ଦାସିଆ ଅଜା ଥିଲେ ଓଡ଼ିଆ ଜାତିର ଆଲୋକ ବର୍ତ୍ତିକା

ଆଜି ଶ୍ରାଦ୍ଧବାର୍ଷିକୀ

ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ, ସାରସ୍ବତ ସାଧକ ଦାଶରଥୀ ପଟ୍ଟନାୟକ (୧୯୦୭-୧୯୯୭)ଙ୍କର ପୁଣ୍ୟ ତିଥି ଗୁରୁବାର। ସେ ଥିଲେ ‘ଦଶ ପଇସାର ରଜା’ ବା ‘ଖୁଣ୍ଟାତଡ଼ା ରଜା’। ‘ଦାସିଆ ଅଜା’ ନାମରେ ସମଗ୍ର ଓଡ଼ିଶାର ଜନମାନସରେ ସେ ପରିଚିତ ଥିଲେ। ରାଜ୍ୟ ଓ ଦେଶବାସୀଙ୍କ ପାଇଁ ଥିଲେ ସେ ଏକ ଆଲୋକବର୍ତ୍ତିକା। ଓଡ଼ିଆ ଜାତି ତାଙ୍କ ପାଇଁ ଆଜି ଗର୍ବିତ।

ଦାଶରଥୀ ପଟ୍ଟନାୟକ ବା ଦାସିଆ ଅଜା ୧୯୦୭ ମସିହା ଜୁଲାଇ ୧୨ ତାରିଖ ଦିନ ନୟାଗଡ଼ ନିକଟସ୍ଥ ରାଇପୁର ଗ୍ରାମରେ ବାଞ୍ଛାନିଧି ପଟ୍ଟନାୟକ ଓ ପାର୍ବତୀ ଦେବୀଙ୍କ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଉଦୟପୁର ଗ୍ରାମ ଦାଶରଥୀଙ୍କ କର୍ମଭୂମୀ ରୂପେ ପରିଚିତ ହୋଇଥିଲା। ନୂଆଗାଁର ତତ୍କାଳୀନ ଶିକ୍ଷାବିତ ପଣ୍ତିତ ଲୋକନାଥ ତ୍ରିପାଠୀଙ୍କ ପ୍ରେରଣାରେ ମାତ୍ର ୫ ଖଣ୍ତ ବହିରେ ଦାଶରଥୀ ଆରମ୍ଭ କରିଥିଲେ ପାଠାଗାର ଓ ଓଡ଼ିଶା ଭ୍ରମଣ। ଏହାପରେ ସେ ପାଲଟି ଯାଇଥିଲେ ଓଡ଼ିଶାର ସର୍ବଶ୍ରେଷ୍ଠ ଜ୍ଞାନ-ଭିକାରି। ମୁଠାଏ ମୁଢ଼ି ଓ କପେ ନାଲି ଚା ଥିଲା ତାଙ୍କର ଜୀବନ। ଜୀବନ ପ୍ରଣାଳୀ ଥିଲା ସରଳ ଓ ଅତି ସାଧାରଣ। ନିଜ ଜୀବନର ଅପରାହ୍ଣରେ ୧୯୫୫ ମସିହାଠାରୁ ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ନିଜ ଶରୀରରୁ ରକ୍ତ ନିଗାଡ଼ି, ଖଣ୍ତିଏ ଗାମୁଛା ପିନ୍ଧି ଓ ଖଣ୍ତିଏ ଗାମୁଛାକୁ ମୁଣ୍ତରେ ଠେକା ବାନ୍ଧି, କାନ୍ଧରେ ଏକ ଝୁଲାମୁଣି ଓହଳାଇ, ବାଉଁଶ ଠେଙ୍ଗାଟିଏ ଧରି ପାଦରେ ଚାଲି ଚାଲି ସମଗ୍ର ଓଡ଼ିଶାର ଗାଁଗଣ୍ତା, ସହର ବଜାର, ଘରଦ୍ବାର ବୁଲି ବୁଲି ସାଧକ ଦାସିଆ ଅଜା ନିଜର ଏକନିଷ୍ଠ ସାଧନାରେ ଏକ ନିପଟ ପାହାଡ଼ ଜଙ୍ଗଲ ଆଦିବାସୀ ଅଧ୍ୟୁଷିତ ମଫସଲ ଗାଁ ନୟାଗଡ଼ ଉଦୟପୁରରେ ପ୍ରତିଷ୍ଠା କରିଥିଲେ ପୃଥିବୀ ପ୍ରସିଦ୍ଧ ୩ ଗୋଟି ମହାନ ସଂସ୍ଥାନ, ଯଥା: ବାଞ୍ଛାନିଧି ପାଠାଗାର, ଶ୍ରୀଅରବିନ୍ଦ ସଂଗ୍ରହାଳୟ ଓ ଯଦୁମଣି ସାହିତ୍ୟ ସଂସଦ। ହାତ ପାତି ମାଗୁଥିଲେ ସମସ୍ତଙ୍କୁ ପୁସ୍ତକ ଓ ପତ୍ରପତ୍ରିକା, ତାଳପତ୍ର ପୋଥି, ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଏବଂ ୧୦ ପଇସାର ଭିକ୍ଷା, ପ୍ରତିଦିନ ୧ ଶହରୁ ଊର୍ଦ୍ଧ୍ବ ପୋଷ୍ଟକାର୍ଡ ଲେଖିବା ଥିଲା ତାଙ୍କର ଏକ ନିଶା। କବି, ଲେଖକ, ସାହିତ୍ୟିକମାନଙ୍କ ପାଇଁ ଏହି ପୋଷ୍ଟକାର୍ଡ ଥିଲା ଏକ ପ୍ରେରଣା। ଗ୍ରାମାଂଚଳର ଜନସାଧାରଣଙ୍କୁ ପାଠାଗାର ସୁବିଧା ଯୋଗାଇ ଦେବା ପାଇଁ ଏବଂ ଦେଶବିଦେଶର ଗବେଷକମାନଙ୍କୁ ଓଡ଼ିଶାର ପ୍ରାଚୀନ ପରମ୍ପରା, ଐତିହ୍ୟ ଓ ସାହିତ୍ୟ ସଂସ୍କୃତିର ଗବେଷଣା, ତଥ୍ୟ ପ୍ରଦାନ ଏବଂ ଓଡ଼ିଶାର ପ୍ରାଚୀନ ପରମ୍ପରା, ଐତିହ୍ୟର ପ୍ରଚାର ପ୍ରସାର, ସଂରକ୍ଷଣ ଓ ସମୃଦ୍ଧି ସହିତ ଓଡ଼ିଆ ସାହିତ୍ୟର ବିକାଶ ସାଧନ କରିବା ଥିଲା ଦାଶରଥୀଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।

ଆଜି ଦାସିଆ ଅଜାଙ୍କ ପାଠାଗାର, ସଂଗ୍ରହାଳୟ ପୃଥିବୀର ଦର୍ଶକ, ପର୍ଯ୍ୟଟକ, ଗବେଷକ, କବି, ଲେଖକ, ସାହିତ୍ୟିକ ଓ ବୁଦ୍ଧିଜୀବୀମାନଙ୍କ ପାଇଁ ଏକ ଜାତୀୟ ତୀର୍ଥକ୍ଷେତ୍ରରେ ପରିଣତ ହୋଇଛି ଏବଂ ବିସ୍ମୟ ସୃଷ୍ଟି କରିଛି। ଦାସିଆ ଅଜାଙ୍କର ଅଲୌକିକ ସାଧନା ଓ ସଂଘର୍ଷମୟ ଜୀବନର ପୃଷ୍ଠା ଉନ୍ମୋଚନ କଲାବେଳେ ମାନବ ସମାଜ ମଧ୍ୟ ସ୍ତବ୍ଧ ହୋଇଯାଏ। ଦାସିଆ ଅଜାଙ୍କର ୯୦ ବର୍ଷର ଜୀବନକାଳ ଓ ୪୦ ବର୍ଷର ସାଧନା ଥିଲା ଓଡ଼ିଆ ଜାତିପାଇଁ ସମର୍ପିତ। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ପ୍ରଫେସର ଡ. ଜୋଆନା ଉଇଲିୟମ୍‌ସ ୧୯୭୯ରେ ପ୍ରଥମେ ଏବଂ ୨୦୧୬ରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଦ୍ୟାବିତ୍ ଡ. ଜେମ୍ସ ନେ ଏବଂ ନିକଟରେ ଇଟାଲୀ, ଗ୍ରୀସ୍‌, ଭିଏତନାମ୍‌ ଓ ମେକ୍ସିକୋରୁ ଆସିଥିବା ୧୭ ଜଣ ଗବେଷକ ମଣ୍ତଳୀ ଏହି ପ୍ରସିଦ୍ଧ ସାଂସ୍କୃତିକ ସମ୍ଭାରଗୁଡ଼ିକୁ ପରିଦର୍ଶନ କରି ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ବିତ ହୋଇଥିଲେ।

ଦାସିଆ ଅଜାଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ଅବସରରେ ଭୁବନେଶ୍ବରରେ ପ୍ରତିବର୍ଷ ଏକ ଜାତୀୟ ଆଲୋଚନାଚକ୍ରର ଆୟୋଜନ ସହିତ ଭୁବନେଶ୍ବର ସ୍ଥତ ରାଜ୍ୟ ସଂଗ୍ରହାଳୟ ସମ୍ମୁଖରେ ଦାସିଆ ଅଜାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ, ଦାସିଆ ଅଜାଙ୍କ ବହୁମୁଖୀ ପ୍ରତିଭାର ମୂଲ୍ୟାୟନ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟରେ ଏକ ସ୍ବତନ୍ତ୍ର ଚେୟାର୍‌ ପ୍ରତିଷ୍ଠା କରିବା ସହିତ ଦାସିଆ ଅଜାଙ୍କ ଜୀବନୀକୁ ପିଲାଙ୍କ ପାଠ୍ୟ ପୁସ୍ତକରେ ସ୍ଥାନିତ କରାଯିବାର ଆବଶ୍ୟକତା ରହିଛି। ଦାସିଆ ଅଜାଙ୍କ ସାଧନା ଧାରାକୁ ଆଗାମୀ ପିଢ଼ି ପାଇଁ ଉଜ୍ଜୀବିତ ରଖିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି ଉଠୁଛି।

ସମ୍ବନ୍ଧିତ ଖବର