ଚାନ୍ଦବାଲି ମେଡିକାଲ ଅନ୍‌ଲାଇନ୍‌ରୁ ଡାଟା ଉଭାନ, ୩ ହଜାରରୁ ଊର୍ଦ୍ଧ୍ବ ପିଲାଙ୍କୁ ମିଳୁନି ଜନ୍ମ ପ୍ରମାଣପତ୍ର

ଚାନ୍ଦବାଲି: ଜନ୍ମ ପ୍ରମାଣପତ୍ର ପାଇବା ପାଇଁ କିଏ ୨ବର୍ଷ ଦୌଡ଼ିଲାଣି ତ କିଏ ଚାରି ବର୍ଷ। କାହାର ପିଲାକୁ ୪ବର୍ଷ ହେଲାଣି ତ କାହାର ୬ବର୍ଷ। ଜନ୍ମ ପ୍ରମାଣପତ୍ର ନ ପାଇ କିଏ ସ୍କୁଲରେ ଭର୍ତ୍ତି କରାଇପାରୁନି ତ କିଏ ଆଧାରକାର୍ଡ କରିପାରୁନି। ଜନ୍ମିତ ଶିଶୁମାନଙ୍କର ଡାଟା ମେଡିକାଲ ଅନଲାଇନ୍‌ ସାଇଟରୁ ଉଭାନ ହୋଇ ଯାଇଥିବାରୁ ଜଣେ କି ୨ଜଣ ନୁହେଁ ୩ହଜାରରୁ ଊର୍ଦ୍ଧ୍ବ ପିଲାଙ୍କ ଭବିଷ୍ୟତ ଅନ୍ଧାର। ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପିଲାଙ୍କ ତଥ୍ୟ ମିଳୁ ନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଚାନ୍ଦବାଲି ବ୍ଲକ ଗାନ୍ଧୀନଗର ଗାଁର ପୂର୍ଣ୍ଣଚନ୍ଦ୍ର ଦାସ। ତାଙ୍କର ପୁଅ ଓ ଝିଅ ଗତ ୨୦୧୬ ଓ ୨୦୧୭ ମସିହାରରେ ଚାନ୍ଦବାଲି ମେଡିକାଲରେ ଜନ୍ମ ହୋଇଥିଲେ। ହେଲେ ୫ବର୍ଷ ବିତିଗଲାଣି, ପ୍ରମାଣପତ୍ର ପାଇଁ ୭୦ରୁ ୮୦ଥର ଆସିଲେଣି ଅଫିସିକୁ। ହେଲେ ମିଳି ପାରିନାହିଁ ଜନ୍ମ ପ୍ରମାଣପତ୍ର। ସାଇଟ ବନ୍ଦ, ଆଜି ଖୋଲିବ, ଇଲେକ୍ସସନ ପରେ ଖୋଲିବ, ଏମିତି କହି କହି ଫେରାଉଛନ୍ତି। ସେହିପରି ବାଲିଗାଁର ଭଗବାନ ସାହୁ । ତାଙ୍କର ଝିଅ ୨୦୧୭ ମସିହାରେ ଜନ୍ମ ହୋଇଥିଲା। ଏବେ ଝିଅକୁ ୬ବର୍ଷ ହେଲାଣି, କିନ୍ତୁ ମିଳୁନାହୁଁ ଜନ୍ମ ପ୍ରମାଣପତ୍ର। ମେଡିକାଲ ଅଫିସକୁ ଯାଇ ଥକିଗଲେଣି। ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। ଝିଅର ପାଠପଢ଼ା ବୟସ ଗଡିବାକୁ ଗଲାଣି। କିନ୍ତୁ ସ୍କୁଲରେ ଆଡମିସନ ହୋଇ ପାରୁନାହିଁ। ଖାଲି ପୂର୍ଣ୍ଣ କି ଭଗବାନ ନୁହନ୍ତି, ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୧୬ମସିହା ଠାରୁ ୨୦୨୦ ମଧ୍ୟରେ ପାଖାପାଖି ୩୦୦୦ରୁ ଊର୍ଦ୍ଧ୍ବ ପିଲା ଜନ୍ମ ପ୍ରମାଣପତ୍ର ପାଇଁ ଏମିତି ଦହଗଞ୍ଜ ହେଉଛନ୍ତି ।

ପ୍ରତିଦିନ ଆଖପାଖ ସମେତ ୨୦ରୁ ୩୦ କିଲୋମିଟର ଦୂରରୁ ପିଲାଙ୍କୁ ଧରି ଖରାରେ ପ୍ରମାଣପତ୍ର ନେବାକୁ ଆସି ଫେରିବାକୁ ପଡୁଛି। କେତେ‌ବେଳେ କହୁଛନ୍ତି ସାଇଟ ବନ୍ଦ, କେତେବେଳେ କହୁଛନ୍ତି ଅନଲାଇନରେ ଡାଟା ମିଳୁନାହିଁ ତ ପୁଣି କେତେବେ‌େଳ କହୁଛନ୍ତି ଦିଲ୍ଲୀରୁ ବନ୍ଦ ଅଛି ଅଳ୍ପ ଦିନରେ ଖୋଲିଯିବ। ଏମିତି କହି ବର୍ଷ ବର୍ଷ ବିତି ଚାଲିଛି । ଜନ୍ମ ପ୍ରମାଣପତ୍ର ମିଳୁ ନ ଥିବାରୁ ସ୍କୁଲ ଆଡିମିସନ, ଆଧାରକାର୍ଡ ଓ ସୁକନ୍ୟା ଯୋଜନା ବି କରି ପାରୁନାହାନ୍ତି। ମେଡିକାଲକୁ ଦୌଡ଼ି ଦୌଡ଼ି ଥକି ପଡିଲେଣି। ମିଳିବ କି ନାହିଁ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଅନ୍ୟପକ୍ଷରେ ଜନ୍ମ ପ୍ରମାଣପତ୍ର ପାଇଁ ଦୌଡ଼ି ଦୌଡ଼ି ଥକି ସାରିଲେଣି। ବିଭାଗୀୟ ଅଧିକାରୀଙ୍କୁ ଜଣାଇ ସାରିଲେଣି କିନ୍ତୁ ଫଳ ଶୂନ୍‌। ଏ ସମ୍ପର୍କରେ ଚାନ୍ଦବାଲି ମେଡିକାଲ ଅଫିସର ବିଷ୍ଣୁ ସାହୁ କହିଛନ୍ତି ଆବେଦନ ସଂଖ୍ୟା ବହୁତ। କିନ୍ତୁ ୩୦୦୦ରୁ ଊର୍ଦ୍ଧ୍ବ ଲୋକ ପ୍ରମାଣପତ୍ର ପାଇନାହାନ୍ତି। ଆମେ ଉପରକୁ ବହୁବାର ଜଣାଇଛୁ। କିଛି ସମାଧାନ ହୋଇପାରିନାହିଁ ।

ଏ ନେଇ ଭଦ୍ରକ ଏଡିଏମ୍‌ଓ ସନ୍ତୋଷ ପୃଷ୍ଟି କହନ୍ତି ଡାଟା ଅନ୍‌ଲାଇନରୁ ପଳେଇ ଯାଇଛି। ସେ ପୁଣି ଭୁବେନେଶ୍ୱରରୁ ଲୋଡ଼ ହେଲେ ଯାହା ହୋଇପାରିବ। ମୋ ହାତରେ କିଛି ନାହିଁ, ଯାହା କରିବେ ଜିଲ୍ଲାପାଳ ଆଉ ସିଡିଏମଓ। ତାଙ୍କୁ ଯୋଗାଯୋଗ କରନ୍ତୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର