ମହାପ୍ରଭୁଙ୍କୁ ଲାଗି ହେଲା ଦଶମୂଳ; ସୁସ୍ଥ ହେଲେ ମହାପ୍ରଭୁ, ଆଜି ରାଜପ୍ର‌ାସାଦ ବିଜେ

ପୁରୀ : ସ୍ନାନଯାତ୍ରା ପର ଠାରୁ ଅଣସର ଘରେ ଅସୁସ୍ଥ ଥିବା ମହାପ୍ରଭୁ ଗତକାଲି ବିଳମ୍ବିତ ରାତିରେ ସୁସ୍ଥ ହୋଇଛନ୍ତି। ମହାପ୍ରଭୁ ସୁସ୍ଥ ହୋଇଥିବାରୁ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀବିଗ୍ରହ ସୁସ୍ଥ ହେବା ଖବର ଗଜପତିଙ୍କୁ ଦିଆଯିବ। ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳ ମହାପ୍ରଭୁଙ୍କୁ ଲାଗି ହୋଇଛି। ଶ୍ରୀମନ୍ଦିର ବୈଦ୍ୟମାନେ ଦଶମୂଳ ପ୍ରସ୍ତୁତ କରି ଗତକାଲି ଶ୍ରୀମନ୍ଦିର ଗାରଦରେ ଦାଖଲ କରିବା ପରେ ଆଜି ଏହା ଲାଗି ହୋଇଥିଲା।

ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ ଏହି ଦଶମୂଳ ଉପଚାରରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଦୀର୍ଘଦିନ ଧରି ମହାପ୍ରଭୁଙ୍କୁ ଧଳାଫୁଲ ଲାଗି କରାଯାଉଥିବା ବେଳେ ଆଜି ପ୍ରଥମ କରି ତୁଳସୀ ଲାଗି ହୋଇଛି। ମହାପ୍ରଭୁଙ୍କୁ ତୁଳସୀ ଲାଗି ପରେ ଶ୍ରୀମନ୍ଦିର ବୈଦ୍ୟରାଜ ପ୍ରଦାନ କରିଥିବା ଦଶମୂଳ ଲାଗି ହୋଇଥିଲା। ଗୋପନ ନୀତି ଶେଷ ହେବା ପରେ ଚକଟା ଭୋଗ ଲାଗି ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମା ଦିନ ଠାରୁ ଅଣସର ପିଣ୍ଡିରେ ଦଇତାପତି ଓ ପତିମହାପାତ୍ର ଗୋପନ ନୀତି କରୁଛନ୍ତି। ତୁଳସୀ ଲାଗି ନୀତି ପରେ ମହାପ୍ରଭୁଙ୍କ ସର୍ବାଙ୍ଗ ହେବ। ସେହିଭଳି ଶୁଦ୍ଧ ସୁଆର ଅଣସର ଘରେ ପ୍ରସ୍ତୁତ କରିଥିବା ଖଳି(ଓଷ) ମଧ୍ୟ ଶ୍ରୀବିଗ୍ରହଙ୍କୁ ଲାଗି ହୋଇଥିଲା।

ଏହା ପୂର୍ବରୁ ଠାକୁରମାନଙ୍କୁ ଫୁଲୁରି ତେଲ ଲାଗି ‌ହୋଇସାରିଛି। ଏବେ ଦଶମୂଳ ଲାଗି ହୋଇଛି। ଆୟୁର୍ବେଦ ବିଧି ମୁତାବକ ବୈଦ୍ୟରାଜମାନେ ଏହା ପ୍ରସ୍ତୁତ କରିଛନ୍ତି। ଆଜି ଖଳି ଲାଗି ଏକାଦଶୀ ତିଥିରେ ଅସୁସ୍ଥ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ମୋଦକ ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ଦେଲେ। ଆସନ୍ତାକାଲି ରାଜପ୍ରସାଦ ବିଜେ ‌ନୀତି ହେବ। ଶ୍ରୀମନ୍ଦିର ବୈଦ୍ୟଙ୍କ ସୂଚନା ମୁତାବକ, ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପ୍ରସ୍ତୁତ ଏହି ଦଶମୂଳ ପ୍ରସ୍ତୁତି ପାଇଁ ଶାଳପର୍ଣ୍ଣୀ, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋଡ଼ି, ଦେଶୀଘିଅ, ମହୁ, ନବାତ, ‌ଖୁଆସର ଆଦି ବ୍ୟବହାର କରାଯାଇଥାଏ। ସ୍ନାନପୂର୍ଣ୍ଣିମା ଠାରୁ ହବିଷାନ୍ନ ଖାଇ ବୈଦ୍ୟ କବିରାଜଙ୍କ ସମସ୍ତ ସଦସ୍ୟ ବର୍ଷକରେ ଥରେ ମହାପ୍ରଭୁଙ୍କ ଏହି ସେବାରେ ନିୟୋଜିତ ହୋଇଥା’ନ୍ତି।

ସମ୍ବନ୍ଧିତ ଖବର