ପରୀ ମାମଲା ତ୍ରୁଟିର ପୁନରାବୃତ୍ତି: ଦଶପଲ୍ଲା ନାବାଳିକା ହତ୍ୟା ଅଭିଯୁକ୍ତ ନାବାଳକ

ମଙ୍ଗଳବାର କୋର୍ଟଙ୍କୁ ଅବଗତ କରିବ ଡିସିପିୟୁ, ପୁଲିସ କିଭଳି ଦର୍ଶାଇଲେ ସାବାଳକ?

ନୟାଗଡ଼ : ନୟାଗଡ଼ ଜିଲ୍ଲା ପୁଲିସର ପୁଣି ଏକ ବହୁଚର୍ଚ୍ଚିତ ତ୍ରୁଟି ପଦାକୁ ଆସିଛି। ଗତ ଜୁନ୍‌ ୧୨ ତାରିଖରେ ଦଶପଲ୍ଲା ଧୁନ୍ଦୁଗାଡ଼ିଆ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ(ସିସିଏଲ୍‌) ନାବାଳକ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତର ବୟସ ଘଟଣା ଘଟିବା ଦିନ ୧୬ ବର୍ଷ ୫ ମାସ ୧୧ ଦିନ ହୋଇଥିଲା ବୋଲି ଜଣାପଡ଼ିଛି। ଅଭିଯୁକ୍ତର ସ୍କୁଲ ଟ୍ରାନ୍ସଫର୍‌ ସାର୍ଟିଫିକେଟ୍‌ (ଟିସି)ରୁ ଜନ୍ମତାରିଖ ୦୧/୦୧/୨୦୦୫ ବୋଲି ଜଣାପଡ଼ିଛି। ଅର୍ଥାତ୍‌ ଅଭିଯୁକ୍ତ ନାବାଳକ ବୋଲି ସ୍କୁଲ ପ୍ରମାଣପତ୍ରରୁ ଜଣାପଡ଼ୁଛି। ବାଣିଗୋଚ୍ଛା ଥାନା ତଥା ନୟାଗଡ଼ ଜିଲ୍ଲା ପୁଲିସ ଜଷ୍ଟିସ୍‌ ଜୁଭେନାଇଲ୍‌ ବୋର୍ଡ ବଦଳରେ ଅଭିଯୁକ୍ତକୁ ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଇବା ତ୍ରୁଟିପୂର୍ଣ୍ଣ ବୋଲି ଆଇନଜୀବୀ କହିଛନ୍ତି।

ନୟାଗଡ଼ ସଦର ଥାନା ଅଧୀନ ନାବାଳିକା ପରୀ ହତ୍ୟା ଓ ଦୁଷ୍କର୍ମ ମାମଲା‌ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ଦଶପଲ୍ଲା ଧୁନ୍ଦୁଗାଡ଼ିଆ ନାବାଳିକା ଦୁଷ୍କର୍ମ, ହତ୍ୟା ମାମଲାରେ ଉକ୍ତ ଅଭିଯୁକ୍ତ ଦୋଷୀ ହୋଇପାରିଥାଏ। କିନ୍ତୁ ପୁଲିସ କିଭଳି ଆଇନକୁ ମୋଡ଼ିମକଚି ଦେବ ବୋଲି ଆଇନଜୀବୀ ରଣଜିତ ଦାଶ କହିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ନାବାଳକ ବୋଲି ସନ୍ଦେହ ହେବାରୁ କୋର୍ଟଙ୍କ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ (ଡିସିପିୟୁ)କୁ ରିପୋର୍ଟ ମଗାଯାଇଥିଲା। ଏନେଇ ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଉକ୍ତ ଅଭିଯୁକ୍ତ ସ୍କୁଲର ଜନ୍ମ ତାରିଖ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯ‌ାଇଥିଲା। ଉକ୍ତ ସାର୍ଟିଫିକେଟ୍‌ରୁ ଅଭିଯୁକ୍ତ ନାବାଳକ ବୋଲି ଜଣାପଡ଼ିଛି। ଏନେଇ କୋର୍ଟଙ୍କୁ ଆମେ ଆସନ୍ତା ମଙ୍ଗଳବାର ଉକ୍ତ ପ୍ରମାଣପତ୍ର ସହକାରେ ଅବଗତ କରାଇବୁ ବୋଲି ନୟାଗଡ଼ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଉପେନ୍ଦ୍ରନାଥ ବଡ଼ଜେନା କହିଛନ୍ତି।

ତେବେ ଅଭିଯୁକ୍ତକୁ ୨୨ ବର୍ଷ ହୋଇଥିବା ପୁଲିସ କୋର୍ଟରେ ଦର୍ଶାଇଥିବା ଜଣାପଡ଼ିଛି। ଏପରିକି ‌ଖୋଦ୍‌ ନୟାଗଡ଼ ଏସ୍‌ପି ସିଦ୍ଧାର୍ଥ କଟାରିଆ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ସାବାଳକ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ତେବେ ଏନେଇ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ପ୍ରତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧିତ ଖବର