ଭୁବନେଶ୍ବର : ରାଜ୍ୟର ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲାଗୁଡ଼ିକରୁ ଅନ୍ୟ ରାଜ୍ୟକୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ତଥ୍ୟ ଆକଳନ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଜରିଆରେ ସର୍ବେକ୍ଷଣ କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ।

Advertisment

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିଂହ କହିଛନ୍ତି, ଇତିମଧ୍ୟରେ ବଲାଙ୍ଗୀର ଓ ନୂଆପଡ଼ାର ୫ଟି ବ୍ଳକ୍‌ର ୯୦ଟି ଗ୍ରାମ ପଞ୍ଚାୟତର ସର୍ଭେ କାର୍ଯ୍ୟ ସମାପ୍ତ ହୋଇଛି। ଏହି ସର୍ବେକ୍ଷଣ ଅନୁଯାୟୀ ୧୯,୯୮୨ ଜଣ ପ୍ରବାସୀ ଶ୍ରମିକ ଥିବା ବେଳେ ତହିଁରୁ ୨୩୦୬ କଲେଜ ପଢ଼ୁଆ ପ୍ରବାସୀ ରହିଛନ୍ତି। ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ନିରାପତ୍ତା ଓ କଲ୍ୟାଣ ପାଇଁ ଏକ ରାଜ୍ୟ ଖସଡ଼ା କାର୍ଯ୍ୟକାରୀ କରିଛନ୍ତି। ଏହା ଅଧୀନରେ ୧୪ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ପୁରୀ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ଖୋର୍ଧାରେ ପଞ୍ଚାୟତସ୍ତରରେ ସ୍ବଇଚ୍ଛା ପଞ୍ଜୀକରଣ ବ୍ୟବସ୍ଥା ରହିଛି। ଜିଲ୍ଲାସ୍ତରରେ ଗୃହ ବିଭାଗର ସହଯୋଗରେ ମାନବ ଚାଲାଣ ନିରୋଧ ୟୁନିଟ୍‌ କାର୍ଯ୍ୟ କରୁଛି। ବାହାର ରାଜ୍ୟରେ ଓଡ଼ିଆ ପ୍ରବାସୀଙ୍କୁ ତ୍ବରିତ ସହାୟତା ଯୋଗାଇବା ପାଇଁ ତେଲେଙ୍ଗାନା, ଆନ୍ଧ୍ର, ନୂଆଦିଲ୍ଲୀଠାରେ ଓଡ଼ିଶା ପ୍ରବାସୀ ଶ୍ରମିକ ସହାୟତା ଡେସ୍କ କାର୍ଯ୍ୟକ୍ଷମ ହୋଇଛି। କର୍ଣ୍ଣାଟକ, ତାମିଲନାଡ଼ୁରେ ଏପରି ସହାୟତା ଡେସ୍କ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଉଛି।

ସେହିପରି ରାଜ୍ୟର ଯୁବକ/ଯୁବତୀଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ରାଜ୍ୟ ଦକ୍ଷତା ବିକାଶ କର୍ତୃପକ୍ଷଙ୍କ ଦ୍ବାରା ଏକ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ୨୦୧୧/୧୨ରୁ ଆରମ୍ଭ କରିଛନ୍ତି। ୧୮-୩୫ବର୍ଷର ଶିକ୍ଷିତ ବେକାର ଯୁବକ/ଯୁବତୀଙ୍କୁ ଏହି ତାଲିମ କାର୍ଯ୍ୟକ୍ରମ ଜରିଆରେ ୧ଲକ୍ଷ ୫୬୪ ଜଣଙ୍କୁ ତାଲିମ ଦିଆଯାଇଛି। ତହିଁରୁ ୨୭,୫୧୫ଜଣଙ୍କ ନିଯୁକ୍ତି ପାଇଛନ୍ତି। ତାଲିମପ୍ରାପ୍ତ ଯୁବକ/ଯୁବତୀଙ୍କୁ ତାଲିମ ପ୍ରଦାନକାରୀ ସଂସ୍ଥା ମୁଖ୍ୟତଃ ଘଷରାଇ କମ୍ପାନିମାନଙ୍କରେ ପ୍ରତ୍ୟେକ୍ଷ ଭାବେ ନିଯୁକ୍ତି ପ୍ରଦାନ କରୁଛନ୍ତି। ରାଜ୍ୟ ଭିତରେ ଓ ବାହାରେ ବିଭିନ୍ନ କମ୍ପାନିମାନଙ୍କରେ ନିଯୁକ୍ତି କରାଯାଉଛି। ଯୋଗ୍ୟତା ଅନୁସାରେ ଜଣେ ନିର୍ଦ୍ଦିଷ୍ଟ ଟ୍ରେଡ୍‌ରେ ତାଲିମ ନେଇ ନିଯୁକ୍ତିକ୍ଷମ ହୋଇ ନିଯୁକ୍ତି ପାଇପାରିବେ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।