ପ୍ରବାସୀଙ୍କ ପାଇଁ ଜାତୀୟସ୍ତରରେ ଡାଟା ବେସ୍‌ ପ୍ରସ୍ତୁତ ଲାଗି ପ୍ରସ୍ତାବ ଦେଲା ଓଡ଼ିଶା

ଖାଦ୍ୟଶସ୍ୟ ବଣ୍ଟନ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଭୁବନେଶ୍ବର: ପ୍ରବାସୀମାନଙ୍କର ସଠିକ୍‌ ତଥ୍ୟ ସଂଗ୍ରହ ପାଇଁ ଜାତୀୟ ସ୍ତରରେ ଡାଟା ବେସ୍‌ ପ୍ରସ୍ତୁତ କରାଯାଉ। ଏଥିପାଇଁ ଗୋଟିଏ ଟାସ୍କ୍‌ ଫୋର୍ସ ଗଠନ କରିବାକୁ ଓଡ଼ିଶା ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆ ଏବ ରାଜ୍ୟ ଭିତରେ ଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ମୁଣ୍ଡପିଛା ୫ କିଲୋ ଚାଉଳ ଓ ପରିବାର ପିଛା ୧ କିଲୋ ଡାଲି ୨ ମାସ ପାଇଁ ମାଗଣାରେ ଯୋଗାଇଦିଆଯିବ। ଏ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ହିତାଧିକାରୀମାନଙ୍କ ତାଲିକା ପଠାଇବାକୁ ନିର୍ଦ୍ଦେଶ ଦେଇଛି।

ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରବାସୀ ଶ୍ରମିକମାନଙ୍କୁ ମେ ଓ ଜୁନ୍‌ ମାସ ପାଇଁ ମାଗଣା ଚାଉଳ ଓ ଡାଲି ପ୍ରଦାନ ନେଇ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ରାମବିଳାସ ପାଶଵାନ୍‌ଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ଜରିଆରେ ସବୁ ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ପ୍ରବାସୀଙ୍କ ସମ୍ପର୍କରେ ଏକ ନିର୍ଭରଯୋଗ୍ୟ ତାଲିକା ନଥିବାରୁ ସେମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ରାସନ୍‌ ଦୁଇମାସ ପାଇଁ ଯୋଗାଇଦିଆଯାଉ। କରୋନା ଯୋଗୁଁ ତାଲାବନ୍ଦ ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରୁ ଲକ୍ଷାଧିକ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରୁଥିବାରୁ ସେମାନଙ୍କ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଉପରେ ସରକାର ପ୍ରାଥମିକତା ଦେଇଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାରେ ଏବେସୁଦ୍ଧା ମାତ୍ର ୧୦% ପ୍ରବାସୀଙ୍କୁ ଚାଉଳ ଓ ଡାଲି ଯୋଗାଇ ଦିଆଯାଇଛି। ଅନ୍ୟରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କୁ ସେଠାକାର ରାଜ୍ୟ ସରକାର ରିଲିଫ ଆକାରରେ ଚାଉଳ ଓ ଡାଲି ଯୋଗାଇଦେବାକୁ ଶ୍ରୀ ସ୍ବାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏବେସୁଦ୍ଧା ୮୨ ଲକ୍ଷ କାର୍ଡ଼ଧାରୀଙ୍କୁ ଆଗୁଆ ୩ ମାସର ରାସନ୍‌ ସାମଗ୍ରୀ ଯୋଗାଇ ଦିଆଯାଇଛି। ବାକି ହିତାଧିକାରୀଙ୍କୁ ଚଳିତ ମାସ ଶେଷସୁଦ୍ଧା ବଣ୍ଟନ କରାଯିବ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟଶସ୍ୟ ଯୋଗାଣ ଏବଂ ରବି ଧାନ ସଂଗ୍ରହ ନିମନ୍ତେ ଆବଶ୍ୟକ ଝୋଟ ଅଖା ତୁରନ୍ତ ରାଜ୍ୟକୁ ଯୋଗାଇଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ବୈଠକରେ ସମ୍ପ୍ରତ୍ତି ଘଟିଯାଇଥିବା ଅମ୍ଫାନ୍‌ ବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର