ଅବ୍ୟବସ୍ଥା ଘେରରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର : ନାହାନ୍ତି ବିଶେଷଜ୍ଞ, କାମରେ ଲାଗୁନି ଆମ୍ବୁଲାନ୍ସ, ଅଚଳ ହୋଇପଡ଼ିଛି ରକ୍ତ ସଂରକ୍ଷଣ କେନ୍ଦ୍ର

ଦଶପଲ୍ଲା : ବାରମ୍ବାର ଦାବି, ଆନ୍ଦୋଳନ ଏବଂ ପ୍ରତିବାଦ ପରେ ବି ମୁକୁଳା ପଡ଼ିଛି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷବର୍ଷ ଧରି ଶିଶୁ, ଶୈଲ୍ୟ, ମେଡିସିନ ଏବଂ ନିଶ୍ଚେତକ ବିଶେଷଜ୍ଞ ପଦବି ଖାଲି ପଡ଼ିଥିବା ବେଳେ ରୋଗୀଙ୍କ କାମରେ ଆସୁନି ଆମ୍ବୁଲାନ୍ସ ସେବା। ରକ୍ତ ସଂରକ୍ଷଣ କେନ୍ଦ୍ରଟି ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଥିବା ବେଳେ ଠିକ୍ ଭାବେ କାମ କରୁନି ଜେନେରେଟର। ଏଭଳି ବହୁ ଅବ୍ୟବସ୍ଥା ମଧ୍ୟ ଦେଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚାଲି ଆସୁଥିବା ବେଳେ ଭଗବାନଙ୍କୁ କେବଳ ଭରସା କରି ବାଟ ଚାଲିଛନ୍ତି ରୋଗୀ।

ସୂଚନାଯୋଗ୍ୟ, ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ। ଦଶପଲ୍ଲା ବ୍ଲକ୍‌ଟି ଏକ ଆଦିବାସୀ ବହୁଳ ଅଂଚଳ ହୋଇଥିବା ବେଳେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୦ ଗୋଟି ପଞ୍ଚାୟତ ଓ ଏନ୍ଏସି ସମେତ ପଡ଼ୋଶୀ ଗଣିଆ, ଖଣ୍ତପଡ଼ା ଏବଂ ନୂଆଗାଁ ବ୍ଲକ୍‌ର ହଜାର ହଜାର ଜନସାଧାରଣ ନିର୍ଭରଶୀଳ। ଏଥିସହିତ ଦୈନିକ କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀର ଭଳି ପଶ୍ଚିମ ଓଡ଼ିଶାର ରୋଗୀମାନଙ୍କୁ ଭୁବନେଶ୍ବର ଏବଂ କଟକ ନିଆଯାଉଥିବା ବେଳେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ରୋଗୀମାନେ ମଧ୍ୟ ନିର୍ଭରଶୀଳ ଥାନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ସମେତ ଶିଶୁ, ଶୈଲ୍ୟ, ମେଡିସିନ, ନିଶ୍ଚେତକ, ଆସିଷ୍ଟାଣ୍ଟ ସର୍ଜନ (ପୁରୁଷ), ଆସିଷ୍ଟାଣ୍ଟ ସର୍ଜନ (ମହିଳା) ଏବଂ ଜଣେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପଦବି ଆବଶ୍ୟକ ଥିବାସ୍ଥଳେ ଜଣେ କେବଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ସମେତ ଜଣେ ଆସିଷ୍ଟାଣ୍ଟ ସର୍ଜନଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟ ସମସ୍ତ ପଦବିକୁ ଦେଖିବାକୁ ଗଲେ ଫାର୍ମାସିଷ୍ଟ ଏବଂ ଷ୍ଟାଫ୍‌ ନର୍ସ ପଦବି ଆବଶ୍ୟକ ସଂଖ୍ୟକ ଥିବା ବେଳେ ୪ ଜଣ ଆଟେଣ୍ତାଣ୍ଟ୍‌ ସ୍ଥାନରେ ଜଣେ ଆଟେଣ୍ତାଂଟ୍‌ କାର୍ଯ୍ୟ କରୁଥିବା କହିଛନ୍ତି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ନବକୃଷ୍ଣ ସାହୁ। କିନ୍ତୁ ବଡ଼କଥା ହେଉଛି ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ରକ୍ତ ସଂରକ୍ଷଣ କେନ୍ଦ୍ରଟି ପ୍ରାୟ ୧ ବର୍ଷ ହେବ ଅଚଳ ହୋଇ ପଡ଼ିଛି। ଏହାର ମରାମତି ପାଇଁ ୧୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ତାହା ପୁଣି କାର୍ଯ୍ୟକ୍ଷମ ହୋଇ ପାରିନଥିବା ସେ କହିଛନ୍ତି।

ସେହିପରି ଆମ୍ବୁଲାନ୍ସର ସମୟ ଅବଧି ୧୫ ବର୍ଷରୁ ଊର୍ଦ୍ଧ୍ବ ହୋଇ ଯାଇଥିବା ବେଳେ ଗାଡିର ଫିଟନେସ୍‌ କିମ୍ବା ଇନସ୍ୟୁରାନ୍ସ ନଥିବା ହେତୁ ତାହା ଅଦରକାରୀ ହୋଇ ପଡି ରହିଛି। କୌଣସି ଜରୁରୀକାଳିନ ପରିସ୍ଥିତିରେ ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଲେ ବାଧ୍ୟହୋଇ ସେହି ଆମ୍ବୁଲାନ୍ସ ଯୋଗେ ନେବାକୁ ପଡୁଛି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ଜେନେରେଟର ଥାଇ ନଥିବା ଭଳି। ଅଧିକାଂଶ ସମୟ ଅଚଳ ହୋଇ ପଡୁଥିବା ବେଳେ ବିଦ୍ୟୁତ୍ କାଟ୍ ହେଲେ ରୋଗୀମାନଙ୍କୁ ଘଂଟାଘଂଟା ଧରି ଅନ୍ଧାରରେ ରହିବାକୁ ପଡୁଛି। ସ୍ବାସ୍ଥ୍ୟକେନ୍ଦ୍ରକୁ ଦୈନିକ ଶତାଧିକ ରୋଗୀ ଆସୁଥିବା ବେଳେ ବିଭିନ୍ନ ପରୀକ୍ଷାନିରୀକ୍ଷା ପାଇଁ ଜଣେ ଲ୍ୟାବ୍‌ ଟେକ୍‌ନିସିଆନ ଥିବା ବେଳେ ଆଉ ଜଣେ ନିଯୁକ୍ତି ପାଇଁ ଦାବି ହୋଇ ଆସୁଛି। ସେହିପରି ଡିଜିଟାଲ୍ ଏକ୍ସରେ ପାଇଁ ଦାବି ହୋଇ ଆସୁଥିବା ବେଳେ ଏଥିପ୍ରତି କୈାଣସି ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ ହେଉଛି। ଜାତୀୟ ରାଜପଥ ଉପରେ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଥିବା ବେଳେ ରୋଗୀଙ୍କୁ ଆଶୁ ଚିକିତ୍ସା ମିଳିବାରେ ସମସ୍ୟା ସୃଷ୍ଟି ହେଉଛି। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନିଯୁକ୍ତି ହେତୁ ଗର୍ଭବତୀ ମହିଳାମାନଙ୍କର ସ୍ବାସ୍ଥ୍ୟ ସମାସ୍ୟାର ସମାଧାନ ହୋଇପାରୁଛି।

ସେହିପରି କୁଜାମେଣ୍ଢି, କଳସାଖମଣ ନୂଆଗାଁ ଏବଂ ଟାକରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ଡାକ୍ତର କିମ୍ବା ଫାର୍ମାସିଷ୍ଟ ନଥିବା ବେଳେ ଜଣେ ଜଣେ ହେଲ୍‌ଥୱାର୍କରଙ୍କୁ ଏସବୁ ସ୍ବାସ୍ଥ୍ୟକେନ୍ଦ୍ର ସମ୍ଭାଳିବାକୁ ପଡୁଛି। ସେହିପରି ମଧ୍ୟଖଣ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨ ଜଣ ବିଶେଷଜ୍ଞଙ୍କ ସହ ୪ ଗୋଟି ଡାକ୍ତର ପଦବି ଥିବା ବେଳେ ୨ ଜଣ ଡାକ୍ତର ଏବଂ ବାଣିଗୋଛା ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜଣେ ଡାକ୍ତରଙ୍କୁ ୩ ଦିନ ଲେଖାଏଁ ଡେପୁଟେସନରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରିବାକୁ ପଡ଼ୁଛି। ତେବେ ଏଭଳି ଦୁର୍ଦ୍ଦିନ ମଧ୍ୟରେ ଅଂଚଳବାସୀ ବର୍ଷବର୍ଷ ଧରି ସ୍ବାସ୍ଥ୍ୟସେବାରୁ ବଂଚିତ ହୋଇ ଆସୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଅବହେଳାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର