ପୁରୀ ରଥଯାତ୍ରା: ତାଳଧ୍ବଜ ପରେ ଶରଧାବାଲି ଅଭିମୁଖେ ଗଡ଼ିଲା ଦର୍ପଦଳନ, ଘଣ୍ଟଘଣ୍ଟା ଧ୍ବନିରେ ବଡ଼ଦାଣ୍ଡ ପ୍ରକମ୍ପିତ

ପୁରୀ ରଥଯାତ୍ରା: ତାଳଧ୍ବଜ ପରେ ଶରଧାବାଲି ଅଭିମୁଖେ ଗଡ଼ିଲା ଦର୍ପଦଳନ, ଘଣ୍ଟଘଣ୍ଟା ଧ୍ବନିରେ ବଡ଼ଦାଣ୍ଡ ପ୍ରକମ୍ପିତ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଜାରି ରହିଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନକୁ ଭକ୍ତମାନେ ଶରଧାବାଲି ଅଭିମୁଖେ ଟାଣି ନେଉଛନ୍ତି। ବଡ଼ଦାଣ୍ଡରେ ଆଜି ଅପରାହ୍‌ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା। ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ଟାଣିବା ଆରମ୍ଭ କରିଦେଇଥିଲେ।  ଏହା ପରେ ଅପରାହ୍‌ଣ ୩ଟା ୫୫ ମିନିଟରେ ଦର୍ପଦଳନ ଟଣା ଯାଉଛି। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ଭକ୍ତମାନେ ଶ୍ରଦ୍ଧାର ସହିତ ତାଳଧ୍ବଜକୁ ଶରଧାବାଲି ଅଭିମୁଖେ ଟାଣି ନେଉଛନ୍ତି। ତାଳଧ୍ବଜ ଓ ଦର୍ପଦଳନ ଆଗକୁ ଗଡ଼ିଥିବା ବେଳେ ନନ୍ଦିଘୋଷ ଶରଧାବାଲି ଅଭିମୁଖେ ଗଡ଼ିବା ପାଇଁ ପ୍ରସ୍ତୁତ ହୋଇଯାଇଛି। ଆଉ କିଛି ସମୟ ପରେ ଏହାକୁ ଭକ୍ତମାନେ ଟାଣିନେବେ।

ବର୍ଷା ଅଭାବ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ଥିବା ବେଳେ ପୁରୀବାସୀଙ୍କୁ ମଧ୍ୟ ଏହା ଅସହ୍ୟ ହୋଇପଡ଼ିଛି। ପୁରୀରେ ୩୪ ଡିଗ୍ରି ତାପମାତ୍ରା ଓ ୭୨ ପ୍ରତିଶତ ଆଦ୍ରତାକୁ ଖାତିର ନକରି ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇଛନ୍ତି। ଭଗବାନଙ୍କ ପାଖରେ ଭକ୍ତି ଥିବାରୁ ଭକ୍ତମାନଙ୍କୁ ଖରାର ‌ପ୍ରକୋପ ପ୍ରଭାବିତ କରିପାରି ନାହିଁ। ଏହା ପୂର୍ବରୁ ରଥଉପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡ଼ିକା ଧରି ଛେରାପହଁରା କରିବା ପରେ ଚାରମାଳ ଫିଟା ଯାଇଥିଲା। ଘୋଡ଼ା ଓ ସାରଥି ‌ଲଗାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆଜି ସକାଳୁ ଶ୍ରୀମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ପହଣ୍ଡି ପରେ ତିନି ରଥରେ ବିଜେ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ସକାଳ ପ୍ରାୟ ୯ଟା ବେଳେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ତାପରେ ଶ୍ରୀବଳଦେବଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ମା’ ସୁଭଦ୍ରାଙ୍କର ଏବଂ ଶେଷରେ କାଳିଆ ଠାକୁରଙ୍କର ପହଣ୍ଡିବିଜେ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ହୁଳହୁଳି, ହରିବୋଲ ଡାକ ସହ ଘଣ୍ଟଘଣ୍ଟା ଧ୍ୱନି ଓ ମର୍ଦ୍ଦଳା, ତୂରୀଭେରୀ ନାଦରେ ସିଂହଦ୍ୱାର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଗହଳି ଲଗେଇ ଆସିଛନ୍ତି ମହାପ୍ରଭୁା ଟାହିଆ ହଲେଇ ଆସିଥିଲେ କାଳିଆ ଗୋସାଇଁ। ଆଜି ରଥଯାତ୍ରାରେ ପୁରୀରେ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe