କଟକ : ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ପ୍ରସଙ୍ଗରେ ସରକାର ସତ୍ୟପାଠ ମାଧ୍ୟମରେ ହାଇକୋର୍ଟରେ ତଥ୍ୟ ରଖିବେ। ଜିଲ୍ଲା ଭିତ୍ତିରେ ଏହି ତଥ୍ୟ ଦାଖଲ ହେବ। କରୋନା ମୃତ୍ୟୁସଂଖ୍ୟା ଜନିତ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖରେ ହେବ।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍.ମୁରଲୀଧର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୋମବାର ମୃତ୍ୟୁସଂଖ୍ୟାଜନିତ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟାକୁ ନେଇ ଅଭିଯୋଗ ହେଉଥିବା ବେଳେ ଏଥିପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଡିଏମ୍ ପାହ୍ୟାର ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗ ଓ ଅନ୍ୟ ବିଭାଗର ଅଧିକାରୀମାନେ ରହିବେ ବୋଲି ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏ ସଂପର୍କିତ ପଦକ୍ଷେପର ବିସ୍ତୃତ ତଥ୍ୟ ସହିତ ସବୁ ଜିଲ୍ଲାରେ କରୋନା ମୃତ୍ୟୁ ସଂପର୍କିତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରାଯାଉନାହିଁ ବୋଲି ଅଭିଯୋଗ କରି ଆଇନଜୀବୀ ନିଶିକାନ୍ତ ମିଶ୍ର ଦାୟର କରିଥିବା ଜନସ୍ବାର୍ଥ ଆବେଦନକୁ ଜୁନ୍ ୨୩ରେ ହାଇକୋର୍ଟ ପିଆଇଏଲ୍ ରୁଲ୍ସ ପାଳନ କରାଯାଇ ନଥିବାରୁ ଖାରଜ କରିଥିଲେ। କିନ୍ତୁ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରାଯାଉ ନଥିବା ଅଭିଯୋଗ ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ତଥ୍ୟରେ ତାଳମେଳ ରହୁ ନାହିଁ ବୋଲି ଅଭିଯୋଗ ହୋଇଥିବା ବେଳେ ନୟାଗଡ଼ରେ ହୋଇଥିବା ଏଭଳି ଘଟଣା ସଂକ୍ରାନ୍ତରେ ଶ୍ରୀ ମିଶ୍ରଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିବା ପ୍ରସଂଗରେ ହାଇକୋର୍ଟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଥିଲେ। ସୋହନ ମିଶ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀ ଏହି ମାମଲା ପରିଚାଳନା କରୁଛନ୍ତି।
ଅନ୍ୟପକ୍ଷରେ, ଯେଉଁମାନେ କରୋନା ଟିକାକରଣ ଓ ଟେଷ୍ଟିଂ ପାଇଁ ଡାକ୍ତରଖାନା ଯାଇପାରୁନାହାନ୍ତି ସେମାନଙ୍କ ପାଇଁ ମୋବାଇଲ ସେବା ପ୍ରଦାନ ପ୍ରସଙ୍ଗରେ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ଜୁଲାଇ ୨ରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀ ଅନୁସାରେ ଲୋକଙ୍କ ଘରକୁ ଯାଇ ଟିକା ଦିଆଯାଇ ପାରିବନାହିଁ। କିନ୍ତୁ ଟିକାକରଣ କେନ୍ଦ୍ରକୁ ଆସି ପାରୁ ନଥିବା ବୟସ୍କ, ଭିନ୍ନକ୍ଷମ, ଅସୁସ୍ଥଙ୍କ ପାଇଁ ନିକଟବର୍ତ୍ତୀ ସ୍ଥାନରେ ଟିକାକରଣ ବ୍ୟବସ୍ଥା ନେଇ ରାଜ୍ୟ ସରକାର ନିୟମାବଳୀ ଜାରି କରିଛନ୍ତି। ଟିକା ପ୍ରଦାନ ବ୍ୟବସ୍ଥା ଅଧିକ ସୁବିଧାଜନକ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Odisha_high_court.jpg)