କୋଭିଡ ସାର୍ଟିଫିକେଟରୁ ତଥ୍ୟ ଚୋରି! ସାଇବର ଅପରାଧୀଙ୍କୁ ୫ ଟଙ୍କାରେ ଡାଟା ବିକୁଛନ୍ତି ଦୁର୍ବୃତ୍ତ

‘ପ୍ରଧାନମନ୍ତ୍ରୀ ବେରୋଜଗାର ଭତ୍ତା ଯୋଜନା’ ନାଁରେ ନକଲି ଆକାଉଣ୍ଟ

କଟକ : କୋଭିଡ୍ ଟିକା ସାର୍ଟିଫିକେଟ୍ ସୋସିଆଲ୍ ମିଡିଆରେ ସେୟାର କରୁଛନ୍ତି କି? ସତର୍କ ରୁହନ୍ତୁ। ସାର୍ଟିଫିକେଟରେ ଥିବା କ୍ୟୁଆର କୋଡ୍‌ରେ ଟିକା ନେଇଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ତଥ୍ୟ ରହୁଛି। ତେଣୁ ସାର୍ଟିଫିକେଟ୍ ସୋସିଆଲ୍ ମିଡିଆରେ ସେୟାର କଲେ ସାଇବର୍ ଅପରାଧୀ ଏହି କ୍ୟୁଆର୍ କୋଡ ସ୍କାନ କରି ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଚୋରି କରି ନେଉଛନ୍ତି। ତେଣୁ ସୋସିଆଲ ମିଡିଆରେ ଏହି ସାର୍ଟିଫିକେଟ୍ ସେୟାର ନକରିବାକୁ କମିସନରେଟ ପୁଲିସ ଏବେ ସତର୍କ କରାଇଛି।

ସୂଚନା ଅନୁଯାୟୀ, କରୋନା ଟିକା ନେବା ପରେ ଯେଉଁ ସାର୍ଟିଫିକେଟ ଅନଲାଇନରେ ସରକାର ଯୋଗାଇ ଦେଉଛନ୍ତି, ତାହାକୁ ଲୋକେ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଏହି ସାର୍ଟିଫିକେଟରେ ଯେଉଁ କ୍ୟୁଆର କୋଡ ରହୁଛି ଏଥିରେ ହିତାଧିକାରୀଙ୍କ ନାମ, ଠିକଣା ସମେତ ଯୋଗାଯୋଗ ନମ୍ବର ଇତ୍ୟାଦି ରହୁଛି। ଯାହାକୁ ସ୍କାନ କଲାପରେ ସବୁ ତଥ୍ୟ ମିଳିଯାଇପାରେ। ସାଇବର ଅପରାଧୀଙ୍କ ଯୋଗାଯୋଗରେ ଥିବା ଦୁର୍ବୃତ୍ତ ଏହି ସାର୍ଟିଫିକେଟ ଡାଉନ୍‌ଲୋଡ କରି ପ୍ରତି ସାର୍ଟିଫିକେଟକୁ ୫ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି। ସାଇବର ଅପରାଧୀ ଗୋଷ୍ଠୀ ଏହି ତଥ୍ୟ ବ୍ୟବହାର କରି ଅନଲାଇନରେ ଉକ୍ତ ହିତାଧିକାରୀଙ୍କ ମୋବାଇଲ ନମ୍ବର କ୍ଲୋନ କରି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରୁଥିବା ଭଳି ସଙ୍ଗିନ ଘଟଣା କମିସନରେଟ ପୁଲିସର ନଜରକୁ ଆସିବା ପରେ ପୁଲିସ ସତର୍କ କରାଇଛି। ଉକ୍ତ ମୋବାଇଲ ନମ୍ବର ବ୍ୟବହାର କରି ସାଇବର ଅପରାଧୀ ଲକ୍‌ଡାଉନ୍‌ ସମୟରେ ଘରେ ବସି କାମ କରିବାର ଲୋଭନୀୟ ଅଫର ବି ଦେଉଛନ୍ତି।

‘ପ୍ରଧାନମନ୍ତ୍ରୀ ବେରୋଜଗାର ଭତ୍ତା ଯୋଜନା’ ନାଁରେ ଏକ ନକଲି ୱେବସାଇଟ ମାଧ୍ୟମରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ନାମ ପଞ୍ଜୀରଣ କରିବାକୁ କୁହାଯାଉଛି। ଇମେଲ ଏବଂ ମୋବାଇଲ ମ୍ୟାସେଜ ଆକାରରେ ଏଭଳି ନିଯୁକ୍ତି ପାଇଁ ସାଇବର ଅପରାଧୀ ସୂଚନା ପଠାଉଛନ୍ତି। ଏହି ମୋବାଇଲ ନମ୍ବର ବ୍ୟବହାର କରି ବ୍ୟାଙ୍କ ଓ ବୀମା କମ୍ପାନି ମ୍ୟାନେଜର ପରିଚୟରେ ଗ୍ରାହକଙ୍କୁ ଫୋନ କରୁଛନ୍ତି। ମାଚ୍ୟୁରିଟି ହୋଇଯାଇଥିବା କହି ଫୋନ୍‌ କରୁଛନ୍ତି ଓ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି। ଗଲା ଜୁନ ୩ ଓ ୫ ତାରିଖରେ ଚାଉଳିଆଗଞ୍ଜ ଓ ବଦାମବାଡ଼ି ଥାନା ଅଞ୍ଚଳରେ ଦୁଇଟି ବୀମା ମାଚ୍ୟୁରିଟି ହୋଇଥିବା କହି ଓଡ଼ିଶାର ଏକ ସାଇବର ଅପରାଧି ଗ୍ୟାଙ୍ଗ୍‌ ଲକ୍ଷ ୪୫ ହଜାର ଟଙ୍କା ଲୁଟିଥିଲା। ଅପରାଧୀମାନେ ଗ୍ରାହକଙ୍କ ନମ୍ବର ଓ ତଥ୍ୟ ଅନଲାଇନରେ କିଣି ଏଭଳି କରୁଥିବା ସନ୍ଦେହ କରାଯାଉଛି। ତେଣୁ ଏଭଳି ସାର୍ଟିଫିକେଟ ସୋସିଆଲ ମିଡିଆରେ ସେୟାର ନକରିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୋସିଆଲ ମିଡିଆ ପାସୱାର୍ଡ, ଇମେଲ ପାସୱାର୍ଡ ନିୟମିତ ବଦଳାଇବା ସହିତ ଅଳ୍ପ ମୂଲ୍ୟରେ କୋଭିଡ ଔଷଧ, ଇଂଜେକସନ ଯୋଗାଣ ସମ୍ପର୍କିତ ଅଜଣା ମେଲ ନଖୋଲିବାକୁ କମିସନରେଟ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର