ସିଂହଦ୍ଵାରରେ ଲାଗିବନି ଦଶାବତାର ମୂର୍ତ୍ତିି!

ଗୁଜରାଟ ଯିବ ବରାଦ ମୂର୍ତ୍ତି

ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାରରେ ଥିବା ଦଶାବତାର ମୂର୍ତ୍ତିି ଆଉ ଲାଗିବନି! ଥରେ ଭାଙ୍ଗିଗଲେ ଐତିହ୍ୟକୁ ମରାମତି କରି ଲଗାଇବା ଏଏସ୍‌ଆଇ (ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ) ବିଧିବ୍ୟବସ୍ଥା ଭିତରେ ନାହିଁ। ପୁଣି ଏଥିରେ ଥିବା ଜଗନ୍ନାଥ ଓ ବୌଦ୍ଧମୂର୍ତ୍ତିିକୁ ନେଇ ବିବାଦ ଥମିବାର ନାଁ ନେଉନିି। ଏ ପରିସ୍ଥିତିରେ ବିବାଦ ଭିତରକୁ ନପଶି ଦଶାବତାର ମୂର୍ତ୍ତିି ସ୍ଥାନରେ କେବଳ ପଥର ଲଗାଇ ପ୍ୟାକିଂ କରିଦେବାକୁ ଏଏସ୍‌ଆଇ ଯୋଜନା କରୁଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛିି। ଅନ୍ୟପଟେ ଦଶାବତାର ମୂର୍ତ୍ତିି ସିଂହଦ୍ଵାରରେ ଥିବା ସ୍ଥାନରୁ କାଢ଼ି ଦିଆଯିବା ପରେ ଅନୁରୂପ ପୁରୁଣା ମୂର୍ତ୍ତିି ଢଙ୍ଗରେ ତିଆରି କରିବା ପାଇଁ ଜଣେ ସ୍ଥାନୀୟ ଶିଳ୍ପୀଙ୍କୁ ଅର୍ଡର ଦିଆଯାଇଥିଲା। କିନ୍ତୁ ୫ ବର୍ଷ ଧରି ଓ୍ଵାର୍କସପ୍‌ରେ ପଡ଼ି ରହିବା ସତ୍ତ୍ୱେ ଏଏସ୍‌ଆଇ ଏହାକୁ ନେବା ପାଇଁ ଆଗ୍ରହ ଦେଖାଉନାହିଁ। ଫଳରେ ଏବେ ଗୁଜରାଟରେ ନିର୍ମାଣାଧୀନ ଏକ ଜଗନ୍ନାଥ ମନ୍ଦିରକୁ ଏହି ମୂର୍ତ୍ତି ବିକ୍ରି କରିଦେବା ପାଇଁ କାରିଗର ସ୍ଥିର କରିଛନ୍ତି। ଏହି ପରିବର୍ତ୍ତିିତ ପରିସ୍ଥିତି ସିଂହଦ୍ଵାରରେ ମୂର୍ତ୍ତି ନଲାଗିବା ଆଶଙ୍କାକୁ ଅଧିକ ଘନୀଭୂତ କରିଛି।

ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ଵାରରେ ଦଶାବତାର ମୂର୍ତ୍ତିି ଶୋଭା ପାଉଥିଲା। ଏଥିରେ ମହାପ୍ରଭୁ ବିଭିନ୍ନ ସମୟରେ ଧାରଣ କରିଥିବା ଅବତାର ଶୋଭା ପାଉଥିଲା। ଦଶାବତାରରେ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ଜଗନ୍ନାଥ ଓ କଳ୍‌କୀଙ୍କ ମୂର୍ତ୍ତିି ରହିଥିଲା। ଶ୍ରୀମନ୍ଦିର ନିର୍ମାଣର ବହୁ ପରେ ପଥରରେ ନ ହୋଇ ଏହା ଖଡ଼ିରେ ନିର୍ମାଣ ହୋଇଥିବାରୁ ଏଏସ୍‌ଆଇ ଚୂନ ଛଡ଼ାଇବା ବେଳେ ଏହି ମୂର୍ତ୍ତିିଗୁଡ଼ିକ ଗଳି ପଡ଼ିଥିଲା। ଏଣୁ ୨୦୧୨ ମସିହାରେ ଏହାକୁ ଏଏସ୍‌ଆଇ ନେଇ ନୀଳାଦ୍ରି ମ୍ୟୁଜିୟମରେ ରଖିଥିଲା। ଅବିକଳ ଏଭଳି ମୂର୍ତ୍ତିି ତିଆରି କରିବା ପାଇଁ ୨୦୧୨ ମେ ୩ ତାରିଖ ଦିନ ଏଏସ୍‌ଆଇ ବୀର ହରେକୃଷ୍ଣପୁରର ‘ନିର୍ମାଣ’ ନାମକ ଏକ ଅନୁଷ୍ଠାନର ମୁଖ୍ୟ ମହେନ୍ଦ୍ର କୁମାର ସାମଲଙ୍କୁ ଅର୍ଡର୍‌ ଦେଇଥିଲା। ମୂର୍ତ୍ତି ପିଛା ୩ ହଜାର ୫ଶହ ହିସାବରେ ୧୦ଟି ମୂର୍ତ୍ତିିକୁ ୩୫ ହଜାର ଟଙ୍କା ଦେବାପାଇଁ କଥା ଛିଣ୍ଡି ଥିଲା। ଏହାକୁ ମହେନ୍ଦ୍ର ନିର୍ମାଣ ବି କରିଥିଲେ। କିନ୍ତୁ ଏହି ନବମ ଅବତାର ଜାଗାରେ ଶ୍ରୀଜଗନ୍ନାଥ ମୂର୍ତ୍ତି ନ ରଖି ବୁଦ୍ଧଙ୍କ ମୂର୍ତ୍ତିି ରଖିବା ପାଇଁ କେତେକ ଗବେଷକ ଦାବି କରିଥିଲେ। ଏହାକୁ ନେଇ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ବାଦବିବାଦ ଯୋଗୁ ମୂର୍ତ୍ତିି ସ୍ଥାପନ ହୋଇ ପାରିନଥିଲା। ଜୟଦେବ ଫାଉଣ୍ଡେସନ ଏହାକୁ ନେଇ କୋର୍ଟ ଯାଇଥିଲା। ଯାହା ଏବେ ବି ବିଚାରାଧୀନ ରହିଛି। ଇତିମଧ୍ୟରେ ୫ ବର୍ଷରୁ ଅଧିକ ସମୟ ବିତିଛି। ହେଲେ ମୂର୍ତ୍ତିଗୁଡ଼ିକ ନଆଣିବାରୁ ଏବେ ଖୋଦ୍‌ ଶିଳ୍ପୀ ଏହାକୁ ଗୁଜରାଟ ପଠାଇ ଦେବାକୁ ସ୍ଥିର କରିଥିବା ‘ସମ୍ବାଦ’କୁ ଜଣାଇଛନ୍ତି।

ଏ ସଂକ୍ରାନ୍ତରେ ଏଏସ୍‌ଆଇର ବରିଷ୍ଠ ସହକାରୀ ସଂରକ୍ଷକ ଚିତ୍ତରଂଜନ ଦାଶଙ୍କ ସହ ଯୋଗାଯୋଗ କରାଯିବାରେ ସେ ମୂର୍ତ୍ତି ପୁନଃସ୍ଥାପନ ନେଇ ଏଏସ୍‌ଆଇର କୌଣସି ବିଧିବ୍ୟବସ୍ଥା ନଥିବା କଥାକୁ ସ୍ୱୀକାର କରିଥିଲେ। ତେବେ ନୂଆ ମୂର୍ତ୍ତି ଲାଗିବ କି ନାହିଁ ସେ ସଂପର୍କରେ ସ୍ପଷ୍ଟ କରିନଥିଲେ।

ସମ୍ବନ୍ଧିତ ଖବର