କରୋନା ଟିକା ପାଇଁ ଡାଟା ବେସ୍ ପ୍ରସ୍ତୁତି : ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ଲକ୍ଷେ ଟପିବ

ଭୁବନେଶ୍ୱର : କରୋନା ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟକର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ। ଟିକା ପାଇଁ ସମସ୍ତେ ଚାହିଁ ବସିଥିବା ବେ‌ଳେ ରାଜ୍ୟ ସରକାର ଗତ ୨୩ତାରିଖରେ ଏକ ଚିଠି ଜାରି କରି ସ୍ବାସ୍ଥ୍ୟକର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ଆଶା ଦେଖାଇଛନ୍ତି। ଆୟୁଷ ସଂଘ, ଘରୋଇ ଡାକ୍ତର ସଂଘ, ନର୍ସିଂ ସଂଘ, ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନ ମାଲିକ ଓ ମହିଳା ଓ ଶିଶୁ ବିଭାଗ, ମିସନ ଶକ୍ତିକୁ ଚିଠି ଜାରି ହୋଇଛି। ତେବେ ରାଜ୍ୟରେ ସରକାରୀ ଓ ବେସରକାରୀ ଡାକ୍ତର, ଆୟୁଷ ଡାକ୍ତର, ନର୍ସିଂ କର୍ମଚାରୀ, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ମିଶାଇଲେ ସଂଖ୍ୟା ଲକ୍ଷେ ଟପିବ ବୋଲି ଆକଳନ କରାଯାଉଛି।

ସ୍ବାସ୍ଥ୍ୟ ମନ୍ତ୍ରୀ ଗତ ଫେବ୍ରୁଆରି ମାସରେ ଦେଇଥିବା ସୂଚନା ଅନୁସାରେ ଓଏମ୍‌ଏଚ୍‌ଏସ୍‌ କ୍ୟାଡରରେ ରାଜ୍ୟରେ ୫୪୧୪ ଡାକ୍ତର ଥିବା ବେଳେ ଓଏମ୍‌ଇଏସ୍‌ରେ ୧୦୨୩ ଓ ଓଏମ୍‌ଏଚ୍‌ଏସ୍‌(ଦନ୍ତ)ରେ ୩୩୬ଜଣଙ୍କୁ ମିଶାଇ ସମୁଦାୟ ୬୭୭୩ ଡାକ୍ତର ରାଜ୍ୟରେ କାର୍ଯ୍ୟରତ ଅଛନ୍ତି। ଏହାସତ୍ତ୍ବେ ଶତାଧିକ ଡାକ୍ତର ପଦବି ଖାଲି ପଡ଼ିଛି। ସେହିପରି ରାଜ୍ୟରେ ଆୟୁଷ ଡାକ୍ତରଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ଆୟୁର୍ବେଦିକ/ହୋମିଓପ୍ୟାଥିକ ମେଡିକାଲ ଅଧିକାରୀ ୧୨ଶହ, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ଅଧୀନରେ ୧୨୫୦, ରାଷ୍ଟ୍ରୀୟ ବାଲ୍ ସୁରକ୍ଷା କାର୍ଯ୍ୟକ୍ରମ(ଆୟୁଷ) ୧୦୫୦, କେବିକେରେ ୧୫୦, କୋଭିଡ୍‌ ପାଇଁ ସ୍ବତନ୍ତ୍ର ଭାବେ ୨୭୦ ଜଣ ନିଯୁକ୍ତ ହୋଇଛନ୍ତି। ସମସ୍ତଙ୍କୁ ମିଶାଇଲେ ସଂଖ୍ୟା ୩୯୨୦ ରହିଛି। ଏହାସହ ୬ଶହ ଜଣ ଆୟୁଷ ପାରାମେଡିକ୍ ନିଯୁକ୍ତ ହୋଇଛନ୍ତି।

ଡାକ୍ତରଙ୍କୁ ବାଦ୍ ଦେଲେ ରାଜ୍ୟରେ ସ୍ଥାୟୀ/ଅସ୍ଥାୟୀ ଓ ଏନ୍‌ଏଚ୍‌ଏମ୍‌ ଅଧୀନରେ କାର୍ଯ୍ୟରତ ନର୍ସିଂ ଷ୍ଟାଫ୍‌ଙ୍କୁ ମିଶାଇଲେ ସେମାନଙ୍କ ସଂଖ୍ୟା ୫୨୦୦ ହେବ। ଏହାଛଡ଼ା ରାଜ୍ୟବ୍ୟାପୀ ନର୍ସିଂ ସ୍କୁଲ/କଲେଜରେ କାର୍ଯ୍ୟରତ ଟ୍ୟୁଟରମାନଙ୍କ ସଂଖ୍ୟା ମଧ୍ୟ ୩ହଜାରରୁ ଅଧିକ ରହିଛି। ରାଜ୍ୟରେ ଘରୋଇ ମେଡିକାଲ ଓ କଲେଜ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ରାଜ୍ୟବ୍ୟାପୀ ୨ହଜାର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ରହିଥିବା ବେଳେ ତହିଁରେ ୩ହଜାରରୁ ଅଧିକ ଡାକ୍ତର କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର ଏକାଧିକ ହସ୍ପିଟାଲକୁ ପରିଦର୍ଶନ କରୁଛନ୍ତି। ତେଣୁ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରଙ୍କଠାରୁ ସେମାନଙ୍କ ସଂଖ୍ୟା କମ୍ ରହିଥିବା ସୂଚନା ମିଳିଛି। ସେହିପରି ଶଯ୍ୟା ଅନୁଯାୟୀ ନର୍ସିଂ ଷ୍ଟାଫଙ୍କୁ ମିଶାଇଲେ ସେମାନଙ୍କ ସଂଖ୍ୟା ମଧ୍ୟ ୬ହଜାର ଟପିବ ବୋଲି ଆଶା କରାଯାଉଛି। ରାଜ୍ୟରେ କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନର୍ସିଂ ଷ୍ଟାଫ୍, ଲାବୋରେଟାରି ଟେକ୍‌ନିସିଆନ୍ ଓ ଅନ୍ୟମାନଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ କରାଯାଇଛି। ସେମାନଙ୍କ ସଂଖ୍ୟା ପ୍ରାୟ ୧୨ହଜାର ହେବ ବୋଲି ଜଣାପଡ଼ିଛି। ୩ମାସର ବ୍ୟବଧାନରେ ସେମାନଙ୍କର ନିଯୁକ୍ତିର ନବୀକରଣ କରାଯାଉଛି। ସେମାନେ ମଧ୍ୟ ଏହି ତାଲିକାରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାସହ ରାଜ୍ୟରେ ଅନେକ ଘରୋଇ ହସ୍ପିଟାଲ ସହଭାଗିତାରେ କୋଭିଡ୍‌ ହସ୍ପିଟାଲ ପରିଚାଳନା କରୁଛନ୍ତି। ଏସବୁ ହସ୍ପିଟାଲ ପାଇଁ ସେମାନେ ସ୍ବତନ୍ତ୍ରଭାବେ ‌ଅନେକ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ ସେମାନଙ୍କ ସଂଖ୍ୟା କେତେ ହେବ ତାହା ଜଣାପଡ଼ି ନ ଥିଲେ ହେଁ, ସେମାନଙ୍କୁ ଏହି ଡାଟାବେସ୍‌ରେ ସାମିଲ କରାଯିବା ଏକପ୍ରକାର ନିଶ୍ଚିତ।

ଅପରପକ୍ଷରେ ରାଜ୍ୟରେ ଅଙ୍ଗନବାଡ଼ି/ଆଶା କର୍ମୀଙ୍କ ସଂଖ୍ୟା ୫୨ହଜାରରୁ ଅଧିକ ରହିଛି। ତେଣୁ ସମସ୍ତ କର୍ମଚାରୀଙ୍କୁ ମିଶାଇଲେ ଏହି ସଂଖ୍ୟା ଲକ୍ଷେ ଟପିଯିବ। ଏହି ସସମ୍ତ ସଂଗଠନମାନଙ୍କୁ ଆସନ୍ତା ୨୯ତାରିଖ ସୁଦ୍ଧା ନିଜ ନିଜର କର୍ମଚାରୀଙ୍କ ତାଲିକା ପ୍ରଦାନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସବୁ ସଂଘମାନଙ୍କରୁ ତଥ୍ୟ ଆସିବା ପରେ ହିଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟା ବେସ୍ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର