ଦୁର୍ନୀତିର ଗନ୍ତାଘର ଦଶରଥପୁର; ଯାଞ୍ଚ ପୂର୍ବରୁ ଘଟୁଛି ଅଗ୍ନିକାଣ୍ଡ ଓ ଫାଇଲ୍ ଚୋରି

ଯାଜପୁର/ଦଶରଥପୁର : ଦଶରଥପୁର ବ୍ଲକ୍ ଅଧୀନ ପଞ୍ଚାୟତଗୁଡ଼ିକରେ ବ୍ୟାପକ ଦୁର୍ନୀତି ନେଇ ଚର୍ଚ୍ଚା ଜୋର ଧରିଛି। କୋଟି କୋଟି ଟଙ୍କା ସରକାରୀ ଅନୁଦାନର କାଗଜପତ୍ର ଯାଞ୍ଚ ପୂର୍ବରୁ କେଉଁଠି କାର୍ଯ୍ୟାଳୟରେ ନିଆଁ ଲାଗିଯାଉଛି ତ ଆଉ କେଉଁଠି କାଗଜପତ୍ର ଚୋରି ହୋଇଯାଉଛି। କିଛିଦିନ ପୂର୍ବରୁ ଗ୍ରାମନନ୍ଦିପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ିଗଲା। ଗତକାଲି ରାତିରେ ବିରିପଟା ପଞ୍ଚାୟତ କାର୍ଯ୍ୟାଳୟରୁ ଫାଇଲପତ୍ର ସହିତ ଆସବାବପତ୍ର ଚୋରି ହୋଇଯାଇଛି। ରବିବାର ମଙ୍ଗଳପୁର ଥାନାରେ ଏଥିନେଇ ଏତଲା ହୋଇଛି, ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ପ୍ରକାଶ ଥାଉ କି, ବିରିପଟା ସରପଞ୍ଚ ମନୋରଂଜନ ଦାସ ଏବଂ ପିଇଓ ବୀରେନ୍ଦ୍ର ମଲ୍ଲିକ ପଞ୍ଚାୟତ କାର୍ଯ୍ୟାଳୟରୁ ଗତକାଲି ରାତିରେ ଚୋରି ହୋଇଥିବା ନେଇ ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି। ବିଡିଓଙ୍କୁ ମଧ୍ୟ ଅବଗତ କରାଯାଇଛି। ଘଟଣାସ୍ଥଳରେ ମଙ୍ଗଳପୁର ଥାନା ଏସ୍‌ଆଇ ହରିଶ ସିଂ ତଦନ୍ତ ଆରମ୍ଭ କରିଥିବା ବେଳେ ସନ୍ଧାନୀ କୁକୁର ଆସିବ ବୋଲି କହିଛନ୍ତି। କାର୍ଯ୍ୟାଳୟରୁ ଗୁରୁତ୍ବପୂର୍ଣ୍ଣ ଫାଇଲ, କ୍ୟାସ୍‌ ବୁକ୍, ୧୮ହଜାର ଟଙ୍କା ସହିତ ଲାପ୍‌ଟପ୍, ଇନଭର୍ଟର, ବ୍ୟାଟେରି, ଗ୍ରାଇଣ୍ଡର, ଫ୍ୟାନ୍, ରେଜିଷ୍ଟର ଚୋରି ହୋଇଥିବା ଦର୍ଶାଯାଇଛି। ପଞ୍ଚାୟତ ପରିସରରେ ଥିବା କୃଷକ ପରାମର୍ଶ କେନ୍ଦ୍ର କାର୍ଯ୍ୟାଳୟର ତାଲା ମଧ୍ୟ ଭଙ୍ଗାଯାଇଛି । ସନ୍ଧାନୀ କୁକୁର ଆସିବାକୁ ଥିବାବେଳେ କାର୍ଯ୍ୟାଳୟ ଭିତରକୁ କାହାକୁ ପ୍ରବେଶ କରିବାକୁ ଦିଆଯାଇ ନାହିଁ । ତେବେ ଆସବାବପତ୍ର ନେବା ସହିତ କାଗଜପତ୍ର, ରେଜିଷ୍ଟର ଓ କ୍ୟାସବୁକ୍ ଚୋରି ହେବା ଘଟଣାକୁ ଭିନ୍ନ ମୋଡ଼ ଦେଇଛି।

ସୂଚନା‌ଯୋଗ୍ୟ, ପଞ୍ଚାୟତର ଆବାସ ଦୁର୍ନୀତି ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ବୁଝିବାକୁ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଅଭିଯୋଗ ଶୁଣିବା ପରେ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ। ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ନିକଟରେ ତଦନ୍ତ ପାଇଁ ଏହି ପଞ୍ଚାୟତକୁ ଆସିବାର ଥିଲା। ଏହି ପଞ୍ଚାୟତରେ ୨ମହଲା କୋଠା ଥିବା ସ୍ୱଚ୍ଛଳ ବ୍ୟକ୍ତିଙ୍କୁ ଏବଂ ପୂର୍ବରୁ ୨/୩ ଥର ଆବାସ ହାତେଇଥିବା ଲୋକଙ୍କୁ ପୁଣି ଆବାସ ପ୍ରଦାନ କରାଯାଇଛି। ଅଥଚ ଯୋଗ୍ୟ ଗରିବ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ଅଭିଯୋଗ ହାଇକୋର୍ଟରେ ପହଞ୍ଚିବା ପରେ ଜେଇ ବିକାଶ ଦାସ ଏବଂ ପିଓଇ ସ୍ନିଗ୍ଧା ସାହୁଙ୍କ ଉପରେ ୯ଲକ୍ଷ ୨୦ହଜାର ଟଙ୍କା ଜରିମାନା କରାଯାଇଛି। ପାଇଖାନା ନ କରି ଟଙ୍କା ହାତେଇବା, ଗୋଟିଏ ପରିବାରକୁ ଏକାଧିକ ପାଇଖାନା ଦେବା ସହିତ ଏହି ପଞ୍ଚାୟତରେ ଗଦାଗଦା ଦୁର୍ନୀତି ଅଭିଯୋଗ ରହିଛି। ଏହି ପରିସ୍ଥିତିରେ ପଞ୍ଚାୟତରୁ ଫାଇଲ୍ ଚୋରି ହୋଇଯିବା ଘଟଣା ବିସ୍ମୟ ସୃଷ୍ଟି କରିଛି। ସରପଞ୍ଚଙ୍କ ୩ଜଣ ଲୋକ ନିୟମିତ ରାତିରେ ପଞ୍ଚାୟତ କାର୍ଯ୍ୟାଳୟରେ ଶୋଉଥିବା ପିଇଓ କହିଛନ୍ତି। ସେମାନେ ଗତକାଲି ଶୋଇ ନ ଥିବା ବେଳେ ଚୋରି ହେବା ଘଟଣା ସନ୍ଦେହକୁ ଅଧିକ ବିବାଦ ଘେରକୁ ଟାଣିନେଇଛି। ସ୍ମରଣଯୋଗ୍ୟ, କିଛିଦିନ ପୂର୍ବରୁ ଏହି ବ୍ଲକ୍ ଅଧୀନ ଗ୍ରାମନନ୍ଦିପୁର ପଞ୍ଚାୟତରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗର ତଦନ୍ତ ଡିଆର୍‌ଡିଏ ପିଡି ବିଶାଳ ସିଂ କରିବା ପୂର୍ବଦିନ ପଞ୍ଚାୟତ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟି କାଗଜପତ୍ର ପୋଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର