ଦାଶରଥି ଦାସଙ୍କୁ ସାହିତ୍ୟ ଅକାଦେମି ପୁରସ୍କାର

ଗଗନେନ୍ଦ୍ରନାଥଙ୍କୁ ଭାଷା ସମ୍ମାନ, ପ୍ରଫୁଲ୍ଲ ଓ ହଳଧରଙ୍କୁ କୋଶଲି-ସମ୍ବଲପୁରୀ ଭାଷା ସମ୍ମାନ

ଭୁବନେଶ୍ବର : ୨୦୧୮ର କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଘୋଷିତ ହୋଇଛି। ପ୍ରବନ୍ଧ ସଙ୍କଳନ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ପାଇଁ ଏହି ପୁରସ୍କାର ପାଇବେ ବିଶିଷ୍ଟ ପ୍ରାବନ୍ଧିକ ତଥା ସମାଲୋଚକ ପ୍ରଫେସର ଦାଶରଥି ଦାସ। ସେହିପରି ଓଡ଼ିଶାର ଆଉ ତିନି ଜଣ ବିଶିଷ୍ଟ ଲେଖକ ସାହିତ୍ୟ ଅକାଦେମିର ଭାଷା ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ୨୦୧୮ ମସିହାର ‘ଭାଷା ସମ୍ମାନ’ ପାଇବାକୁ ବିଶିଷ୍ଟ ପ୍ରାବନ୍ଧିକ ଗଗନେନ୍ଦ୍ରନାଥ ଦାଶ ମନୋନୀତ ହୋଇଥିବା ବେଳେ ୨୦୧୭ ମସିହା ପାଇଁ ଲେଖକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଏବଂ ଲୋକକବି ପଦ୍ମଶ୍ରୀ ହଳଧର ନାଗ ଯୁଗ୍ମ ଭାବରେ କୋଶଲି-ସମ୍ବଲପୁରୀ ଭାଷା ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ଚଳିତ ବର୍ଷର ଅକାଦେମି ପୁରସ୍କାର ଘୋଷଣା ସମୟରେ ଏକଥା ଉଲ୍ଲେଖ କରିଛନ୍ତି।

ଏଥର ଅକାଦେମି ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରାବନ୍ଧିକ ଶ୍ରୀ ଦାସ ୧୯୩୬ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଆୟତପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଅଧ୍ୟାପକ ଭାବରେ କର୍ମମୟ ଜୀବନ ଆରମ୍ଭ କରି ୧୯୯୬ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ପ୍ରଫେସର ପଦବିରୁ ସେ ଅବସର ଗ୍ରହଣ କରିଥିଲେ। ତାଙ୍କ ରଚିତ ପୁସ୍ତକ ମଧ୍ୟରେ ରହିଛି ‘କାବ୍ୟ ସମ୍ବାଦ’, ‘ଆଧୁନିକ କାବ୍ୟ ଜିଜ୍ଞାସା- ଚିତ୍ରକଳ୍ପ’, ‘ସାହିତ୍ୟ ସନ୍ଧାନ’, ‘କବିସୂର୍ଯ୍ୟ କାବ୍ୟବିଭା’, ‘ମୃତ୍ୟୁଲୋକରେ ଋତୁ ସପ୍ତମ’, ‘ଚିହ୍ନା ମାଟି ଅଚିହ୍ନା ଆକାଶ’ ଏବଂ ‘ନାଟ୍ୟ ନିବନ୍ଧ’ ଇତ୍ୟାଦି। ଏଥିସହିତ ସେ ‘କାବ୍ୟ ଦର୍ଶନ’, ‘ଶ୍ରେଷ୍ଠ ଓଡ଼ିଆ ପ୍ରବନ୍ଧ’ ଏବଂ ‘ଅଭିନବ ଭଞ୍ଜଭାରତୀ’ ଆଦି ପୁସ୍ତକର ସମ୍ପାଦନା କରିଛନ୍ତି। ସେ ଝଙ୍କାର ପ୍ରବନ୍ଧ ପୁରସ୍କାର, ବିଷୁବ ପୁରସ୍କାର, ସାରଳା ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ତଥା ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପାଇସାରିଛନ୍ତି। ପୂର୍ବରୁ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ଓଡ଼ିଶା ସାହିତ୍ୟ ଏକାଡେମିର କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରିଥିବା ଶ୍ରୀ ଦାସ ଜ୍ଞାନପୀଠ ସମେତ ଅନ୍ୟାନ୍ୟ ମର୍ଯ୍ୟାଦାଜନକ ପୁରସ୍କାର ଚୟନ କମିଟିର ସଭ୍ୟ ମଧ୍ୟ ରହିଛନ୍ତି। ପୁରସ୍କାର ଘୋଷଣା ହେବା ପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ‘ପୁରସ୍କାର ପ୍ରାପ୍ତି ହେଉଛି ଏକ ଆନନ୍ଦର ବ୍ୟାପାର। ଏହାକୁ ବହୁଗୁଣିତ କରୁଛି ଅସଂଖ୍ୟ ଶୁଭେଚ୍ଛୁଙ୍କ ନୈତିକ ସମର୍ଥନ ଏବଂ ଅଭିନନ୍ଦନ।’

ସେହିପରି ଭାଷା ସମ୍ମାନ ପାଇବାକୁ ମନୋନୀତ ପ୍ରଫେସର ଗଗନେନ୍ଦ୍ରନାଥ ଦାଶ ଓଡ଼ିଶାର ଜଣେ ବିଶିଷ୍ଟ ଗବେଷକ ଓ ଭାଷାବିତ୍। ୧୯୪୦ରେ ଯାଜପୁର ଜିଲ୍ଲାର ବଡ଼ଚଣାରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ପ୍ରବନ୍ଧ ପୁସ୍ତକ ମଧ୍ୟରେ ରହିଛି ‘ଓଡ଼ିଆ ଭାଷା ଚର୍ଚ୍ଚାର ପରମ୍ପରା’, ‘ଖଦ୍ୟୋତର ଦ୍ୟୁତି’, ‘ଶୈଳୀ ବିଜ୍ଞାନ: ଏକ ସମ୍ପାନ’, ଏବଂ ‘ମୌଳିକ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ: ବିତର୍କର ଗୋଟିଏ ପାଖ’ ଇତ୍ୟାଦି। ‘ଓଡ଼ିଶା’ ଶୀର୍ଷକରେ ତାଙ୍କର ଏକ ଗ୍ରନ୍ଥସୂଚୀ ପ୍ରକାଶିତ। ମଧ୍ୟକାଳୀନ ଓଡ଼ିଶାରେ ଜଗନ୍ନାଥ ମନ୍ଦିରର ପୂଜକମାନଙ୍କ ଉପରେ ତାଙ୍କର ଗବେଷଣା ଉଚ୍ଚ ପ୍ରଶଂସିତ ହୋଇଛି। ଏହି ଖବର ପାଇବା ପରେ ଶ୍ରୀ ଦାଶ କହିଛନ୍ତି, ‘ଭାଷା ସମ୍ମାନ ପାଇଁ ମୋତେ ବଛାଯାଇଥିବାରୁ ମୁଁ ଆନନ୍ଦିତ। କେନ୍ଦ୍ର ସାହିତ୍ୟ ଅକାଦେମି ନିକଟରେ ମୁଁ କୃତଜ୍ଞ।’

ସେହିପରି ଅଣସ୍ବୀକୃତ ଭାଷା କ୍ଷେତ୍ରରେ ଦୁଇ ଜଣ ଲେଖକଙ୍କୁ ଯୁଗ୍ମ ଭାବେ କୋଶଲି-ସମ୍ବଲପୁରୀ ଭାଷା ସମ୍ମାନ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ଏଥିପାଇଁ ମନୋନୀତ ହୋଇଥିବା ଲେଖକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ହେଉଛନ୍ତି ଜଣେ ସୁପରିଚିତ କବି, କଥାକାର ଓ ଭାଷାବିତ୍। ୧୯୪୫ ମସିହାରେ ସେ ଦେଶ ଭଟଲି ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ବିଜେବି କଲେଜରୁ ପ୍ରାଧ୍ୟାପକ ଭାବେ ଅବସର ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ‘ସମ୍ବଲପୁରୀ-ଓଡ଼ିଆ ଶବ୍ଦକୋଷ’, ଏବଂ ‘ସମ୍ବଲପୁରୀ ଓଡ଼ିଆ ବ୍ୟାକରଣ’ ଆଦି ପୁସ୍ତକର ରଚୟିତା। ଭାଷା ସମ୍ମାନ ପାଉଥିବା ଅନ୍ୟତମ କବି ହଳଧର ନାଗ ହେଉଛନ୍ତି କୋଶଲି-ସମ୍ବଲପୁରୀ ଭାଷାର ପ୍ରସିଦ୍ଧ କବି। ବରଗଡ଼ ଜିଲ୍ଲାର ଘେଁସ ଗାଁରେ ୧୯୫୦ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅନନ୍ୟ କବିତା ଆବୃତ୍ତି ଯୋଗୁଁ ସାରା ଦେଶରେ ସେ ଚର୍ଚ୍ଚିତ। ତାଙ୍କ ରଚିତ କାବ୍ୟ ପୁସ୍ତକ ମଧ୍ୟରେ ରହିଛି ‘ମହାସତୀ ଉର୍ମିଲା’, ‘ଅଛିଆଁ’, ‘ତାରା ମନ୍ଦୋଦରୀ’, ‘ବଛର’, ‘ବୀର ସୁନ୍ଦର ସାଏ’ ଏବଂ ‘ରସିଆକବି’ ଇତ୍ୟାଦି।

୨୦୧୯ ଜାନୁଆରି ୨୯ ତାରିଖରେ ନୂଆଦିଲ୍ଲୀରେ ହେବାକୁଥିବା ଅକାଦେମିର ସାହିତ୍ୟୋତ୍ସବରେ ଦାଶରଥି ଦାସଙ୍କୁ ତାମ୍ରଫଳକ ସହିତ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ସେହିପରି ଏକ ସ୍ବତନ୍ତ୍ର ଉତ୍ସବରେ ଅନ୍ୟ ତିନି ଜଣଙ୍କୁ ଭାଷା ସମ୍ମାନ ପ୍ରଦାନ କରାଯିବ। ଚଳିତ ବର୍ଷ ଓଡ଼ିଆ ଭାଷାରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇଁ ବିଚାରକ ମଣ୍ତଳୀରେ ଥିଲେ ପ୍ରଫେସର ଆଦିକନ୍ଦ ସାହୁ, ପ୍ରଫେସର ମନୋରଞ୍ଜନ ପ୍ରଧାନ ଏବ˚ ଡକ୍ଟର ପ୍ରମୋଦ କୁମାର ମହାନ୍ତି। ଭାଷା ସମ୍ମାନ ପାଇଁ ବିଚାରକ ଥିଲେ ପ୍ରଫେସର ସୁନୀଲ କୁମାର ଦତ୍ତ (ଆସାମ), ପ୍ରଦୀପ୍ତ କୁମାର ପଣ୍ଡା (ଓଡ଼ିଆ) ଏବଂ ଜ୍ୟୋତ୍ସ୍ନା ଚଟ୍ଟୋପାଧ୍ୟାୟ (ବଙ୍ଗଳା)। କୋଶଲି-ସମ୍ବଲପୁରୀ ଭାଷା ସମ୍ମାନ ପାଇଁ ବିଚାରକ ଥିଲେ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ଡକ୍ଟର ଶୁଭେନ୍ଦୁ ମୁଣ୍ଡ ଏବଂ ଡକ୍ଟର ନରେନ୍ଦ୍ର ମିଶ୍ର। ପୁରସ୍କାର ତାଲିକା ଚୂଡ଼ାନ୍ତ ପାଇଁ ଅନୁଷ୍ଠିତ ସଭାରେ ଓଡ଼ିଶାର ପ୍ରତିନିଧି ଭାବେ କାର୍ଯ୍ୟକାରିଣୀ ସଭ୍ୟ ତଥା ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ବିଜୟାନନ୍ଦ ସିଂହ ଯୋଗ ଦେଇଥିଲେ।

କୋଶଲି-ସମ୍ବଲପୁରୀକୁ ସାହିତ୍ୟ ଅକାଦେମିର ସ୍ବୀକୃତି

କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ସମ୍ବିଧାନ ଦ୍ବାରା ସ୍ବୀକୃତି ପାଇ ନ ଥିବା‌ କୋଶଲି-ସମ୍ବଲପୁରୀ ଭାଷାରେ ସମ୍ମାନ ପ୍ରଦାନ ଘୋଷଣା ଖବର ପ୍ରକାଶ ପାଇବା ପରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଭାଷାପ୍ରେମୀମାନେ ଆନନ୍ଦ ପ୍ରକାଶ କରିଛନ୍ତି। ନିଜ ପ୍ରତିକ୍ରିୟାରେ ପ୍ରଫୁଲ୍ଲ କୁମାର ତ୍ରିପାଠୀ କହିଛନ୍ତି, ‘ଆମର ଭାଷାକେ ଜାତୀୟ ସ୍ତର‌ରେ ପହେଲା ହେଇ ସ୍ବୀକୃତି ମିଲଲା। ଇଟା ଆମର ଲାଗି ବଡ଼ା ଗହକି ହେବାର କଥା। ଇହାଦେ ଲୁକେ ନିଜର ମନ ଭିତରେ ଥିବାର କୁଣ୍ଠା ଦୂରକରି ଇ ଭାଷାର ବଢ଼ତି ଲାଗି ଲେଖାଲେଖି କରୁନ। ଇତାର ଦ୍ବାରା ପଶ୍ଚିମ ଓଡ଼ିଶାର ଲେଖକମାନକର ଭିତରେ ତହଁକ ଆସବା ଯେନମାନେ କି ଅବହେଳିତ ଅନୁଭବ କରୁଥିଲେ। ଇ ଭାଷାଥି ଲେଖଲେ ଭି ଦେଶ ଚିହ୍ନସି ବଲି ସେମାନେ ଜାନବେ।’ ସେହିପରି ପଦ୍ମଶ୍ରୀ ହଳଧର ନାଗ କହିଛନ୍ତି, ‘କୋଶଲି-ସମ୍ବଲପୁରୀ ଗୁଟେ ଅବହେଲିତ ଭାଷା ଆଏ। ଏଭତକ ଇତାକେ ସମ୍ବିଧାନର ମାନ୍ୟତା ନୁହେଁ ମିଲେ। କେନ୍ଦ୍ର ସାହିତ୍ୟ ଏକାଡେମିର ଭାଷା ସମ୍ମାନ ପୂରା ପଶ୍ଚିମ ଓଡ଼ିଶାର ଲାଗି ଗୌରବର କଥା। ଇ ସମ୍ମାନ ମୁଇଁ ନାଇଁ ପାଇ, ମୋର ଭାଷା ପାଇଛେ। ସରକାର ଇଟା ବଢ଼େଟେ ପଦକ୍ଷେପ ନେଇଛନ।’

ସମ୍ବନ୍ଧିତ ଖବର