କଟକ : ସ୍ବନାମଧନ୍ୟ ସାହିତ୍ୟିକ ଦାଶ ବେନହୁର ଚଳିତବର୍ଷର ମର୍ଯ୍ୟାଦାଜନକ ‘ପୀତାମ୍ବର ମିଶ୍ର ସାରସ୍ୱତ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ପୀତାମ୍ବର ମିଶ୍ର ଫାଉଣ୍ଡେସନ ପକ୍ଷରୁ ଆସନ୍ତା ୩ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ସାରଳା ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଶ୍ରୀ ବେନହୁରଙ୍କୁ ସମ୍ମାନିତ କରାଯିବ। ପୁରସ୍କାରସ୍ୱରୂପ ତାଙ୍କୁ ୫୦ ହଜାର ଟଙ୍କା ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନର ସଂପାଦକ ଜୀବାନନ୍ଦ ମିଶ୍ର ସୂଚନା‌ ‌ଦେଇଛନ୍ତି।

Advertisment

ଦାଶ ବେନହୁର ଓଡ଼ିଆ ସାହିତ୍ୟରେ ଜଣେ ଜଣାଶୁଣା ଔପନ୍ୟାସିକ, ଗାଳ୍ପିକ, ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ ଓ ସ୍ତମ୍ଭକାର। ତାଙ୍କ ସୃଷ୍ଟି ମଧ୍ୟରେ ପଗଡ଼ି ପୁରୁଷ, କାନ୍ଦୁରୀ ଓ ଅନ୍ୟାନ୍ୟ ଗଳ୍ପ, ଗାନ୍ଧୀ କାହାଣୀ, ଗଡଜାତ କାହାଣୀ, ଅସରନ୍ତି ମେଘ, ଅବଧାରିତ ଓ ଅନ୍ୟାନ୍ୟ ଗଳ୍ପ ଆଦି ଅନ୍ତର୍ଭୁକ୍ତ। ନିଷ୍ଠାପର ସାରସ୍ବତ ସାଧନା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଶିଶୁ ସାହିତ୍ୟ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ସାହିତ୍ୟ ସଂସଦ ପକ୍ଷରୁ ବିଶ୍ୱନାଥ ପଶାୟତ ସାରସ୍ୱତ ସମ୍ମାନ ସମେତ ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି। ୧୯୫୩ ମସିହା ଅଗଷ୍ଟ ୩ ତାରିଖରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାଠାରେ ଦାଶ ବେନହୁରଙ୍କ ଜନ୍ମ।