ଚିହ୍ନଟ ହୋଇପାରୁନି ଜାଗା, ଭଙ୍ଗାଦଦରା କୁଡ଼ିଆରେ ବିତୁଛି ଜୀବନ

ଦଶପଲ୍ଲା : ମାଛ କିଲେ କି ଦୁଇ କିଲୋ ଧରିଲେ ସେଥିରେ ଚଳୁଛି ପରିବାର। ନଚେତ୍ ଭୋକ ଉପାସରେ କଟୁଛି ଦିନ। ଜମିବାଡ଼ି ଗୁଣ୍ଠେ ନଥିବା ବେଳେ ବହୁ ଅଭିଯୋଗ ସହ ହାତଗୁଞ୍ଜା ଦେବା ପରେ ବସୁନ୍ଧରା ଯୋଜନାରେ ଜାଗା ଖଣ୍ଡେ ମିଳିଛି। ହାତରେ ପଟ୍ଟାଖଣ୍ଡେ ଧରାଇ ଦେଇ ତହସିଲ କର୍ତ୍ତୃପକ୍ଷ ନିଜ ଉପରୁ ଦୋଷ ଖସାଇ ଦେଇଥିବା ବେଳେ ବାରମ୍ବାର ଦରଖାସ୍ତ କରି ବି ମିଳୁନି ଆବାସ। ଫଳରେ ଭଙ୍ଗାଦଦରା କୁଡ଼ିଆ ମଧ୍ୟରେ ବିତୁଛି ୪ ପ୍ରାଣୀ କୁଟୁମ୍ବଙ୍କ ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି, ଦଶପଲ୍ଲା ବ୍ଲକ୍‌ ସରିଗଣ୍ତା ଗ୍ରାମ ପଞ୍ଚାୟତର ଡାଳିପଦର ଗ୍ରାମରେ।

ଗ୍ରାମର କୈଳାସ ଘଡେଇଙ୍କ ପରିବାର କହିଲେ ପତ୍ନୀ ସବିତା ଘଡ଼େଇଙ୍କ ସହ ଗୋଟିଏ ପୁଅ ଓ ଗୋଟିଏ ଝିଅ। ୪ ପ୍ରାଣୀ କୁଟୁମ୍ବକୁ ନେଇ କୈଳାସ ପରିବାର ଚଳାଇ ଆସୁଛନ୍ତି। କୁଆଁରିଆ ଜଳଭଣ୍ତାରରୁ ମାଛ ମାରିଲେ ସେଥିରେ ପରିବାର ଚଳୁଛି। ଜମିବାଡ଼ି ଗୁଣ୍ଠେ ନଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ୨୦ କିଲୋ ଚାଉଳ ସାହାରା ସାଜିଛି। ଜାଗା ନଥିବା ହେତୁ ଘର ଖଣ୍ଡେ ପାଇଁ କେହି ବି ଶୁଣୁ ନଥିଲେ। ଜାଗା ପାଇଁ ବାରମ୍ବାର ଦରଖାସ୍ତ କରିବା ପରେ କିଏ ମାଛ ତ ପୁଣି କିଏ ହାତଗୁଞ୍ଜା ନେବା ପରେ ବହୁ କଷ୍ଟରେ ବସୁନ୍ଧରା ଯୋଜନାରେ ୨୦୨୦ ମାର୍ଚ୍ଚ ମାସରେ ଡାଳିପଦର ମୈାଜାର ୫୫/୩୦୬ରେ ଘରବାରି ପଟ୍ଟାଖଣ୍ଡେ ମିଳିଛି। ହେଲେ ଏହି ପ୍ଲଟ୍‌ଟି କେଉଁଠି ତାହା ଏଯାଏଁ ଚିହ୍ନଟ କରାଯାଉନାହିଁ।

ଏହା ମଧ୍ୟରେ ଜାଗା ଚିହ୍ନଟ କରିଦେବାକୁ କହି ଆର୍‌ଆଇ କାର୍ଯ୍ୟାଳୟରୁ ଜଣେ ବ୍ୟକ୍ତି ଆସି ୩ ମାସ ହେବ ୩ ଶହ ୬୦ ଟଙ୍କା ନେଇଥିବା ବେଳେ କାହାରି ଦେଖା ମଧ୍ୟ ମିଳୁନି। ଏପଟେ ଘର ଖଣ୍ତିକ ଓହଳିପଡ଼ି ଭୂଇଁକୁ ଲାଗି ପଡ଼ିଲାଣି। କେତେବେଳେ ବି ତାହା ଭାଙ୍ଗି ପଡ଼ିପାରେ। ଏଭଳି ସ୍ଥିତିରେ ହାତରେ ପଟ୍ଟା ଖଣ୍ତିକ ଧରାଇ ଦେଇ ତହସିଲ କର୍ତ୍ତୃପକ୍ଷ ନିଜ ଉପରୁ ଦୋଷ ଖସାଇ ଦେଇଥିବା ବେଳେ ଆବାସ ଯୋଜନା ସାତସପନ ପାଲଟିଛି।

ସମ୍ବନ୍ଧିତ ଖବର