ଡାଟା ଏଣ୍ଟ୍ରି ଅପରେଟର ଆଶ୍ବସ୍ତି : ବିନା ନବୀକରଣରେ ଦରମା ଦେବାକୁ ‌ଓଏଟିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ୨୦୦୭ ମସିହାରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ବିଭିନ୍ନ ତହସିଲ ଅଫିସ୍‌ରେ ଚାକିରି ପାଇଥିବା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ଚାକିରିରେ ବିନା ନବୀକରଣରେ ଦରମା ପ୍ରଦାନ କରିବା ପାଇଁ ଆଦେଶ ଦେଇଛନ୍ତି ଓଏଟି(ଓଡ଼ିଶା ନ୍ୟାୟାଧୀଶ ପ୍ରାଧିକରଣ)। ପୁରୀର ଦୁଇଜଣ ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କ ଆବେଦନକୁ ବିଚାର କରି ଟ୍ରିବ୍ୟୁନାଲ ଆକ୍ଟିଭ୍‌ ଚେୟାରମ୍ୟାନ୍‌ ଜି.ଆର. ପୁରୋହିତ ଏହି ଅନ୍ତରୀଣ ଆଦେଶ ଦେଇଛନ୍ତି। ତା’ ସହ ୬ ସପ୍ତାହ ମଧ୍ୟରେ ପାରା ୱାଇଜ୍‌ କମେଣ୍ଟ ଦାଖଲ କରିବା ପାଇଁ ସରକାରଙ୍କୁ ଆଦେଶ ଦେଇଛନ୍ତି। ତେବେ କେବଳ ଏହି ଦୁଇଜଣ ନୁହନ୍ତି, ଅନ୍ୟମାନେ ମଧ୍ୟ ସରକାରୀ କାମରେ ଲାଗିଛନ୍ତି। ନିର୍ବାଚନ ଥିବାରୁ ଏହି ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ଉପରେ ପ୍ରବଳ କାମ ଚାପ ରହିଛି। ଏମାନେ ବିଭିନ୍ନ ଦାବି ନେଇ ଲୋୟର ପିଏମ୍‌ଜିରେ ଧାରଣା ଦେଇଥିବାରୁ ଆକ୍ରୋଶମୂଳକ ଭାବେ ଚାକିରି ନବୀକରଣ କରାଯାଇନଥିଲା। ଫେବ୍ରୁଆରି ୨୮ତାରିଖରେ ଏମାନଙ୍କର ପୂର୍ବ ୬ ମାସର ନବୀକରଣ ସରି ଯାଇଥିଲା। ଆସନ୍ତା ୬ ମାସ ପାଇଁ ନବୀକରଣ ହୋଇନଥିଲା। ନିର୍ବାଚନ କାମ ସରିବା ପରେ ଏହି ନବୀକରଣକୁ ନେଇ ଦ୍ବନ୍ଦ୍ବ ଉପୁଜିବାକୁ ଯାଉଥିଲା। ତେବେ ଓଏଟିଙ୍କର ଏହି ଅନ୍ତରୀଣ ଆଦେଶ ଆବେଦନକାରୀଙ୍କୁ ସୁରକ୍ଷା ଦେଇଛି।

ସୂଚନାଯୋଗ୍ୟ ଯେ ୨୦୦୭ ମସିହାରେ ଜିଳ୍ଲାପାଳମାନଙ୍କ ଜରିଆରେ ତହସିଲ ତଥା ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ବା ଆବଶ୍ୟକ ଡାଟା ଏଣ୍ଟ୍ରି ଅପରେଟର ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ବିଭିନ୍ନ ଲିଖିତ ଓ ମୌଖିକ ପରୀକ୍ଷା ପରେ ରାଜ୍ୟରେ ୬ଶହରୁ ଊର୍ଦ୍ଧ୍ବ ନିଯୁକ୍ତି ଦିଆଯାଇଥିଲା। ଜିଲ୍ଲାପାଳଙ୍କ ଜରିଆରେ ହୋଇଥିବା ଏହି ନିଯୁକ୍ତିରେ ଅପରେଟର୍‌ମାନଙ୍କୁ ପ୍ରଥମେ ୪ ହଜାର ଓ ପରେ ଦରମାକୁ ୫୨୦୦ କରାଯାଇଥିଲା। ଏହା ପରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଦରମା ବଢ଼ି ନ ଥିଲା କିମ୍ବା ଅନ୍ୟ କୌଣସି ସରକାରୀ ସୁବିଧା ମିଳିନଥିଲା। ସରକାରୀ କର୍ମଚାରୀଙ୍କ ସହ ସମାନ୍ତରାଳ ସୁବିଧା ଓ ସ୍ଥାୟୀ ନିଯୁକ୍ତି ଦାବି କରି ସମସ୍ତ ଡାଟା ଏଣ୍ଟ୍ରି ଅପରେଟର୍‌ ଆନ୍ଦୋଳନ କରିଥିଲେ। ଲୋୟର୍‌ ପିଏମ୍‌ଜିରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପରେ ସରକାର ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କେବଳ ପ୍ରତିଶ୍ରୁତି ଦେଇନଥିଲେ ବରଂ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତଦନୁଯାୟୀ, ଏହି ଡାଟା ଏଣ୍ଟ୍ରି ଅପରେଟର୍‌ମାନଙ୍କୁ ୬ବର୍ଷ ପରେ ସ୍ଥାୟୀ କରାଯିବ। ହେଲେ ୧୧ବର୍ଷ ପରେ ମଧ୍ୟ ଦାବି ପୂରଣ ହୋଇନଥିଲା। ଏଣୁ ପୁରୀର ମୌସୁମୀ ରଥ ଓ ସୁଖସ୍ମିତା ଦାଶ ଓଏଟିର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଆବେଦନକୁ ଆଧାର କରି ଏହି ଆଦେଶ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ସୁଧୀର ପ୍ରସାଦ ରଥ ଓ ରଶ୍ମିରଞ୍ଜନ ଦାଶ ମାମଲା ପରିଚାଳନା କରିଥିଲେ। କେବଳ ଏହି ଦୁଇ ଆବେଦନକାରୀ ନୁହଁନ୍ତି, ରାଜ୍ୟର ଅନେକ ଆବେଦନକାରୀ ଭୁବନେଶ୍ବର ସମେତ କଟକ ଟ୍ରିବ୍ୟୁନାଲରେ ମଧ୍ୟ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର