ସତ୍ୟ ଓ ତଥ୍ୟ ପ୍ରତି ସାମ୍ବାଦିକଙ୍କର ଆନୁଗତ୍ୟ ରହିବା ଉଚିତ: ତନୟା

ଦଶରଥପୁର ପ୍ରେସ କ୍ଲବ୍ ବାର୍ଷିକ ଉତ୍ସବ

ଯାଜପୁର/ଦଶରଥପୁର : ସାମ୍ବାଦିକମାନେ ଦଳ, ନେତା, ସଂସ୍ଥା ପ୍ରତି ନୁହେଁ; ସତ୍ୟ ଏବଂ ତଥ୍ୟ ପ୍ରତି ଆନୁଗତ୍ୟ ଦେଖାଇବା ଉଚିତ। ପେସାକୁ ନିଶା କରି କଠିନ ପରିଶ୍ରମ, ଧୈର୍ଯ୍ୟ ଏବଂ ସାହସର ସହିତ ସାମ୍ବାଦିକତା କରିବାକୁ ହୋଇଥାଏ। ଭଲ ଖବରକାଗଜ ଯେପରି ମରିବ ନାହିଁ ସେହିପରି ଦକ୍ଷ ସାମ୍ବାଦିକ ମଧ୍ୟ ଅଲୋଡ଼ା ହେବେ ନାହିଁ ବୋଲି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଛନ୍ତି।

ଦଶରଥପୁର ପ୍ରେସ କ୍ଲବ୍‌ର ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ତନୟା ପଟ୍ଟନାୟକ ସାମ୍ବାଦିକମାନଙ୍କର ଭୂମିକା, କାର୍ଯ୍ୟ ଓ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୃତ୍ତିରେ ଅପବାଦ ଅଧିକ ପ୍ରଶଂସା କମ୍। କାର୍ଯ୍ୟ ଅଧିକ ଦରମା କମ୍ । ଏହାସତ୍ତ୍ବେ ସାମ୍ବାଦିମାନଙ୍କ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଆଧୁନିକ ସମାଜରେ ଯେତେ ମାଧ୍ୟମ ଆସୁ ପଛେ ଖବରକାଗଜ କେବେ ମରିବ ନାହିଁ କି ଦକ୍ଷ ସାମ୍ବାଦିକ ଅଲୋଡ଼ା ହେବେ ନାହିଁ। ସାମ୍ବାଦିକମାନେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ କାମ କରିବା ଉଚିତ ବୋଲି ସେ କହିଥିଲେ।

ପ୍ରେସ୍‌କ୍ଲବ୍‌ର ସଭାପତି ଶଙ୍କର୍ଷଣ କୁଣ୍ଡୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶାସକଦଳର ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକ ପ୍ରମିଳା ମଲିକ କହିଥିଲେ ଯେ ଅନ୍ୟମାନେ ପହଞ୍ଚିବା ପୂର୍ବରୁ ସାମ୍ବାଦିକମାନେ ଘଟଣାସ୍ଥଳରେ ପହଞ୍ଚିନ୍ତି। ଲୋକମାନଙ୍କ ସୁବିଧା ଅସୁବିଧାକୁ ଲୋକଲୋଚନକୁ ଆଣି ତାହାର ସମାଧାନ କରିବାରେ ସାମ୍ବାଦିକମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛନ୍ତି। ସୁସମାଜ ଗଠନରେ ସାମ୍ବାଦିକମାନଙ୍କ ଗୁରୁ ଦାୟିତ୍ବ ରହିଛି ବୋଲି ଶ୍ରୀମତୀ ମଲିକ କହିଥିଲେ।

ସେହିପରି ଦଶରଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ସାହୁ, ଉପାଧ୍ୟକ୍ଷା ରଂଜନ ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ବୃତ୍ତିର ଉଚ୍ଚ ପ୍ରଶଂସା କରିଥିଲେ । ସାମ୍ବାଦିକ ଉମାକାନ୍ତ ଧଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହେଶ୍ୱର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂପାଦକ ପ୍ରତ୍ୟୁଷ ନାୟକ କ୍ଲବର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କ୍ଲବ୍ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୃଷି, ବୃକ୍ଷରୋପଣ, ଚିକିତ୍ସା, ସମାଜସେବା ପାଇଁ ଉତ୍ସର୍ଗିକୃତ ବ୍ୟକ୍ତିବିଶେଷକୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ର, ବରିଷ୍ଠ ସାମ୍ବାଦିକ କୈଳାସ ନାୟକ, ଯତୀନ୍ଦ୍ର କରଙ୍କ ସମେତ ବହୁବ୍ୟକ୍ତି ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର