ସୁଧୁରୁନି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା: ମହାପ୍ରଭୁଙ୍କ ଭକ୍ତଙ୍କୁ କଷ୍ଟ

ଭିଡ଼ରେ ୫ ଭକ୍ତ ଅସୁସ୍ଥ, ଘଟଣାର ସମାଧାନ ପାଇଁ ମୁଖ୍ୟ ସଚିବଙ୍କ ପଦକ୍ଷେପ

ପୁରୀ/ ଭୁବନେଶ୍ବର: ଅଗଣିତ ଭକ୍ତଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। କୋଭିଡ ପରଠୁ ବନ୍ଦ ଥିବା ଚାରିଦ୍ୱାର ଦର୍ଶନ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଛି। କିନ୍ତୁ ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିପାରିନି। ପୁରୁଣା ବ୍ୟବସ୍ଥାରେ ଏବେ ବି ଭକ୍ତ ଦର୍ଶନ କରୁଛନ୍ତି। ପରିଣାମ ସ୍ୱରୂପ, ଶନିବାର ଛୁଟିଦିନରେ ଭକ୍ତ ଭିଡ଼ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଆଜି ରବିବାରରେ ମଧ୍ୟ ଭିଡ଼ ଯନ୍ତ୍ରଣା ଅସହ୍ୟ ହୋଇଛି। ମୁଣ୍ଡଫଟା ଖରାରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିଥିଲେ ଭକ୍ତ। ଶ୍ରୀମନ୍ଦିର ଭିତର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସାତ ପାହାଚ, ନାଟମଣ୍ଡପ, ବାହାରକାଠ, ଭିତର କାଠରେ ଅସହ୍ୟ ଭିଡ଼। ଆଜି ୫ ଜଣ ଭକ୍ତ ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅପରପକ୍ଷେ ନୂଆ ସରକାରଙ୍କୁ ବଦନାମ କରିବା ପାଇଁ ଏହା ପ୍ରାୟୋଜିତ ଭିଡ଼ ବୋଲି କେତେକ ସେବାୟତ ଅଭିଯୋଗ କରିଛନ୍ତି। ପ୍ରଶାସନ ଚାହିଲେ ବ୍ୟବସ୍ଥା ଶୃଙ୍ଖଳିତ କରିପାରିବ। କିନ୍ତୁ ସେଭଳି କିଛି ଉଦ୍ୟମ ହେଉନି ବୋଲି ସେବାୟତ, ଭକ୍ତମାନେ ଅଭିଯୋଗ କରିଛନ୍ତି।

ପୂର୍ବରୁ ଠାକୁରଙ୍କ ଦର୍ଶନ ପାଇଁ କେବଳ ସିଂହଦ୍ୱାର ଦେଇ ଭକ୍ତଙ୍କୁ ଛଡ଼ାଯାଉଥିଲା। ସିଂହଦ୍ୱାରରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ପୁଣି ଶ୍ରୀମନ୍ଦିର ଭିତରକୁ ଯିବା ପରେ ସାତ ପାହାଚଠାରେ ଅଟକୁଥିଲେ। ଏଣୁ ଶ୍ରୀମନ୍ଦିର ଭିତରେ ବି ଭିଡ଼ ରହିଥିଲା। ସେପଟେ ସାତପାହାଚରୁ ଦର୍ଶନ ପାଇଁ ନାଟମଣ୍ଡପକୁ ଯିବା ବେଳେ ଭିଡ଼ ଭିତରେ ଅଣନିଃଶ୍ୱାସୀ ହୋଇପଡୁଥିଲେ ଭକ୍ତ। ପ୍ରତି ଶନିବାର, ରବିବାର ଓ ଅନ୍ୟ ଓ ପର୍ବପର୍ବାଣୀ, ଛୁଟିଦିନରେ ସ୍ଥିତି ଅଣାୟତ୍ତ ହୋଇପଡୁଥିଲା। ଏବେ ଚାରିଦ୍ୱାର ଦେଇ ଭକ୍ତ ପ୍ରବେଶ କରୁଛନ୍ତି ସତ, କିନ୍ତୁ ଭିତର ଦର୍ଶନ ବ୍ୟବସ୍ଥା ପୂର୍ବଭଳି ରହିଛି। ଏଣୁ ଚାରିଦ୍ୱାରରୁ ଭକ୍ତ ଗଲେ ବି ସାତପାହାଚଠାରେ ଅଟକି ରହୁଛନ୍ତି। ଫଳରେ ଶ୍ରୀମନ୍ଦିର ଭିତର ବେଢାରେ ଭିଡ଼ ଅସମ୍ଭାଳ ହୋଇପଡୁଛି। ଭିତର ବେଢ଼ା ଭକ୍ତଙ୍କ ଗହଳି କାରଣରୁ ବାହାରେ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ୁଛି। ଚାରିଦ୍ୱାରରେ ଭକ୍ତଙ୍କ ଭିଡ଼ ଲାଗି ରହୁଛି ଏବଂ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଧାଡିରେ ଛିଡା ହେଉଛନ୍ତି।

ଆଜି ଭିତର ବେଢ଼ାରେ ନୟାଗଡ଼ ବିଜୟନଗର ଅଞ୍ଚଳର କୁନମୁନ ମହାନ୍ତି, ଯାଜପୁରର ସୁଚିତ୍ର ବେହେରା, ବାଲେଶ୍ୱରର ତୁଷାରକାନ୍ତି ପତି, ଭୁବନେଶ୍ୱରର ପି ସି ସାହୁ ପ୍ରମୁଖ ଅସୁସ୍ଥ ହୋଇପଡ଼ିଥିଲେ। ଆଗକୁ ଏଥିପ୍ରତି ଦୃଷ୍ଟି ନ ଦେଲେ ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଛି ସେବାୟତମାନେ କହିଛନ୍ତି। ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ମୁଁ ଆରମ୍ଭରୁ କହି ଆସୁଛି, ନାଟମଣ୍ଡପ, ବାହାର କାଠ, ଭିତର କାଠ ଦର୍ଶନ ବ୍ୟବସ୍ଥାରେ ସୁଧାର ଅଣାଯାଉ। ପୁଲିସ ମାନବଶୃଙ୍ଖଳ କରି ନାଟମଣ୍ଡପ ଭିତରେ ଭକ୍ତଙ୍କୁ ଛାଡନ୍ତୁ। ଏମିତି ହେଲେ ସାତପାହାଚରେ ଭକ୍ତ ଅଟକିବେନି କି ଚାରିଦ୍ୱାରରେ ଭିଡ଼ ହେବନି। ଛୁଟିଦିନରେ ଭକ୍ତଙ୍କ ଦର୍ଶନ ଉପରେ ବିଶେଷ ଦୃଷ୍ଟି ଦେବାକୁ କହିଛୁ। ପ୍ରଶାସନର ବି ଦୃଷ୍ଟି ଆକର୍ଷଣ କରିଛୁ। କିନ୍ତୁ କେହି ଶୁଣିବାକୁ ନାରାଜ। ଏମିତି ହେଲେ ଭକ୍ତ ଦର୍ଶନ ପାଇଁ କଲବଲ ହେବେ ହିଁ ହେବେ ବୋଲି ସେ କହିଛନ୍ତି।

ଭିଡ଼ରେ ୫ ଭକ୍ତ ଅସୁସ୍ଥ
ତୁରନ୍ତ ବୈଠକ ଡାକ: ପରିଚାଳନା କମିଟି ସଦସ୍ୟ
ସ୍ବତନ୍ତ୍ର ବୈଠକ ବସିବ, କମିଟି ହେବ: ଜିଲ୍ଲାପାଳ
ଘଟଣାର ସମାଧାନ ପାଇଁ ମୁଖ୍ୟ ସଚିବଙ୍କ ପଦକ୍ଷେପ
ଅଧିକ ୮ ପ୍ଲାଟୁନ୍ ଫୋର୍ସ ନିୟୋଜିତ, ପୁରୀ ଯିବେ ଗୁଇନ୍ଦା ନିର୍ଦ୍ଦେଶକ
ଖୁବ୍ ଶୀଘ୍ର ସମାଧାନ ଲାଗି ପଦକ୍ଷେପ ନିଆଯାଉଛି: ଆଇନ ମନ୍ତ୍ରୀ

ଅପରପକ୍ଷେ ଗତ ଦୁଇଦିନର ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଭିତର ଅବ୍ୟବସ୍ଥା ନେଇ ଜରୁରୀ ପରିଚାଳନା କମିଟି ବୈଠକ ଡାକିବାକୁ ମୁଁ ଶ୍ରୀମନ୍ଦିର ପ୍ରଶାସନକୁ ବାରମ୍ବାର ଚିଠି ଲେଖିଛି। ଆସନ୍ତା ୧୯ ତାରିଖରେ ପରିଚାଳନା କମିଟି ବୈଠକ ଡକାଯାଇଛି। ମାତ୍ର ଏହାର ଏଜେଣ୍ଡାରେ ଦର୍ଶନ ଅବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା ପାଇଁ କୌଣସି ପ୍ରସ୍ତାବ ନାହିଁ। ତେଣୁ ଶ୍ରୀମନ୍ଦିର ପରିଚାଳନା କମିଟି ତୁରନ୍ତ କେବଳ ଦର୍ଶନ ବ୍ୟବସ୍ଥାକୁ ସୁପରିଚାଳନା ପାଇଁ ଏକ ଜରୁରୀ ବୈଠକ ଡ଼ାକିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ଭିଡ଼କୁ ନେଇ ଭକ୍ତ ଅସନ୍ତୋଷ ବଢୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ହେୟଜ୍ଞାନ କରିବା ଦୁର୍ଭାଗ୍ୟଜନକ। ନୂଆ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଭକ୍ତଙ୍କ ସ୍ୱାର୍ଥ ପାଇଁ ଓ ସମସ୍ତେ ଏ ଦିଗରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ସେପଟେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଗଣମାଧ୍ୟମକୁ କହିଛନ୍ତି ଯେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଖୁବ୍ ଶୀଘ୍ର ବସିବ ସ୍ୱତନ୍ତ୍ର ମ୍ୟାନେଜିଂ କମିଟି ବୈଠକ। ଏ ସଂକ୍ରାନ୍ତରେ ସ୍ବତନ୍ତ୍ର କମିଟି ଗଠନ ହେବ। ସମସ୍ତଙ୍କ ସହିତ ଆଲୋଚନା ପରେ ଶ୍ରୀମନ୍ଦିର ଭିତରେ କିପରି ଦର୍ଶନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ପଦକ୍ଷେପ ନିଆଯିବ। ପୁରୀ ଏସ୍‌ପି ପିନାକ ମିଶ୍ର କହିଛନ୍ତି, ଛୁଟି ଯୋଗୁଁ ଶ୍ରୀକ୍ଷେତ୍ରରେ ଦୁଇଗୁଣା ଭକ୍ତଙ୍କ ସମାଗମ ଘଟିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ଟ୍ରାଫିକ୍‌ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହୋଇଛି। ନୂତନ ନିର୍ଦ୍ଦେଶନାମା ଅନୁସାରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳିତ ହେବାକୁ ଆଉ କିଛିଦିନ ସମୟ ଲାଗିବ। ଛୁଟି ଦିନ ମାନଙ୍କରେ ଅହେତୁକ ଭିଡ ଯୋଗୁଁ ଭକ୍ତ ମାନଙ୍କୁ ସଂଯମତା ରଖିବାକୁ ପଡ଼ିବ।

ଏପଟେ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଶ୍ରୀମନ୍ଦିର ଭିତର ଦର୍ଶନ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଧିକ ୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ଆଇନଶୃଙ୍ଖଳା ଏଡିଜି ନିଜେ ଉପସ୍ଥିତ ଅଛନ୍ତି। ଖୁବ୍‌ ଶୀଘ୍ର ଗୁଇନ୍ଦା ନିର୍ଦ୍ଦେଶକ ପୁରୀ ଯିବେ। ଯେହେତୁ ରଜ ଛୁଟି ରହିଥିଲା, ପୁରୀରେ ଅଧିକ ଭିଡ଼ ହୋଇଥିଲା। ଆଜି ଦର୍ଶନ ଅଧିକ ଶୃଙ୍ଖଳିତ ହୋଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଭିଡ଼ ନିୟନ୍ତ୍ରଣ ପାଇଁ ଆଜିଠାରୁ ପଦକ୍ଷେପ ନିଆଯାଇଛି। ଆଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉଛି। ଜଗନ୍ନାଥଙ୍କ କୃପାରୁ ସବୁ ଠିକ୍ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଏହା ଭିତରେ ଆଉ ଗୋଟିଏ ଘଟଣା ସାମ୍ନାକୁ ଆସିଛି। ଭକ୍ତଙ୍କୁ ପୁଲିସର ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଭକ୍ତଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଶନିବାର ଭକ୍ତଙ୍କ ବିପୁଳ ସମାଗମ ହୋଇଥିବାରୁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ମଧ୍ୟାହ୍ନ ପ୍ରାୟ ସାଢ଼େ ୨ଟାରେ ବ୍ୟାରିକେଡ ମଧ୍ୟରେ ଧାଡ଼ିରେ ଛିଡ଼ା ହୋଇଥିବା କିଛି ଡାକ୍ତର ତଥା ଭକ୍ତ ଦର୍ଶନ ବ୍ୟବସ୍ଥିତ କରିବା ପାଇଁ ପୁଲିସକୁ କହିଥିଲେ। ତେବେ ଶ୍ରୀମନ୍ଦିରରୁ ନିକଟରେ ବଦଳି ହୋଇଥିବା ଜଣେ ଓଏସ୍‌ଏପି ଅଧିକାରୀ ଡାକ୍ତରମାନଙ୍କ କଥା ଶୁଣି ବିରକ୍ତି ପ୍ରକାଶ ସହ ଗାଳିଗୁଲଜ କରିଥିଲେ। ସେଇ ସମୟରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରୁଥିବା ଏସ୍‌ପି ପିନାକ ମିଶ୍ର ଏହି ବାଟ ଦେଇ ଯିବା ବେଳେ ଘଟଣା ଉପରେ ନଜର ପଡ଼ିଥିଲା। ଏସ୍‌ପି ଶ୍ରୀ ମିଶ୍ର ହସ୍ତକ୍ଷେପ କରି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଭକ୍ତମାନେ ଏନେଇ ସିଂହଦ୍ବାର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର