କାମରେ ଲାଗିଲାନି ‘ଡାଟ୍‌’ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଭେଳିକି

ଫେରାଇ ନିଆଯାଉଛି ମେସିନ୍‌

ପୁରୀ:‌ ସମୁଦ୍ରରେ ମାଛ ମାରି ପେଟ ପୋଷୁଥିବା ମତ୍ସ୍ୟଜୀବୀଙ୍କ ସୁରକ୍ଷା ଲକ୍ଷ୍ୟରେ ‘ଡାଟ୍’ (ଡିସଟ୍ରେସ୍‌ ଆଲଟ୍ ଟ୍ରାନ୍ସମିଟର) ମେସିନ୍‌ ପ୍ରଚଳନ କରାଗଲା। ସମୁଦ୍ର ମଝିରେ ଆକସ୍ମିକ ଅଘଟଣରୁ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ଏହାର ମୂଳ ଲକ୍ଷ୍ୟ ରହିଥିଲା। ଇସ୍ରୋ ପକ୍ଷରୁ ବିକଶିତ ଏହି ମେସିନ୍‌କୁ କୋଷ୍ଟଗାର୍ଡ଼ ଓ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ନିର୍ଦେଶାଳୟର ମିଳିତ ଆନୁକୂଲ୍ୟରେ ଏକ ଘରୋଇ ସଂସ୍ଥା ଜରିଆରେ ପୁରୀ, ଜଗତସିଂହପୁର, ବାଲେଶ୍ବର ଓ ଗଞ୍ଜାମ ଜିଲ୍ଲାର ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ପ୍ରଦାନ କରାଗଲା। ଏ ବାବଦକୁ କୋଟି କୋଟି ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ମଧ୍ୟ କରାଗଲା। କିନ୍ତୁ ସଚେତନତା ଅଭାବରୁ ପୁରୀ ଜିଲ୍ଲାରେ ଆଜି ବି ମତ୍ସ୍ୟଜୀବୀମାନେ ଏହାର ବ୍ୟବହାର ଜାଣିନାହାନ୍ତି। ଅନ୍ୟପକ୍ଷରେ ଏହି ମେସିନ୍‌ର ଅପବ୍ୟବହାର ବଢ଼ିବାରୁ ଅନେକଙ୍କଠାରୁ ଏହାକୁ ଫେରାଇ ନିଆଯାଇଛି। ୨୦୧୨ ମସିହାରେ ଇସ୍ରୋ ଦ୍ବାରା ‘ଡାଟ୍’ ମେସିନ୍ ବିକଶିତ ହୋଇଥିଲା। ଏହାକୁ ଏଭଳି ବିକଶିତ କରାଯାଇଥିଲା ଯେ ‌ଯଦି କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଝିରେ କିଛି ଅଘଟଣର ସମ୍ମୁଖୀନ ହୁଏ, ତେବେ ଏହି ‘ଡାଟ୍’ ମେସିନ୍ ସେମାନଙ୍କୁ ସୁରକ୍ଷା ଦେବ। ଏଥିରେ ଥିବା ବଟନ୍ ଦବାଇଲେ ସିଧାସଳଖ ଏହା କୋଷ୍ଟଗାର୍ଡ଼ର ଚେନ୍ନାଇ ସେଣ୍ଟର ସହ ଯୋଗାଯୋଗ ହେବ। ଯେଉଁଥିରୁ କୋଷ୍ଟଗାର୍ଡ଼ କର୍ତୃପକ୍ଷ ସମୁଦ୍ର ମଝିରେ କେହି ମତ୍ସ୍ୟଜୀବୀ ବିପଦରେ ଥିବା କଥା ଜାଣିପାରିବେ। ଚେନ୍ନାଇ କୋଷ୍ଟଗାର୍ଡ଼ରୁ ଅଘଟଣ ସଙ୍କେତ ଆସୁଥିବା ଅଞ୍ଚଳରେ ଥିବା ଶାଖା କାର୍ଯ୍ୟାଳୟକୁ ଏହି ମ୍ୟାସେଜ୍‌ ପଠାଇବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଉଥିଲା। ଏହି ଯୋଜନାରେ ପୁରୀ ଜିଲ୍ଲାକୁ ଅତୀତରେ ୨୭୦ଟି ‘ଡାଟ୍’ ମେସିନ୍ ପ୍ରଦାନ କରାଯାଇଥିଲା। ଜିଲ୍ଲାର ଅସ୍ତରଙ୍ଗ, ପୁରୀ, ବ୍ରହ୍ମଗିରି ଓ କୋଣାର୍କ ଅଞ୍ଚଳରେ ଥିବା ୨୭୦ ଜଣ ମତ୍ସ୍ୟଜୀବୀଙ୍କ ଯନ୍ତ୍ରଚାଳିତ ଡଙ୍ଗା, ଟ୍ରଲରରେ ଏହାକୁ ଲଗାଗଲା। ଏହି ମେସିନରେ ୪ଟି ବଟନ୍ ରହିଥିବା ବେଳେ ପ୍ରଥମ ବଟନ୍‌ରେ ନିଆଁ, ଦ୍ବିତୀୟ ବଟନ୍‌ରେ ସ୍ବାସ୍ଥ୍ୟଗତ ସମସ୍ୟା, ତୃତୀୟ ବଟନ୍‌ରେ ଡଙ୍ଗାବୁଡ଼ି ଓ ଚତୁର୍ଥ ବଟନ୍‌ରେ ମତ୍ସ୍ୟଜୀବୀ ବୁଡ଼ିଯିବାର ସଙ୍କେତ ରହିଥିଲା। ନିଆଁ ପାଇଁ ଗୋଟିଏ ଥର ବଟନ୍ ଦବାଇବାକୁ ପଡ଼ୁଥିବା ବେଳେ, ସ୍ବାସ୍ଥ୍ୟଗତ ପାଇଁ ଦୁଇ ଥର, ଡଙ୍ଗାବୁଡ଼ି ପାଇଁ ତିନିଥର ଓ ବୁଡ଼ି ଯାଉଥିବା ମତ୍ସ୍ୟଜୀବୀଙ୍କ ଉଦ୍ଧାର ପାଇଁ ୪ ଥର ବଟନ୍ ଦବାଇବାକୁ ପଡ଼ୁଥିଲା। ବଟନ୍ ଦବାଇବା ମାତ୍ରେ ରାଡାର ଜରିଆରେ ଏହାର ସଙ୍କେତ ସିଧାସଳଖ ଚେନ୍ନାଇସ୍ଥିତ କୋଷ୍ଟଗାର୍ଡ଼ର ମୁଖ୍ୟ କାର୍ଯ୍ୟାଳୟ ପହଞ୍ଚୁଥିଲା। କିଛି ଟ୍ରଲରକୁ ଛାଡ଼ିଦେଲେ ଅନ୍ୟମାନେ ଏହାର ବ୍ୟବହାର ସଠିକ୍ ଭାବେ କରିପାରିଲେନି। ଯେଉଁଥିପାଇଁ ଦିନକୁ ଦିନ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଲା। ଅନେକ ସମୟରେ ବଟନ୍ ଦବା ଯାଇଥିଲେ ବି ସେଭଳି କିଛି ଘଟଣା ଘଟିନଥିବା ଜଣାପଡ଼ିଲା। ଫଳ‌ସ୍ବରୂପ ଏହି ମେସିନ୍‌ଗୁଡିକୁ ଅଧିକାଂଶ ମତ୍ସ୍ୟଜୀବୀଙ୍କଠାରୁ ଫେରାଇ ନିଆଯାଇଛି।

ସମ୍ବନ୍ଧିତ ଖବର