ଦଶପଲ୍ଲା : ଦୀର୍ଘ ୪ ମାସ ବିତିବାକୁ ବସିଲାଣି। କିନ୍ତୁ ଜିଲ୍ଲାର ଏକମାତ୍ର ମୃଗ ବିହାର ତଥା ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଦଶପଲ୍ଲା କୁଆଁରିଆସ୍ଥିତ ମୃଗ ବିହାର ଫାଟକରୁ ଆଜି ପର୍ଯ୍ୟନ୍ତ ତାଲା ଖୋଲୁନି। ଅନ୍ୟ ପକ୍ଷରେ ରକ୍ଷଣାବେକ୍ଷଣ ଓ ଚିକିତ୍ସା ଅଭାବରୁ ମୃଗମାନେ ଯନ୍ତ୍ରଣାରେ ଛଟପଟ ହେବା ସହ ସବୁଳ ବଳୟ ନଷ୍ଟ ହେଉଥିବା ଅଭିଯୋଗ ଆସିଛି। କେତେ ମୃଗ ଜନ୍ମ ଗ୍ରହଣ କରୁଛନ୍ତି, କେତେ ମୃତ୍ୟୁମୁଖରେ ପଡ଼ୁୁଛନ୍ତି ଏବଂ କେତେ ଅସୁସ୍ଥ ଅଛନ୍ତି ସେ ନେଇ ବିଭାଗ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଉ ନାହିଁ। ତେବେ କିଛି ହରିଣଙ୍କ ମୁଣ୍ତରେ ଗଭୀର ଆଘାତ ଲାଗି ଯନ୍ତ୍ରଣାରେ ଶଢ଼ୁଥିବା ଦେଖିବାକୁ ମିଳିଛି।

Advertisment

publive-imageସୂଚନାଯୋଗ୍ୟ, ଗତ ଜୁଲାଇ ମାସ ୪ ତାରିଖ ଦିନ ବନଖଣ୍ତ ଅଧିକାରୀ ଅଂଶୁପ୍ରଜ୍ଞା ଦାଶ ଓ କିଛି ପର୍ଯ୍ୟଟକଙ୍କ ମଧ୍ୟରେ ମୃଗ ବିହାର ମଧ୍ୟରେ ପ୍ରବେଶକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାକୁ କେନ୍ଦ୍ରକରି ବନଖଣ୍ତ ଅଧିକାରୀ ମୃଗ ବିହାର ଫାଟକରେ ତାଲା ପକାଇ ଚାବି ନେଇ ପଳାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକାରୀମାନେ ନିଜ ଉପରୁ ଦୋଷ ଖସାଇବାକୁ ଯାଇ ମୃଗ ବିହାର ମଧ୍ୟରେ ଶିଶୁ ଉଦ୍ୟାନ କାର୍ଯ୍ୟ ଚାଲିଥିବା ଦର୍ଶାଇ ବିଭାଗୀୟ କର୍ତ୍ତୃପକ୍ଷ ଫାଟକ ସମ୍ମୁଖରେ ଏକ ପୋଷ୍ଟର୍‌ ଟାଙ୍ଗି ଦେଇ ବସି ପଡ଼ିଛନ୍ତି। ଫଳରେ ମାସ ମାସ ଧରି ଫାଟକରେ ତାଲା ପଡ଼ୁଥିବାରୁ ଓଡ଼ିଶା ତଥା ଓଡ଼ିଶା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ମୃଗ ବିହାର ପରିଦର୍ଶନ ନ କରି ଫେରି ଯାଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେଣୁ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଓ ଖାମ୍‌ଖିଆଲ୍‌ ମନୋଭାବ ଯୋଗୁ ମୃଗ ବିହାରର ସବୁଜ ବଳୟ ନଷ୍ଟ ହେବା ସହ ଉପଯୁକ୍ତ ଚିକିତ୍ସା ନ ପାଇ ମୃଗମାନେ ରୁଗ୍‌ଣ ଅବସ୍ଥାରେ ଶଢ଼ୁଥିବାରୁ ମୃଗବିହାର ଶ୍ରୀହୀନ ହେବାକୁ ବସିଛି।

publive-image

ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ମୃଗ ରୁଗ୍‌ଣ ଅବସ୍ଥାକୁ ଚାଲି ଆସିଥିବାବେଳେ ଅନେକ ଆଘାତପ୍ରାପ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଅଭିଯୋଗ ଆସିଛି। ତେବେ ଏ ସମ୍ପର୍କରେ ଦାୟିତ୍ବରେ ଥିବା ବନରକ୍ଷୀଙ୍କ କହିବା ଅନୁଯାୟୀ କିଛି ଦିନ ତଳେ ମାଡ଼ରେ ଏକ ମୃଗର ମୃତ୍ୟୁ ହୋଇଥିବା କହିବା ସହ ସମସ୍ତ ମୃଗ ସୁସ୍ଥ ଥିବା କହିଛନ୍ତି। କିନ୍ତୁ ଗୋଟିଏ ମୃଗ ମାଡ଼ରେ ଆଘାତ ପ୍ରାପ୍ତ ହୋଇ ଚିକିତ୍ସିତ ହେଉଥିବା କଥାକୁ ସ୍ବୀକାର କରୁଥିବା ବେଳେ ସହକାରୀ ପ୍ରାଣୀ ଚିକିତ୍ସକ ନିହାର ରଂଜନ ସାମନ୍ତରାୟ କୌଣସି ମୃଗ ଅସୁସ୍ଥ ନ ଥିବା ସୂଚନା ଦେଇଛନ୍ତି। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।