ଯାଜପୁରଟାଉନ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ କିସ୍ତି ଅର୍ଥ ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା ଦଶରଥପୁର ବ୍ଲକ୍ ପାଇଁ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି। ଏ ଘଟଣାରେ ହିତାଧିକାରୀ ବ୍ଲକ କର୍ତ୍ତୃପକ୍ଷଙ୍କୁ ଖାଉଟି ଅଦାଲତକୁ ଟାଣିଛନ୍ତି। ଅଦାଲତ ଏହାର ବିଚାର କରି ଦାୟିତ୍ବହୀନତା ପାଇଁ ବ୍ଲକ କର୍ତ୍ତୃପକ୍ଷଙ୍କୁ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୪ଟି କିସ୍ତିରେ ୧ ଲକ୍ଷ ୩୦ ହଜାର ଟଙ୍କା ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଇଥାଏ। ୨୦୧୬-୧୭ ଆର୍ଥିକ ବର୍ଷରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅକରପଡ଼ା ପଞ୍ଚାୟତର ଆନ୍ଦୋଳା ବାସୁଦେବପୁର ଗ୍ରାମର ଶରତ କୁମାର ରାଉତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଭାବେ ଚୟନ କରାଯାଇଥିଲା। ତାଙ୍କୁ ୩ଟି କିସ୍ତିରେ ୧ଲକ୍ଷ ୧୦ହଜାର ଟଙ୍କା ମିଳିଥିଲା। ପ୍ରଥମ କିସ୍ତି ବାବଦକୁ ୨୦ହଜାର ଟଙ୍କା ତାଙ୍କ ଜମା ଖାତାକୁ ଆସିନଥିଲା।
ଏ ନେଇ ସେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିବା ସହ ବିିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ନିରାଶ ହୋଇଥିଲେ। ଶେଷରେ ଶ୍ରୀ ରାଉତ ନିରୂପାୟ ହୋଇ ଜିଲ୍ଲା ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ। ଖାଉଟି ଅଦାଲତ ଏହି ମାମଲାଟିକୁ ଗ୍ରହଣ କରି ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ହାଜର ହୋଇ ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ଶେଷ ପର୍ଯ୍ୟନ୍ତ ବ୍ଲକ କର୍ତ୍ତୃପକ୍ଷ ପକ୍ଷ ରଖି ନଥିଲେ। ଯାଜପୁର ଖାଉଟି ଅଦାଲତର ଭାରପ୍ରାପ୍ତ ସଭାପତି ପିତବାସ ମହାନ୍ତି ଏହି ମାମଲାର ଶୁଣାଣି କରି ୧ମାସ ମଧ୍ୟରେ ସ˚ପୃକ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦକୁ ୨୦ ହଜାର ଟଙ୍କା ଓ କ୍ଷତିପୂରଣ ବାବଦକୁ ୧୦ହଜାର ଟଙ୍କା ଦେବାକୁ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦାୟିତ୍ବରେ ଥିବା ଅଧିକାରୀଙ୍କ ଦରମାରୁ କ୍ଷତିପୂରଣ ଅର୍ଥ ଭରଣା ପାଇଁ ରାୟରେ ଉଲ୍ଲେଖ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/judgement.jpg)