲାଗିଥିଲା। ଏହି ଲାଇଟ୍ ଲାଗିବାର କିଛଟା ମାସ ବିତିନି, କିନ୍ତୁ ‌ସେଥିରୁ କେତେକ ଲାଇଟ୍ ଆଉ ଜଳୁନାହିଁ। ଯାହାଫଳ‌ରେ ରାଜପଥ ଅନ୍ଧକାର ହୋଇଯାଉଛି। ଏହି ଲାଇଟ୍ ଗୁଡ଼ିକ ପାଇଁ ଗୋଟିଏ ଏମ୍‌ଏସ୍‌ବି (ମିନିଏଚର୍‌ ସର୍କିଟ ବ୍ରେକର) ଲାଗିଛି, ଯାହା ଲୋଡ୍ ନେଇପାରୁ ନଥିବା କାରଣରୁ ଅଧା ଲାଇଟ୍ ବନ୍ଦ ରହୁଥିବା ଜଣାପଡ଼ିଛି। ଆରମ୍ଭରୁ ଉକ୍ତ କମ୍ପାନି କରୁଥିବା ତ୍ରୁଟି କାରଣରୁ ଏବେ ଏମିତି ଅବସ୍ଥା ହୋଇଛି ବୋଲି କୁହାଯାଉଛି। କାରଣ ଥ୍ରୀ ଫେଜ୍‌ରେ ଏମ୍‌ଏସ୍‌ବି ବସାଇ ଗୋଟିଏ ଫେଜ୍‌ରେ ଲୋଡ୍ ଦିଆଯାଇଛି। ପୁଣି ଏମ୍‌ଏସବିକୁ ଏଲ୍‌ଟି ଲାଇନରେ ସଂଯୋଗ କରାଯାଇଛି। ସେହି ଏଲ୍‌ଟି ଲାଇନ୍‌ରୁ ପୂର୍ବରୁ ଘରୋଇ ଗ୍ରାହକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଯଦି ଘରୋଇ ଲାଇନ୍‌ରେ କିଛି ଅସୁବିଧା ହେଉଛି ତେବେ ଷ୍ଟ୍ରିଟ ଲାଇଟ୍ ବନ୍ଦ ହୋଇଯାଉଛି। ସେହିପରି ଷ୍ଟ୍ରିଟ ଲାଇଟ୍‌ରେ କୌଣସି ଅସୁବିଧା ହେଲେ ଘରୋଇ ଲାଇନ୍ କଟି ଯାଉଛି। ବାରମ୍ବାର ଏମିତି ସମସ୍ୟା ହେଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ।‌‌ ତେଣୁ ଅଯଥାରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏନେଇ ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ଯେ, ଏହି ଲାଇଟ୍ ବାରମ୍ବାର ବନ୍ଦ ହେଉଥିବାରୁ ବିଦ୍ୟୁତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଏହାର ଯାଞ୍ଚ କରିବାକୁ କହିଥିଲେ। ଯାଞ୍ଚ ପରେ ଜଣା ପଡିଥିଲା ଯେ, ସେଥିରେ ଆହୁରି ୨ଟି ଏମ୍‌ଏସବି ଲାଗିବାର ଆବଶ୍ୟତା ରହିଛି। ଏନେଇ ବାଙ୍ଗାଲୁରୁରେ ଥିବା ଗ୍ରୀନ୍‌ ଫିଲଡ୍ ମୁଖ୍ୟ କାର୍ଯ୍ୟାଳୟ ସହ କଥାବାର୍ତ୍ତା କରାଯାଇଛି। ସେମାନଙ୍କ୍ ଟିମ୍ ଆସି ଦେଖିବା ସହ ଏମ୍‌ଏସ୍‌ବି ଲଗାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର